ସ୍ବାଭିମାନ ଅଞ୍ଚଳର କଟୁ ସତ୍ୟ, ବହିବସ୍ତାନୀ ବଦଳରେ ପିଲାଙ୍କ ହାତରେ ଗଞ୍ଜେଇ

ମାଲକାନଗିରି: କରୋନା ଯୋଗୁଁ ସମସ୍ତ ସ୍କୁଲ ବନ୍ଦ ହେବା ଏବଂ ମାଲକାନଗିରି ଭଳି ଦୁର୍ଗମ ଏବଂ ଅପହଞ୍ଚ ଅଞ୍ଚଳରେ ନେଟୱାର୍କ ଏବଂ ମୋବାଇଲ କିଣିବାର କ୍ଷମତା ନଥିବା ପରିବାରର ପିଲାମାନେ ଶିକ୍ଷା ବଦଳରେ ଘରୋଇ କାମ ଏବଂ ଦାଦନ ଖଟିବାକୁ ଯାଉଥିବା ଦେଖିବାକୁ ମିଳିଛି। ଦୁର୍ଗମ ଅଞ୍ଚଳରେ ଝିଅ ପୁଅମାନେ କାମଧନ୍ଦା ପାଇଁ ଦିନ ମଜୁରିଆ ପାଲଟିବା ସହ ଦଲାଲଙ୍କ କବଳରେ ପଡି ବାହାର ଜିଲ୍ଲାକୁ ଦାଦନ ଖଟିବାକୁ ଯାଉଥିବା ଦେଖିବାକୁ ମିଳିଛି।ଯାହାର ହିସାବ ନିକାଶ ନା ପ୍ରଶାସନ ନିକଟରେ ରହିଛି ନା ଶ୍ରମ ବିଭାଗ ନିକଟରେ। ଏହାର ଜ୍ବଳନ୍ତ ଉଦାହରଣ ହେଉଛି ଚାଇଲ୍ଡ ଲାଇନର କର୍ମକର୍ତ୍ତା ପ୍ରାୟତଃ ପ୍ରତି ମାସରେ ନାବାଳକ ଶିଶୁ ଶ୍ରମିକ ମାନଙ୍କୁ ବିଭିନ୍ନ ସ୍ଥାନରୁ ଉଦ୍ଧାର କରି ସେମାନଙ୍କୁ କିପରି ଥଇଥାନ କରୁଛନ୍ତି।

ଗତକାଲି ମାଥିଲି ଟେମରୁପାଲୀରେ କିପରି ଶିଶୁ ମାନେ ପାଠ ପଢିବା ବଦଳରେ ଜଙ୍ଗଲରେ ପଶି କାଠ ସଂଗ୍ରହ କରୁଛନ୍ତି, ସେନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ଆଜି ଏଭଳି ଅନ୍ୟ ଏକ ଚିତ୍ର ସ୍ବାଭିମାନ ଅଞ୍ଚଳରୁ ଆସିଛି। ସ୍ବାଭିମାନ ଅଞ୍ଚଳର ଦୁର୍ଗମ ତଥା ନକ୍ସଲ ପ୍ରବଣ ଧୂଳିପୁଟ ପଞ୍ଚାୟତକୁ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ପ୍ରାୟତଃ ପ୍ରତ୍ୟେକ ଗ୍ରାମରେ ଗଞ୍ଜେଇ ଚାଷ କରାଯାଉଥିବା ଦେଖିବାକୁ ମିଳିଥିଲା। ଲୋକେ ଧାନ ଏବଂ ପାରମ୍ପରିକ ଚାଷ ବଦଳରେ ଗଞ୍ଜେଇ ଚାଷକୁ ପ୍ରାଧାନ୍ୟ ଦେଉଥିବା ଦେଖିବାକୁ ମିଳିଥିଲା। ଘରେ ଘରେ ଲୋକେ ଏହି ଚାଷ କରି ନିଜର ଜୀବିକା ନିର୍ବାହ କରୁଥିବା କହିଥିଲେ।

ପ୍ରଶାସନ କିମ୍ବା ସରକାର ଏହି ଅଞ୍ଚଳକୁ ପହଞ୍ଚି ପାରୁନଥିବାରୁ ଲୋକେ ବାଧ୍ୟ ହୋଇ ଏହି ଚାଷ ଉପରେ ଧ୍ୟାନ ଦେଇ ଭଲ ଦୁଇ ପଇସା ରୋଜଗାର କରୁଛନ୍ତି। ତେବେ ଲୋକେ ଏହି ଚାଷ କରିବାକୁ ବାଧ୍ୟ ହେଉଥିବା କଥା ଲୁଚାଉଥିଲେ ମଧ୍ୟ ଏହା ପଛରେ ନକ୍ସଲଙ୍କର ପରୋକ୍ଷରେ କିମ୍ବା ପ୍ରତ୍ୟକ୍ଷରେ ହାତ ରହିଥିବା ଅନୁମାନ କରି ହେଉଥିଲା। ବାଧ୍ୟବାଧକତାରେ ଏହି ଲୋକମାନେ ଏହି ଚାଷକୁ ଆପଣେଇ ଥିବା ଜଣାପଡୁଥିଲା।

Sambad

ତେବେ ଏବେ ଧିରେଧିରେ ଏହି ଅଞ୍ଚଳକୁ ମଧ୍ୟ ରାସ୍ତା ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ ଆଗକୁ ପ୍ରଶାସନ ଏଠାକୁ ପହଞ୍ଚିଲେ ଲୋକେ ଗଞ୍ଜେଇ ଛାଡି ନିଜର ପାରମ୍ପରିକ ଚାଷ ଉପରେ ଓହ୍ଲାଇବେ ବୋଲି ପରୋକ୍ଷରେ କହିଥିଲେ। କରୋନା ଯୋଗୁଁ ସ୍କୁଲ ବନ୍ଦ ଥିବାରୁ ଏହି ଅଞ୍ଚଳର ପିଲାମାନେ ବାପା ମାଆଙ୍କୁ ଗଞ୍ଜେଇ ଚାଷରେ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଥିଲା।ପରିବାର ଲୋକେ ମଧ୍ୟ ପିଲାମାନେ ସ୍କୁଲ ନଯାଇ ବୁଲୁଥିବାରୁ ଗଞ୍ଜେଇ ଚାଷରେ ନିୟୋଜିତ କରିଥିବା ସ୍ବୀକାର କରିଥିଲେ।

ସୂଚନା ଯୋଗ୍ୟ ଯେ, ଏହି ଅଞ୍ଚଳରେ ବର୍ତ୍ତମାନ କରୋନା ଯୋଗୁଁ ସ୍କୁଲ ବନ୍ଦ ରହିଛି। କିନ୍ତୁ ବର୍ଷ ତମାମ ଏହି ଅଞ୍ଚଳରେ ସ୍କୁଲ ଖୋଲା ଯାଉନଥିବା ଗ୍ରାମବାସୀ କହିଥିଲେ। ଶିକ୍ଷକମାନେ ମନ ହେଲେ କେଉଁ ଦିନ ଏଠାକୁ ଆସି ଥରେ ଘେରା ବୁଲି ଚାଲି ଯାଉଥିଲେ। ପିଲାମାନେ ଗଞ୍ଜେଇ ଚାଷ ଠାରୁ ଅମଳ କରିବା ପର୍ଯ୍ୟନ୍ତ ସହଯୋଗ କରୁଥିବା ଦେଖିବାକୁ ମିଳିଥିଲା। ଗ‌ଞ୍ଜେଇ ଅମଳ ପରେ ସେ ଗୁଡିକକୁ ଖରାରେ ଶୁଖାଇବା ସହ ସେଗୁଡିକକୁ ବାଛି ଅଲଗା କରିବାର କାମ କରୁଥିବା ଦେଖିବାକୁ ମିଳିଥିଲା। ଏମାନେ ଓଡିଆ ବଦଳରେ ତେଲୁଗୁରେ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଥିଲା। ସ୍କୁଲ ଯଦି ଏହି ଅଞ୍ଚଳରେ ନଚାଲେ ତେବେ ପିଲା ଓଡିଆ ଭୁଲି ତେଲୁଗୁରେ ହିଁ କଥାବାର୍ତ୍ତା କରିବେ। ଏହି ଅଞ୍ଚଳର ପିଲାମାନେ ଘୋଡେ ଏବଂ ଖଚର ଚଲାଇବାରେ ସିଦ୍ଧହସ୍ତ ଦେଖିବାକୁ ମିଳିଥିଲା।ତେବେ ଅଭିଭାବଗ ପିଲାଙ୍କୁ ବହି ବସ୍ତାନୀ ବଦଳରେ ଗଞ୍ଜେଇ ଧରାଇବା କେତେ ଯୁକ୍ତିଯୁକ୍ତ ତାହା ସମୟ କହିବ।ପିଲାଙ୍କୁ ଘୋଡାରେ ଗଞ୍ଜେଇ ଲଦି ପଡୋଶୀ ଆନ୍ଧ୍ରକୁ ଚାଲାଣ କରାଇବାରେ ମଧ୍ୟ ପଛାଉ ନଥିବେ ଏଥିରେ ସନ୍ଦେହ ନାହିଁ। ତେବେ ଏ ସମ୍ପର୍କରେ ନା ଜିଲ୍ଲା ପ୍ରଶାସନକୁ ଅବଗତ ନା ଶ୍ରମ ବିଭାଗ ନଚେତ ଶିଶୁ ସୁରକ୍ଷା ବିଭାଗ ନିକଟରେ ଖବର ପହଞ୍ଚୁଛି। ତେବେ ଗତ ଦିନରେ ଶିଶୁ ମଙ୍ଗଳ ସମିତି ପକ୍ଷରୁ ଅନାଥ ପିଲାଙ୍କୁ ଥଇଥାନ କରାଯିବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯାଇ ସହଯୋଗ କରାଯାଇଥିଲା। ତେବେ ତୁରନ୍ତ ପ୍ରଶାସନ ପକ୍ଷରୁ ଦୁର୍ଗମ ଅଞ୍ଚଳରେ ଗଞ୍ଜେଇ ଚାଷରେ ନିୟୋଜିତ ଥିବା ପିଲାଙ୍କ ଭବିଷ୍ୟତକୁ ଏଭଳି ନଷ୍ଟ ନକରାଯାଉ ବୋଲି ଶିକ୍ଷାବିତ ମାନେ ମତ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର