ମା’ଙ୍କ ଜୁଇ ଲିଭି ନଥିବା ‌ବେଳେ ତିନି ଶିଶୁଙ୍କୁ ଚାଇଲଡଲାଇନ ହାତକୁ ଟେକି ଦେଲେ ବାପା

ବାଲିପାଟଣା : ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ପମ୍ପାଲୋ ପଞ୍ଚାୟତ ଗଡ଼ବନ୍ତପୁର ଗ୍ରାମର ଗୀତା ଭୋଇ କିଛି ଦିନ ତଳେ ଚତୁର୍ଥ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ | ଗତକାଲି ବିଳମ୍ବିତ ରାତିରେ ଗୀତାଙ୍କ ମୃତ୍ୟୁ ହୋଇଯାଇଥିଲା। ଆଜି ଗାଁ ସ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଉଥିଲା। ଏହି ସମୟରେ ଗୀତାଙ୍କ ଦୁଇଜଣ ଝିଅଙ୍କୁ ଚାଇଲଡଲାଇନ ଉଦ୍ଧାର କରିଛି |

ସୂଚନା ଅନୁସାରେ; ଗଡ଼ବନ୍ତପୁର ଗ୍ରାମରେ ବସବାସ କରୁଥିବା ଭଗବାନ ସାମଲଙ୍କ ୪ଟି କନ୍ୟା ସନ୍ତାନ ଅଛନ୍ତି। ୪ଝିଅଙ୍କ ନାମ ମାମୁନି ସାମଲ (୧୦), ପାପୁନି ସାମଲ (୭) ,ଶିବାନୀ ସାମଲ ( ୪ ) ହୋଇଥିବା ବେଳେ ୧୫ ଦିନ ତଳେ ଗୀତ ଜନ୍ମ ଦେଇଥିବା ଶିଶୁର ନାମ ତୁଳସୀ ରହିଛି।

ସନ୍ତାନ ଜନ୍ମ କରିବାର କିଛି ଦିନ ପରେ ଗୀତା ଅସୁସ୍ଥ ହୋଇପଡ଼ିଥିଲେ | ଅସ୍ୱାସ୍ଥ୍ୟକର ପରିବେଶ ଏବଂ ଅର୍ଥାଭାବରୁ ଦୁର୍ବଳ ହୋଇ ସମ୍ପୂର୍ଣ ଶଯ୍ୟାଶାୟୀ ହୋଇ ପଡ଼ିଥିଲେ ସେ| କିଛିଦିନ ତଳେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼ଃ ମନୋରଞ୍ଜନ ହାତୀ, ସିଡିପିଓ ସ୍ବର୍ଣ୍ଣଲତା ବେହେରା ମାଆ ଏବଂ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ତଦାରଖ କରିଥିଲେ | ସ୍ୱାସ୍ଥ୍ୟକର୍ମୀ ପ୍ରତ୍ୟେକ ଗାଁକୁ ଯାଇ ସ୍ୱାସ୍ଥ୍ୟସେବା ଯୋଗାଉଥିଲେ | ହେଲେ ମହିଳାଙ୍କୁ ବଞ୍ଚାଇବା ସମ୍ଭବ ହୋଇ ପାରି ନଥିଲା | ଅନ୍ୟ ପକ୍ଷରେ ଭାଗବତ ପିଲାମାନଙ୍କୁ ଲାଳନ ପାଳନ କରିବା ପାଇଁ ଅକ୍ଷମ ଥିଲେ |

ସ୍ଥାନୀୟ ସ୍ୱାସ୍ଥ୍ୟକର୍ମୀ ଏବଂ ଅଙ୍ଗନୱାଡି ସୁପରଭାଇଜର ଉଷାରାଣୀ ଖାଡ଼ଙ୍ଗା ପ୍ରମ୍ମୁଖ ଚାଇଲଡ ଲାଇନର ସହଯୋଗ ଲୋଡିଥିଲେ | ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ ବାଣିଶ୍ରୀ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ଆଜି କାଉନସିଲର ଇତିଶ୍ରୀ ଦାସ, ଟିମ ମେମ୍ବର ଚିତ୍ତରଞ୍ଜନ ଭୋଇ ପାପୁନି ଏବଂ ଶିବାନୀଙ୍କୁ ଉଦ୍ଧାର କରିଛନ୍ତି |

ଉଦ୍ଧାର ସମୟରେ ସ୍ଥାନୀୟ ଅଙ୍ଗନୱାଡି କର୍ମୀ ମମିତା ସ୍ୱାଇଁ , ସହାୟିକା ସ୍ବର୍ଣ୍ଣଲତା ସ୍ୱାଇଁ, ମହିଳା ସ୍ୱାସ୍ଥ୍ୟ କର୍ମୀ ଦୀପ୍ତିରାଣୀ ପାଲ, ପୁରୁଷ ସ୍ୱାସ୍ଥ୍ୟକର୍ମୀ ପ୍ରଭାତ କୁମାର ମହାରଣା , ସମାଜସେବୀ ଅଜିତ ପାଇକରାୟ ପ୍ରମ୍ମୁଖ ଉପସ୍ଥିତି ଥିଲେ | ଏହି ଦୃଶ୍ୟ ଦେଖି ଦେଖେଣାହାରି କୋହ ସମ୍ଭାଳି ପାରୁ ନଥିଲେ |

ସମ୍ବନ୍ଧିତ ଖବର