ଅସୁରକ୍ଷିତ ଅବସ୍ଥାରେ ଅଂଗନବାଡି ଗୃହ, ଶିଶୁଙ୍କ ଜୀବନ ପ୍ରତି କାହାର ଦୃଷ୍ଟି ନାହିଁ

ବୈପାରିଗୁଡା: ଅସୁରକ୍ଷିତ ଅବସ୍ଥାରେ ରହିଥିବା ଅଂଗନବାଡି କେନ୍ଦ୍ରରେ ଗଢ଼ା ଚାଲିଛି ଶିଶୁଙ୍କ ଭବିଷ୍ୟତ। ଅଥଚ କେଉଁ ସମୟରେ ଅଘଟଣ ଘଟି ଶିଶୁ ମାନଙ୍କ ଜୀବନ ପ୍ରତି କି ପ୍ରକାର ବିପଦ ଆସିପାରେ ତାହା କହିହେବ ନାହିଁ। ଏଭଳି ବିପଦ ଜନକ ଗୃହରେ ଶିଶୁ ମାନଙ୍କୁ ପାଠ ପଢେଇବା ସହ ଖାଦ୍ୟ ପରିବେଷଣ କରାଯାଉଛି। ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦୋରାଗୁଡା ପଞ୍ଚାୟତର ସଦରମହକୁମାରେ ରହିଥିବା ଅଂଗନବାଡି କେନ୍ଦ୍ରର ଏହା ହେଉଛି ବିକଳ ଅବସ୍ଥା। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗତ ୧୯୯୨ ମସିହାରେ ଅଂଗନବାଡି କେନ୍ଦ୍ର ପାଇଁ ଘର ନିର୍ମାଣ କରାଯାଇଥିଲା।

ତେବେ ଧୀରେଧୀରେ ଘରଟି ନଷ୍ଟ ହେବାକୁ ବସିଲା। ଛପର ହୋଇଥିବା ଟିଣ କଳଙ୍କି ଲାଗି ନଷ୍ଟ ହେବା ସହ ବର୍ଷା ଦିନେ ପାଣି ଗଳିବାକୁ ଲାଗିଲା। ପୁରୁଣା ଘରଟିରେ ଶିଶୁ ମାନଙ୍କୁ ସୁରକ୍ଷିତ ଅବସ୍ଥାରେ ବସେଇବା ସମ୍ଭବ ନହେବାରୁ ସେହି ଗୃହକୁ ଲାଗି ଗତ ୨୦୧୧ ମସିହାରେ ଅତିରିକ୍ତ ଗୃହ ନିର୍ମାଣ କରାଯାଇଥିଲା। ତେବେ ଏହି ଅତିରିକ୍ତ ଗୃହଟିର ଅବସ୍ଥା ଶୋଚନୀୟ ହେବାକୁ ବସିଲାଣି। ଏହି ଗୃହରେ ମଧ୍ୟ ବର୍ଷା ଦିନେ ଛାତରୁ ପାଣି ଗଳୁଛି। ଛାତ ଉପରେ ଏବଂ କାନ୍ଥରେ ଶିଉଳି ଚଢ଼ିଗଲାଣି। କାଠରେ ତିଆରି କବାଟକୁ ଉଈ ଖାଇବା ଫଳରେ ଦଦରା ହେବାକୁ ବସିଲାଣି। କାନ୍ଥ ସବୁ ଫାଟି ଆଁ ହେଲାଣି। ଗୃହଟିର ଏହି ଅବସ୍ଥା ଦେଖି ଅଂଗନବାଡିକର୍ମୀ ଶିଶୁ ମାନଙ୍କୁ ପୁରୁଣା ଘରେ ବସାଇବା ପାଇଁ ବାଧ୍ୟ ହୋଇଛନ୍ତି। ଏବେ ବର୍ଷା ଋତୁ ଚାଲିଥିବାରୁ ପାଣି ଗଳୁଛି। ପିଲାଙ୍କୁ ବସିବା ପାଇଁ ଶୁଖିଲା ଜାଗା ନଥିବାରୁ ବସିବା କି ପଢ଼ିବା ସମ୍ଭବ ହୋଇପାରୁନାହିଁ।

ପାଣି ଗଳିବା ଫଳରେ ଗଚ୍ଛିତ ଥିବା ଖାଦ୍ୟ ସାମଗ୍ରୀ ସହ ଆସବାବପତ୍ର ନଷ୍ଟ ହେବାର ଆଶଂକା ରହିଛି। ଏଣୁ ଶିଶୁ ମାନଙ୍କ ସୁରକ୍ଷା ପାଇଁ ନୂତନ ଗୃହ ଟିଏ ନିର୍ମାଣ କରିବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି। ପ୍ରକାଶ ଥାଉ କି, ଏହି କେନ୍ଦ୍ରରେ ୨୮ ଜଣ ଶିଶୁ ପଢୁଛନ୍ତି। ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ନୂତନ ଗୃହ ନିର୍ମାଣ କରିବା ସହ ଶିଶୁ ମାନଙ୍କୁ ସୁରକ୍ଷା ଦେବା ପାଇଁ ଦାବି ହୋଇଛି।

ସମ୍ବନ୍ଧିତ ଖବର