ଝାରସୁଗୁଡ଼ା: ଶିଶୁ ବିକ୍ରି ଉଦ୍ୟମ ପଣ୍ଡ କଲା ଚାଇଲ୍‌ଡ୍‌ ଲାଇନ୍‌

ଝାରସୁଗୁଡ଼ା: ଏକ ସଦ୍ୟଜାତ ଶିଶୁପତ୍ରକୁ ତାର ପିତାମାତା ବିକ୍ରି କରିଦେବାକୁ ଉଦ୍ୟମ କରୁଥିବା ବେଳେ ଖବର ପାଇ ସେଠାରେ ଚାଇଲ୍‌ଡ ଲାଇନ୍‌ ପହଞ୍ଚି ଯିବାରୁ ଶିଶୁ ବିକ୍ରି ଭଳି ଏକ ବେଆଇନ କାର୍ଯ୍ୟ ପଣ୍ଡ ହୋଇଯାଇଥିବା ଜଣାଯାଇଛି। ଝାରସୁଗୁଡ଼ା ବିଟିଏମ୍‌ ଫାଣ୍ଡି ଅନ୍ତର୍ଗତ ଏକାତାଲି ଠାରେ ଏହି ଶିଶୁ ବିକ୍ରି ହେଉଥିବା ନେଇ କିଛି ବ୍ୟକ୍ତି ଚାଇଲ୍‌ଡ ଲାଇନ୍‌କୁ ଖବର ଦେଇଥିଲେ। ଖବର ପାଇ ଚାଇଲ୍‌ଡ ଲାଇନ୍‌ ସଂଯୋଜକ ଆଶିଷ କୁମାର ପଣ୍ଡା ଘଟଣା ସ୍ଥଳରେ ପହଞ୍ଚି ଏହି ବେଆଇନ୍‌ କାର୍ଯ୍ୟରୁ ନିବୃତ୍ତ ହେବାକୁ ଶିଶୁର ପିତାମାତାଙ୍କୁ ପ୍ରବର୍ତ୍ତାତଇଥିଲେ।

ଏହି କାର୍ଯ୍ୟରେ ସହାୟତା କରିବା ପାଇଁ ପୁଲିସର ମଧ୍ୟ ସାହଯ୍ୟ ନିଆଯାଇଥିଲା। ପଣ୍ଡାଙ୍କ ଠାରୁ ପ୍ରକାଶ ଯେ, ଏକାତାଲି ଠାରେ ରହୁଥିବା ଗେରୀଶଙ୍କର ମେହେର ଏକ ହୋଟେଲରେ କାମ କରନ୍ତି। ତାଙ୍କ ପତ୍ନୀ ଭାନୁମତୀଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ଗ୍ରହଣ କରିଥିଲା। ପୂର୍ବରୁ ଏହି ଦମ୍ପତ୍ତିଙ୍କ ଗୋଟିଏ ୧୫ ବର୍ଷର ପୁଅ, ୧୪ ବର୍ଷର ଝିଅ ଓ ଏକ ୧୪ ମାସର ପୁଅ ଅଛନ୍ତି। ଦୁଇ ମାସ ପୂର୍ବରୁ ସେହି ଅଞ୍ଚଳର ଏକ ପରିବାର ସହାୟତାରେ ଏହି ଡ଼ିଲ୍‌ ହୋଇଥିବା ବେଳେ ଗୁରୁବାର ରାୟଗଡ଼ ଜିଲ୍ଲା ଚାନ୍ଦମାରୀ ଗ୍ରାମରୁ ସନ୍ତୋଷ ରଜାକ୍‌ ଓ ତାଙ୍କ ପତ୍ନୀ ପୂଜା ରଜାକ୍‌ ଆସି ପହଞ୍ଚି ଶିଶୁପୁତ୍ରକୁ ନେଉଥିବା ବେଳେ ଚାଇଲ୍‌ଡ ଲାଇନ୍‌ ଓ ପୁଲିସ ପହଞ୍ଚି ଏହାକୁ ରୋକିଥିଲେ। ପରେ ଉଭୟ ପରିବାରଙ୍କୁ ସିଡବ୍ଲୁସିରେ ଉପସ୍ଥାପନ ପରେ ତାଙ୍କୁ କାଉନସେଲିଂ କରାଯାଇଥିଲା।

ଶିଶୁପୁତ୍ର ବିକ୍ରି ବା ବେଆଇନ ପେଷ୍ୟ ସନ୍ତାନ ଭାବରେ ଗ୍ରହଣ କରିବା ଅପରାଧ ବୋଲି ଏହି ପରିବାରଙ୍କୁ ଅବଗତ କରାଯାଇଥିଲା। ଯଦି ଶିଶୁର ରକ୍ଷଣାବେକ୍ଷଣରେ ପିତାମାତା ଅସମର୍ଥ ତେବେ ଶିଶୁକୁ ଚାଇଲ୍‌ଡ ଲାଇନ୍‌ରେ ସମର୍ପଣ କରାଯିବା ବିଧି ସଂପର୍କରେ ମଧ୍ୟ ବୁଝାଇ ଦିଆଯାଇଥିଲା। ତେବେ ଉକ୍ତ ପରିବାର ଶିଶୁ ବିକ୍ରି କରୁନଥିବା ସଫେଇ ଦେଇଥିବା ବେଳେ ଆଗକୁ ସେପରି କେଣସି ବେଆଇନ କାର୍ଯ୍ୟ ଯେପରି ନକରିବେ ସେଥିପାଇଁ ସିଡବ୍ଲୁସି ପକ୍ଷରୁ ପ୍ରତିମାସ ଶିଶୁ ସହିତ ସିଡବ୍ଲୁସିରେ ହାଜର ହୋଇ ଶିଶୁ ଭଲମନ୍ଦ ସଂପର୍କରେ ଅବଗତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ସମ୍ବନ୍ଧିତ ଖବର