ମୋବାଇଲ ନେଟୱର୍କ ନ ଥିବାରୁ ଅନଲାଇନ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ, ନିଜ ଘର ବାରଣ୍ଡାରେ ମାଗଣାରେ ପାଠ ପଢାଉଛନ୍ତି ଆଦିବାସୀ ଯୁବକ

ନନ୍ଦପୁର : କରୋନା ମହାମାରୀ ପରିପ୍ରେକ୍ଷୀରେ ସମସ୍ତ ସ୍କୁଲ ,କଲେଜ ଗୁଡିକ ବନ୍ଦ ଥିବା ବେଳେ ଅନଲାଇନ ମାଧ୍ୟମରେ ପିଲା ମାନଙ୍କ ପାଠ ପଢା ଚାଲିଛି। କିନ୍ତୁ ମୋବାଇଲ ନେଟୱର୍କ ନ ଥିବାରୁ  କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ରାଇସିଂ ଗ୍ରାମ ପଞ୍ଚାୟତ ଖୁଡ଼ାସିଂ ଗ୍ରାମରେ ଏହାର ବ୍ୟତିକ୍ରମ ଦେଖାଯିବା ସହ ପିଲାମାନଙ୍କୁ ଗ୍ରାମର ଜଣେ ଶିକ୍ଷିତ ଯୁବକ ମାଗଣାରେ  ପାଠ ପଢାଇ ପିଲା ମାନଙ୍କୁ ସହାୟକ ହୋଇ ପାରିଛନ୍ତି ।

ସୂଚନାଯୋଗ୍ୟ ଯେ  ଖୁଡ଼ାସିଂ ଗ୍ରାମରେ ମୋଟ ୬୫ ପରିବାର ବସବାସ କରୁଥିବା ବେଳେ ଲୋକସଂଖ୍ୟା ୨୫୦ ରୁ ଅଧିକ ରହିଛି ।୬୫ ପରିବାର ମଧ୍ୟରୁ ୪୫ ପରିବାର ଆଦିବାସୀ ସମ୍ପ୍ରଦାୟର।ଗ୍ରାମରେ ପ୍ରାୟ ୨୫ ରୁ ୩୦ ଜଣ ପିଲା କୋରାପୁଟ ଜିଲ୍ଲାର ବିଭିନ୍ନ ଆବାସିକ ବିଦ୍ୟାଳୟ ଯଥା ରାଇସିଂ,କସନ୍ଦି,ବୋରିଗୁମ୍ମା,ବାଇଲିଗୁଡା,ଗାଦିଆଗୁମା, ଡାବା ବିଦ୍ୟାଳୟ ମାନଙ୍କରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ରେ ଅଧ୍ୟୟନରତ। କରୋନା ମହାମାରୀ ଯୋଗୁଁ ଏବେ ସାଧାରଣ ବିଦ୍ୟାଳୟ ଓ ଆବାସିକ ବିଦ୍ୟାଳୟଗୁଡିକ ବନ୍ଦ ରହିଛି । ଯାହା ଫଳରେ ଏବେ ଛାତ୍ର ଛାତ୍ରୀ ମାନେ ଘରେ ରହି ଅନଲାଇନ ମାଧ୍ୟମରେ ପାଠ ପଢୁଛନ୍ତି।ଯେଉଁ ଯେଉଁ ଗ୍ରାମ ମାନଙ୍କରେ ମୋବାଇଲ ନେଟୱର୍କ ର ସୁବିଧା ଅଛି ଉକ୍ତ ଗ୍ରାମ ମାନଙ୍କରେ ଅନଲାଇନ ପାଠ ପଢା ଚାଲିଥିବା ବେଳେ ଯେଉଁ ଗ୍ରାମ ମାନଙ୍କରେ ମୋବାଇଲ ନେଟୱର୍କର ସୁବିଧା ନାହିଁ ସେହି ଗ୍ରାମ ମାନଙ୍କର ଛାତ୍ର ଛାତ୍ରୀ ପାଠ ପଢ଼ାରୁ ବଂଚିତ ହେଉଛନ୍ତି । ଏହାଫଳରେ  ଅଭିଭାବକମାନେ ପିଲା ମାନଙ୍କ ପାଠ ପଢାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି । ସେହିପରି ରାଇସିଂ ଗ୍ରାମ ପଞ୍ଚାୟତ ଖୁଡ଼ାସିଂ ଗ୍ରାମରେ ମୋବାଇଲ ନେଟୱର୍କ ନ ଥିବାରୁ ଛାତ୍ର ଛାତ୍ରୀ ଅନଲାଇନ ପାଠ ପଢ଼ାରୁ ବଞ୍ଚିତ ହେଉଥିବା ଜାଣି ପାରି ଗ୍ରାମର ଜଣେ ଯୁବକ ଦେବରାଜ ଜାନୀ ଆଗକୁ ଆସିବା ସହ ସମସ୍ତ ଛାତ୍ର ଛାତ୍ରୀଙ୍କୁ ମାଗଣାରେ ନିଜ ଘର ବାରଣ୍ଡାରେ ପାଠ ପଢେଇ ଅଭିଭାବକ ମାନଙ୍କ ଚିନ୍ତା କିଛି ମାତ୍ରାରେ ଦୂର କରିବାରେ ସକ୍ଷମ ହୋଇ ପାରିଛନ୍ତି । ଦେବରାଜ ଜାନୀ ସକାଳୁ ଏବଂ ସନ୍ଧ୍ୟାରେ ନିଜ ଘର ବାରଣ୍ଡାରେ ପିଲା ମାନଙ୍କୁ ପାଠ ପଢାଉଛନ୍ତି।

ସୂଚନାଯୋଗ୍ୟ ଯେ ଦେବରାଜ ଜାନୀ ମଧ୍ୟ ଗରିବ ପରିବାରରୁ ଆସିଛନ୍ତି।ସେ ଗତ ୨୦୦୨ ମସିହାରେ ମାଟ୍ରିକ ପରୀକ୍ଷା ପାସ କରିଥିଲେ । ମାଟ୍ରିକ ପରୀକ୍ଷା ପାସ କରିବା ପରେ ନନ୍ଦପୁର ସ୍ଥିତ ସିଂଧେଦେବୀ ଯୁକ୍ତ ଦୁଇ ମହାବିଦ୍ୟାଳୟ ରେ ଯୁକ୍ତ ଦୁଇ କଳା ରେ ନାମ ଲେଖାଇଥିଲେ।କିନ୍ତୁ ଆର୍ଥିକ ଅବସ୍ଥା ଠିକ ନ ଥିବାରୁ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ଫର୍ମ ପୂରଣ ପାଇଁ ଟଙ୍କା ନ ଥିବାରୁ ପରୀକ୍ଷା ଦେଇ ପାରି ନ ଥିଲେ।ତେଣୁ ଦେବରାଜ ଜାନୀ ବର୍ତମାନ ମୋବାଇଲ ନେଟୱର୍କ ଯୋଗୁଁ ଯେପରି କୌଣସି ଛାତ୍ର ଛାତ୍ରୀ ପାଠ ପଢ଼ାରୁ ବଞ୍ଚିତ ହେବେ ନାହିଁ ସେଥି ପାଇଁ ନିଜ ଚେଷ୍ଟାରେ ଗ୍ରାମରେ ନିଜ ଘର ବାରଣ୍ଡାରେ ଗ୍ରାମର ଛାତ୍ର ଛାତ୍ରୀଙ୍କୁ ମାଗଣାରେ  ପାଠ ପଢାଉଛନ୍ତି।ଦେବରାଜ ଙ୍କ ଏପରି ନିଃସ୍ୱାର୍ଥପର କାମକୁ ଗ୍ରାମ ବାସୀ ଏବଂ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।

ସମ୍ବନ୍ଧିତ ଖବର