କରୋନାରେ ଅନାଥ ହୋଇଥିଲେ ୩ ପିଲା: ପାଠପଢ଼ାରେ ଡୋରି, ଜିଲ୍ଲାପାଳଙ୍କ ଅଫିସ ଦୌଡ଼ି ନୟାନ୍ତ

ପଟ୍ଟାମୁଣ୍ଡାଇ: କରୋନାରେ ବାପା, ମା’ଙ୍କୁ ହରାଇଥିବା ପିଲାଙ୍କ ଯତ୍ନ ନେବା ପାଇଁ ଜିଲ୍ଲାପାଳମାନଙ୍କୁ ଦାୟିତ୍ବ ଦେଇଛନ୍ତି ସରକାର। ସୁପ୍ରିମକୋର୍ଟ ଏହା ଉପରେ ଦୃଢ଼ ପକ୍ଷେପ ନେବାକୁ ନିର୍ଦ୍ଦେଶ ବି ଦେଇଛନ୍ତି। ମାତ୍ର ମା’ ଓ ବାପାଙ୍କୁ ହରାଇ ଅନାଥ ହୋଇଥିବା ୩ ପିଲା ଏବେ ବେସାହାରା। ସେମାନେ ବଂଚିବାକୁ ରାହା ଖୋଜୁଛନ୍ତି। ସେମାନଙ୍କ ପାଠପଢାରେ ବି ଡୋରି ବନ୍ଧାହେବାକୁ ବସିଛି। ଜିଲ୍ଲା ପ୍ରଶାସନ କେବଳ ଆର୍ଥିକ ସହାୟତା ଧରାଇ ଦେଇ ବସି ପଡ଼ିଛି। ସେମାନେ କେମିତି ପାଠ ପଢିବେ ସେ ନେଇ ଚିନ୍ତା କରୁନାହିଁ। ପଟ୍ଟାମୁଣ୍ଡାଇରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ଆଳି ବ୍ଲକ ଚଣ୍ଡିଆଗଡି ପଞ୍ଚାୟତର କିଶୋର ରଥ ଓ ପତ୍ନୀ ସତ୍ୟପ୍ରିୟା ରଥ ତିନି ପିଲାଙ୍କ ସହ ଆନ୍ଧ୍ରପ୍ରଦେଶର ହିନ୍ଦୁପୁରଠାରେ ରହୁଥିଲେ। ଗଲା ମେ’ ମାସ ୪ ତାରିଖ‌ରେ କିଶୋର ଓ ୬ ତାରିଖରେ ସତ୍ୟପ୍ରିୟା କରୋନାରେ ଆଖି ବୁଜିଥିଲେ। ସେମାନଙ୍କ ମୃତ୍ୟୁ ପରେ ତିନି ପିଲା ସାଇପ୍ରିୟା(୧୩), ଶୁଭପ୍ରିୟା(୧୦) ଓ ଶୁଭ ସ୍ମୁତିପ୍ରିୟା(୭) ଅସହାୟ ହୋଇପଡ଼ିଥିଲେ। ଏଭଳି ଅଭାବନୀୟ ଘଟଣା ପରଠୁ ସେମାନେ ମାମୁଁ ଘର ଗାଁ ପଟ୍ଟାମୁଣ୍ଡାଇ ବ୍ଲକ୍‌ ଶାସନ ଗ୍ରାମରେ ରହି ଆସୁଛନ୍ତି। ନିଜେ ଜିଲ୍ଲାପାଳ ଅମ୍ରିତ ରୁତୁରାଜ, ପଟ୍ଟାମୁଣ୍ଡାଇ ବିଡ଼ିଓ ଭରତ ଚନ୍ଦ୍ର ପରିଡା ଓ ପଟ୍ଟାମୁଣ୍ଡାଇ ତହସିଲଦାର ଦିଲ୍ଲୀପ୍ କୁମାର ସେଠୀ ମାମୁଁ ଘର ଗାଁକୁ ଆସି ମଧୁବାବୁ ପେନସନ ଯୋଜନାରେ ସେମାନଙ୍କୁ ମାସକୁ ପାଞ୍ଚଶହ ଟଙ୍କା ଲେଖାଏ ହିସାବରେ ତିନି ମାସର ସହାୟତା ପ୍ରଦାନ କରିଥିଲେ।

ସେତେବେଳେ ଖୋଦ୍‌ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇ କହିଥିଲେ ଯେ, ପିଲାମାନଙ୍କ ପାଇଁ ‘ପିଏମ୍‌ କେୟାର୍‌’ ଯୋଜନାରେ କେନ୍ଦ୍ରାପଡା ନବୋଦୟ ବିଦ୍ୟାଳୟରେ ପାଠ ପଢ଼ାଇବାର ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ। କିନ୍ତୁ କିଛି ଫଳପ୍ରଦ ହୋଇ ପାରିଲାନାହିଁ। ଏହାପରେ ସାଇପ୍ରିୟା ନିଜେ ଜିଲ୍ଲାପାଳଙ୍କ ନିକଟକୁ ସହାୟତା ପାଇଁ ନିବେଦନ କରିଥିଲେ। ଜିଲ୍ଲାପାଳ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ତାହା ପ୍ରତିଶ୍ରୁତିରେ ରହିଗଲା। ମାମୁଁ ଓ ଅଜାଙ୍କ ସହ ଏହି ୩ ଅନାଥ ପିଲା ବାରମ୍ବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଉଥିଲେ ମଧ୍ୟ ନିରାଶ ହୋଇ ଫେରୁଛନ୍ତି। ସେମାନେ ଆନ୍ଧ୍ରପ୍ରଦେଶର ଏକ ଇଂରାଜି ମିଡିୟମ ସ୍କୁଲ୍‌ରେ ପଢୁଥିଲେ। ଏବେ ସେମାନଙ୍କ ପାଠପଢା ପ୍ରଭାବିତ ହୋଇଛି। ଜିଲ୍ଲା ପ୍ରଶାସନ ଆର୍ଥିକ ସହାୟତା ଦେଲା ସିନା ପିଲାମାନେ କେମିତି ପାଠ ପଢିବେ ତାହା ଭୁଲିଗଲା। ପିଲାମାନେ ଏବେ କେଉଁଠି ଓ କିପରି ପାଢ଼ ପଢ଼ିବେ ଜିଲ୍ଲା ପ୍ରାଶାସନ ଆଉ ମୁଣ୍ଡ ଖେଳାଉ ନାହିଁ। ଜିଲ୍ଲାପାଳଙ୍କୁ ଦେଖା କରିବାକୁ ଏକାଧିକବାର ଯାଇଥିଲେ ବି ନିରାଶ ହୋଇ ଫେରିବାକୁ ପଡ଼ୁଛି ବୋଲି ଅଜା ହରେକୃଷ୍ଣ ଓ ମାମୁଁ ସୂର୍ଯ୍ୟନାରାୟଣ ଅଭିଯୋଗ କରିଛନ୍ତି। ମାମୁଁଘରର ଆର୍ଥିକ ସ୍ଥିତି ଭଲ ନଥିବାରୁ ପିଲାମାନଙ୍କୁ ଭରଣପୋଷଣ କରିବା ସେମାନଙ୍କ ପାଇଁ କଷ୍ଟକର ହୋଇପଡିଛି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର