ସମ୍ବଲପୁର: ରାଜ୍ୟରେ ଚାଲିଛି ଶିଶୁଚାଲାଣ ରାକେଟ୍। ବିଭିନ୍ନ ସ୍ଥାନରେ ଶିଶୁଙ୍କୁ ଅପହରଣ କରାଯାଇ ଭିକ୍ଷାବୃତ୍ତି କାର୍ଯ୍ୟରେ ନିୟୋଜିତ କରାଯାଉଛି ଏବଂ ଏହା ପଛରେ ରାକେଟ୍ କାମ କରୁଛି ବୋଲି ସୂଚନା ମିଳିଛି।
କିଛି ଦିନ ତଳେ ଏଭଳି ଭାବେ ପୁରୀରୁ ଜଣେ ୩ ବର୍ଷୀୟା ଶିଶୁକନ୍ୟାକୁ ଆଣି ସମ୍ବଲପୁର ଜିଲ୍ଲାରେ ଭିକ୍ଷାବୃତ୍ତିରେ ନିୟୋଜିତ କରାଯାଇଥିଲା। ଅଭିଯୋଗ ପାଇବା ପରେ ସମ୍ବଲପୁର ଜିଲ୍ଲା ଚାଇଲଡ ଲାଇନ ହୀରାକୁଦ ଷ୍ଟେସନ ପଡ଼ାରୁ ଶିଶୁକନ୍ୟାଟିକୁ ଉଦ୍ଧାର କରିଛି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ଶିଶୁକନ୍ୟାଟି କାହାର ଓ କେମିତି ସମ୍ବଲପୁର ଆସିଲା ତାହା ଜଣାପଡ଼ିନାହିଁ। ତେବେ ଜଣେ କିନ୍ନରଙ୍କ ନାବାଳିକା ଝିଅ ଏହି ଶିଶୁଟିକୁ ପୁରୀରୁ ଆଣିଥିଲେ ବୋଲି ସୂଚନା ମିଳିଛି। ଏପର୍ଯ୍ୟନ୍ତ ଏହି ମାମଲାରେ କାହାକୁ ଗିରଫ କରାଯାଇ ନଥିବାରୁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସେପଟେ ଶିଶୁକନ୍ୟାଟି କେଉଁଠୁ ଏବଂ କିପରି ଆସିଲା ଏହା ପୁରୀରୁ ଜଣାପଡ଼ିବ ବୋଲି କହିଛନ୍ତି ବୁର୍ଲା ଥାନା ଅଧିକାରୀ ବି.ବି. ଭୋଇ।
ଚାଇଲଡ ଲାଇନ ସୂଚନା ଅନୁଯାୟୀ, ହୀରାକୁଦ ଷ୍ଟେସନ ନିକଟସ୍ଥ ଷ୍ଟେସନ ପଡ଼ାରେ ଥିବା ଏକ ବିପଦସଂକୁଳ ଘରେ ଜଣେ କିନ୍ନର ତାଙ୍କ ୧୪ ବର୍ଷର ଝିଅ ଓ ୧୨ ବର୍ଷର ପୁଅ ସହିତ ରହନ୍ତି। ୧୫ ଦିନ ହେଲା ସେ ପୁରୀରୁ ଏକ ୩ ବର୍ଷୀୟା ଶିଶୁକନ୍ୟାକୁ ଆଣି ଭିକ ମଗାଉଥିବା ନେଇ ସୂଚନା ମିଳିଥିଲା। ଏହାପରେ ଚାଇଲଡ ଲାଇନ ସଦସ୍ୟା ଲୀନାରାଣୀ ତ୍ରିପାଠୀ, ରାମେଶ୍ବର ଭୋଇ ପ୍ରମୁଖ ସେହି ଘରେ ପହଞ୍ଚିଥିଲେ।
ସେତେବେଳକୁ ଉକ୍ତ କିନ୍ନର ଏବଂ ତାଙ୍କ ପୁଅ ନ ଥିଲେ। ତାଙ୍କ ୧୪ ବର୍ଷର ଝିଅ ଓ ଉକ୍ତ ୩ ବର୍ଷୀୟା ଶିଶୁକନ୍ୟା ଘରେ ଥିଲେ। ବୁର୍ଲା ପୁଲିସ ସହାୟତାରେ ଉଭୟ ଶିଶୁଙ୍କୁ ଉଦ୍ଧାର କରାଯାଇ ଥାନାକୁ ଅଣାଯାଇଥିଲା। ପଚରାଉଚରା ବେଳେ ୧୪ ବର୍ଷୀୟା ଝିଅଟି କହିଥିଲା, କିଛି ଦିନ ପୂର୍ବରୁ ସେ ବୁଲିବାକୁ ପୁରୀ ଯାଇଥିଲା। ଏହି ସମୟରେ ୩ ବର୍ଷୀୟା ଶିଶୁକନ୍ୟାର ମା’ ନିଜ ଇଚ୍ଛାରେ ତାଙ୍କୁ ଝିଅଟିକୁ ଦେଇଥିଲେ।
ମହିଳାଜଣକ (୩ ବର୍ଷୀୟା ଶିଶୁର ମା’) ଅନ୍ୟ କାହା ସହିତ ରହିବାକୁ ଚାହୁଥିବାରୁ ଝିଅଟିକୁ ତାଙ୍କୁ ଦେଇଥିବା କିନ୍ନରଙ୍କ ଝିଅ କହିଛି। ମାତ୍ର ତା’ ବୟାନର କୌଣସି ସତ୍ୟତା ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରମାଣିତ ହୋଇ ନାହିଁ। ବୁର୍ଲା ପୁଲିସ ଏନେଇ ଅଧିକ ତଦନ୍ତ କରିବା ବଦଳରେ ନାବାଳିକାଙ୍କୁ ଛାଡ଼ି ଦେଇଛି। ନାବାଳିକାର ବାପାଙ୍କୁ ବି ପଚରାଉଚରା କରାଯାଇନାହିଁ। ଏଥିଯୋଗୁଁ ଘଟଣାଟି ସ୍ପଷ୍ଟ ହୋଇ ପାରିନାହିଁ। ଉଦ୍ଧାର ହୋଇଥିବା ୩ ବର୍ଷୀୟା ଝିଅର ଫଟୋ ପୁରୀର ବିଭିନ୍ନ ଥାନାକୁ ପଠାଯାଇଛି।
ହୀରାକୁଦ ଷ୍ଟେସନ ପଡ଼ାର ଏହି ବ୍ୟକ୍ତିଜଣକ ପୂର୍ବରୁ ମଧ୍ୟ ଶିଶୁଙ୍କୁ ବାହାରୁ ଆଣି ଭିକମଗା କାର୍ଯ୍ୟରେ ନିୟୋଜିତ କରିଥିବା ନେଇ ସ୍ଥାନୀୟ ଲୋକେ ଚାଇଲଡ ଲାଇନ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଛନ୍ତି। ତେଣୁ ସମସ୍ତ କାରବାର ପଛରେ ଶିଶୁ ଅପହରଣ ଓ ଚାଲାଣ ରାକେଟ କାମ କରୁଥିବା ସନ୍ଦେହ କରାଯାଉଛି। ପୁଲିସ ତଦନ୍ତ କଲେ ଘଟଣାର ସତ୍ୟତା ଜଣାପଡ଼ିବ ବୋଲି ମତପ୍ରକାଶ ପାଇଛି।