ସହର ମଝିରେ ଘରଥାଇ ମଧ୍ୟ ଶିକ୍ଷା ପାଇଁ ଦୁଇଟି ଘାଟି ଡିଅଁନ୍ତି ଶିଶୁ

କୋରାପୁଟ: ପ୍ରାକ୍‌ ବିଦ୍ୟାଳୟ ଶିକ୍ଷା ହେଉ ଅବା ପ୍ରାଥମିକ ଶିକ୍ଷା। କି ଉଚ୍ଚଶିକ୍ଷା ବି ହେଉ। କୁଶିକ୍ଷା ରୂପକ ଅନ୍ଧାରକୁ ହଟାଇବାକୁ ଜୀବନକୁ ବାଜି ଲଗାଇ ପାହାଡିଆ ରାସ୍ତାରେ ଚାଲନ୍ତି ଛାତ୍ରଛାତ୍ରୀ। ବଡବଡ ଘାଟି ସହ ଦୁଇଟି ପାହାଡ ଡେଇଁଲେ ମିଳେ ଶିକ୍ଷା। ସହର ମଧ୍ୟରେ ଘର ରହିଥିଲେ ବି ଶିକ୍ଷା ପାଇଁ ପାରୁନାହାଁନ୍ତି କୋରାପୁଟ ପୌରପାଳିକା ଅନ୍ତର୍ଗତ ୧୫ ନମ୍ବର ୱାର୍ଡରେ ରହିଥିବା ଆକାଶଗୁଡା ବାସୀ। ଭୋଟ ବ୍ୟାଙ୍କ ବୃଦ୍ଧି ଓ ୱାର୍ଡ ସଂପ୍ରସାରଣ ଆଳରେ କିପରି ଗୋଟିଏ ଗାଁକୁ ସହର ବନାଇ କୋରାପୁଟ ପ୍ରଶାସନ ଦୁଃଖ ଆଣିଛି ତାହା ଏହି ଗାଁରେ ରହୁଥିବା ଛାତ୍ରଛାତ୍ରୀଙ୍କ ଦୁଃଖ ସତ୍ୟକୁ ବଖାଣୁଛି। ୨୦୦୯ ମସିହା ପୂର୍ବରୁ କୋରାପୁଟ ପୌରପାଳିକା ଅଧୀନରେ ରହିଥିବା ୪୫ ଘର ବିଶିଷ୍ଟ ଏହି ଗାଁ ୧୦ ନମ୍ବର ୱାର୍ଡରେ ରହିଥିଲା। ୨୦୧୪ରେ ହୋଇଥିବା ୱାର୍ଡ ସଂପ୍ରସାରଣରେ ଏହି ଗାଁକୁ ୧୫ ନମ୍ବର ୱାର୍ଡରେ ଗଣନା କରାଗଲା। ସେହି ହିସାବରେ ଗାଁକୁ ରାଜ୍ୟ ନଗର ଉନ୍ନୟନ ବିଭାଗ ବିକାଶ କରିବା କଥା। ଗାଁକୁ ଯୋଗାଯୋଗ ପାଇଁ ରାସ୍ତା, ପାନୀୟ ଜଳ, ବିଦ୍ୟୁତ, ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଯୋଗାଣ ହେବା କଥା। କିନ୍ତୁ ଏହା ହୋଇ ପାରିନାହିଁ। ଆକାଶଗୁଡାକୁ ରାସ୍ଥା ଖଣ୍ଡିଏ ନ ଥିବାବେଳେ ପାହାଡିଆ ରାସ୍ତା ଦେଇ ପ୍ରତିଦିନ ନାହିଁ ନଥିବା ହଇରାଣ ହୁଅନ୍ତି ଛାତ୍ରଛାତ୍ରୀ।

ସ୍କୁଲ ପାଇଁ ପାଖାପାଖି ଅଢେଇ କିଲୋମିଟର ଦୂରରେ ରହିଥିବା ମସ୍ତିପୁଟ ଓ ଅଙ୍ଗନବାଡିରେ ପ୍ରାକ୍‌ ଶିକ୍ଷା ପାଇଁ ପ୍ରାୟ ଅଢେଇ କିଲୋମିଟର ପାହାଡିଆ ଘାଟି ଡେଇଁ କୋମଳମତି ଶିଶୁ ପଢିବାକୁ ଯାଆନ୍ତି। ଏବେ କରୋନା କଟକଣା ଯୋଗୁଁ ସ୍କୁଲ ବନ୍ଦ ରହିଥିବାବେଳେ ଏଠାରେ ରହିଥିବା ୩୮ରୁ ଅଧିକ ଶିଶୁ ଓ ଛାତ୍ରଛାତ୍ରୀ ଉଭୟ ପ୍ରାକ୍‌ ଶିକ୍ଷା ଓ ପ୍ରାଥମିକ ଶିକ୍ଷାରୁ ଦୂରରେ ରହିଛନ୍ତି। ଗାଁରେ ନେଟୱାର୍କ ନ ଥିବାରୁ ଅନଲାଇନ କ୍ଲାସ ମଧ୍ୟ ହୋଇପାରୁ ନଥିବା ଜଣାପଡିଛି। ଖାଲି ଯେ ଶିଶୁ ତାହା ନୁହେଁ ଗର୍ଭବତୀ ମହିଳା ମଧ୍ୟ ନାକେ ଦମ୍‌ ହେଉଥିବା ଅଭିଯୋଗ ହୋଇଛି।

Sambad

ସେମାନଙ୍କୁ କୌଣସି ସୁବିଧା ମିଳୁ ନ ଥିବାବେଳେ ଶିଶୁମାନଙ୍କୁ କୌଣସି ସୁବିଧା ମିଳୁ ନାହିଁ। ଖାଲି ‌ସେତିକି ନୁହେଁ ଗାଁକୁ ନାହିଁ ଭଲ ରାସ୍ତା ଖଣ୍ଡିଏ। ଗାଁକୁ ଯୋଡୁଥିବା ଏକ ମାତ୍ର ରାସ୍ତର ଅବସ୍ଥା ଅତି ଶୋଚନୀୟ। ୨୫ ବର୍ଷ ତଳେ ଏହି ରାସ୍ତା କାମ ହୋଇଥିବାବେଳେ ୧୫ ବର୍ଷ ହେବ ଗାଁର ରାସ୍ତାଟିଏ ଗୋଡି ମୁଠାଏ ବି ପଡିନାହିଁ। ୪ ବର୍ଷ ତଳେ ଗାଁକୁ ଯୋଡୁଥିବା ରାସ୍ତାର ଅନବାଶ୍ୟକ ସ୍ଥଳରେ ୧୦ ଲକ୍ଷ ଟଙ୍କା  ବିନିମୟରେ କଙ୍କ୍ରିଟ କରାଯାଇଥିବାବେଳେ ଏହା କାର୍ୟ୍ୟରେ ଲାଗୁ ନ ଥିବା ଦେଖିବାକୁ ମିଳିଛି। ଏହାସହ ବଡ ଚିନ୍ଦିରି ପଟୁ ଗାଁକୁ ଗଲାବେଳକୁ ପାର୍ଶ୍ବରେ ପଡିବ ପୌରପାଳିକାର ଡମ୍ପି ୟାର୍ଡ।

ସହରଯାକର ଯାବତୀୟ ଅଳିଆ ଏଠାରେ ପଡୁଥିବାବେଳେ ବାଉଣ୍ଡେରୀ ଡେଇଁ ଗାଁକୁ ପଶୁଛି ଅଳିଆ। ଏହାର ଦୁଗନ୍ଧ ଏତେ ତୀବ୍ର ଯେ ଗାଁରେ ରହି ହେଉ ନଥିବା ଅଭିଯୋଗ ହୋଇଛି। ଏନେଇ ଗାଁର କିରଣ ଚେଟ୍ଟି କହିଛନ୍ତି ଯେ ନାଁକୁ କେବଳ ପୌରପାଳିକାରେ ରହିଛୁ ସିନା ଆମକୁ ସରକାରୀ ସୁବିଧା ମିଳୁନାହିଁ। ପ୍ରଥମେ ୧୦ ନମ୍ବର ୱାର୍ଡ ଓ ପରେ ୧୫ ନମ୍ବର ୱାର୍ଡରେ ମିଶାଇଲେ ସରକାର। ଏବେ ଯାଏ ଗାଁକୁ ରାସ୍ତାଟିଏ ନାହିଁ। ବର୍ଷାଦିନେ ଡ଼୍ରେନ୍‌ ଥିବାରୁ ପାହାଡରୁ ଗଡୁଥିବା ପାଣି ଗାଁରେ ପଶୁଛି। ଗାଁରେ ସ୍କୁଲ କି ଅଙ୍ଗନବାଡି କ‌େନ୍ଦ୍ର ନ ଥିବାରୁ ପିଲାଏ ଦୁଇଟି ପାହାଡ ଓ ଘାଟି ଡେଇଁ ଜୀବନକୁ ବାଜି ଲଗାଇ ନିକଟ ଗାଁକୁ ଯାଉଛନ୍ତି। ବର୍ଷାଦିନେ ଜୀବନ ପ୍ରତି ଭୟ ରହିଥିବାରୁ ସେମାନଙ୍କୁ ସ୍କୁଲ କି ଅଙ୍ଗନବାଡିକୁ ଛାଡୁ ନାହୁଁ ବୋଲି ସେ ଅଭିଯୋଗ କରିଛନ୍ତି। ଏନେଇ ପୌରନିର୍ବାହୀ ଅଧିକାରୀ ଆଲୋକ ସାମନ୍ତରାୟ କହିଛନ୍ତି ଯେ ଗାଁର ସମସ୍ୟା ସମ୍ପର୍କରେ ଅଭିଯୋଗ ପାଇଛି। ଖୁବଶୀଘ୍ର ଗ୍ରାମବାସୀଙ୍କୁ ସେମାନଙ୍କ ସୁବିଧା ଯୋଗାଇ ଦିଆଯିବ‌। ରାସ୍ତା ସହ ଅନ୍ୟ ସୁବିଧା ଯୋଗାଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର