ରାୟଗଡ଼ା: ରାୟଗଡ଼ା ଜିଲ୍ଲାର ସବୁଠୁ ପଛୁଆ ବ୍ଲକ୍ ଚନ୍ଦ୍ରପୁରର ଅନାଥ ଶିଶୁଙ୍କ ପାଇଁ ଅଭିଶପ୍ତ ପାଲଟିଛି ସରକାରଙ୍କ ଆଶୀର୍ବାଦ ଯୋଜନା। ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ବ୍ଲକର ଜଣେ ବି ଶିଶୁ ଏଯାବତ୍ ଏହି ଯୋଜନାରେ ଉପକୃତ ହୋଇ ପାରିନାହାଁନ୍ତି। ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଜିଲ୍ଲାପାଳ ସରୋଜ କୁମାର ମିଶ୍ର। ଅନାଥ ଶିଶୁଙ୍କ ଆବଶ୍ୟକ କାଗଜପତ୍ର ଶିଶୁ ସୁରକ୍ଷା କମିଟି ନିକଟରେ ଦାଖଲ କରିବାରେ ଚନ୍ଦ୍ରପୁର ସିଡିପିଓ ବିଫଳ ହୋଇଥିବାରୁ କୈଫୟତ ତଲବ ପାଇଁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ। କରୋନା କାରୁଣ୍ୟ ପରେ ବାପା, ମାଆଙ୍କୁ ହରାଇ ଅନାଥ ହୋଇଥିବା ଶିଶୁଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ୍ କରିବାକୁ ପଦକ୍ଷେପ ନେଇଛନ୍ତି ସରକାର। ରାଜ୍ୟ ସରକାର ଆଶୀର୍ବାଦ ଏବଂ କେନ୍ଦ୍ର ସରକାର ପିଏମ୍ କେୟାରର୍ସ ଯୋଜନା ମାଧ୍ୟମରେ ଶିଶୁଙ୍କ ଦାୟିତ୍ବ ନେବାକୁ ଆଗଭର ହୋଇ ଗାଇଡ୍ ଲାଇନ୍ ଜାରି କରିଛନ୍ତି।
୨୦୨୦ ଏପ୍ରିଲ୍ ୧ ତାରିଖରୁ ୧୫ ସେପ୍ଟେମ୍ବର ୨୦୨୧ ମଧ୍ୟରେ ଶିଶୁମାନେ ଉଭୟ ବାପା, ମା'ଙ୍କୁ ହରାଇଥିଲେ ଆଶୀର୍ବାଦ ଯୋଜନାରେ ମାସିକ ୨୫୦୦, ପରିବାରର ରୋଜଗାରକ୍ଷମ ବ୍ୟକ୍ତି (ବାପା କିମ୍ବା ମାଆ) ଜଣଙ୍କୁ ହରାଇଥିଲେ ମାସିକ ୧୫୦୦ ଟଙ୍କାର ଆର୍ଥିକ ସହାୟତା ୧୮ ବର୍ଷ ପର୍ଯ୍ୟନ୍ତ ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି।
ସେହିପରି କରୋନାରେ ବାପା, ମା'ଙ୍କୁ ହରାଇଥିବା ଶିଶୁଙ୍କୁ ପିଏମ୍ କେୟାରର୍ସ ଯୋଜନାରେ ମାଗଣା ଶିକ୍ଷା ସହ ୧୮ ବର୍ଷ ହେବା ପରେ ୧୦ ଲକ୍ଷ ଟଙ୍କାର ବୀମା, ୨୫ ବର୍ଷ ପରେ ଉଚ୍ଚ ଶିକ୍ଷା ପାଇଁ ସୁଧ ବିହୀନ ଋଣ ପ୍ରଦାନ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଉଭୟ ସରକାରଙ୍କ ଯୋଜନାର ସୁଫଳ ଅନାଥ ଶିଶୁଙ୍କ ନିକଟରେ ପହଞ୍ଚାଇବାକୁ ଜିଲ୍ଲା ପ୍ରଶାସନ ଶିଶୁ ସୁରକ୍ଷା କମିଟି ମାଧ୍ୟମରେ ଏହି ଅଭିଯାନକୁ ବ୍ଲକ୍ ଓ ପଞ୍ଚାୟତସ୍ତରରେ କାର୍ଯ୍ୟକାରୀ କରିଛି। ବ୍ଲକସ୍ତରରେ ଶିଶୁଙ୍କୁ ଚିହ୍ନଟ ଲାଗି ସିଡିପିଓ, ଜିଲ୍ଲା ଶିଶୁ ସୁରକ୍ଷା କମିଟି ମିଳିତ ଭାବେ କାର୍ଯ୍ୟ କରିବାକୁ ନିର୍ଦେଶ ହୋଇଛି। ଜିଲ୍ଲାର କେବଳ ଚନ୍ଦ୍ରପୁରକୁ ଛାଡ଼ିଲେ ଅନ୍ୟ ସମସ୍ତ ବ୍ଲକରେ ଏହି ଯୋଜନା ମାଧ୍ୟମରେ ଶିଶୁ ଉପକୃତ ହୋଇଛନ୍ତି। ସୂଚନା ମୁତାବକ, ଆଜି ସୁଦ୍ଧାର ଜିଲ୍ଲାର ୮୫୬ ଅନାଥ ଓ ବାପା, ମା' ଛେଉଣ୍ଡ ଶିଶୁଙ୍କୁ ଚିହ୍ନଟ କରାଯାଇଛି।
/sambad/media/post_attachments/wp-content/uploads/2021/09/RGD_Ashirwad-Yojana.jpg)
ସେଥି ମଧ୍ୟରୁ ୬୩୫ ଶିଶୁଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ୍ କରି ସହାୟତା ରାଶି ପ୍ରଦାନ କରାଯାଇଛି। ସହାୟତା ପାଇଥିବା ଶିଶୁଙ୍କ ମଧ୍ୟରୁ ୧୭ ଶିଶୁ ଉଭୟ ବାପା, ମା'ଙ୍କୁ ହରାଇଥିବା ବେଳେ ୬୧୮ ଶିଶୁ ବାପା, ମାଆଙ୍କ ମଧ୍ୟରୁ ଜଣଙ୍କୁ ହରାଇଛନ୍ତି। ରାୟଗଡ଼ା ବ୍ଲକରୁ ସର୍ବାଧୀକ ୧୮୩, ମୁନିଗୁଡ଼ାରୁ ୧୧୫, କୋଲନରାରୁ ୯୯, କାଶୀପୁରରୁ ୬୩, ବିଷମକଟକରୁ ୩୮, ରାମନାଗୁଡ଼ାରୁ ୨୬, କଲ୍ୟାଣସିଂହପୁରରୁ ୨୧, ଗୁଡ଼ାରିରୁ ୧୭, ଗୁଣପୁରରୁ ୫ ଶିଶୁ ଆଶୀର୍ବାଦ ଯୋଜନାରେ ସହାୟତା ରାଶି ପାଇଛନ୍ତି। ଚନ୍ଦ୍ରପୁର ବ୍ଲକରୁ ୪୫ ଶିଶୁ ଚିହ୍ନଟ ହୋଇଥିଲେ ମଧ୍ୟ କାଗଜପତ୍ର ଠିକ୍ ନଥିବାରୁ ସହାୟତା ରାଶି ପ୍ରଦାନରେ ବିଳମ୍ବ ହେଉଥିବା ବିଭାଗୀୟ ସମୀକ୍ଷାରୁ ଜଣା ପଡିଛି। ଚନ୍ଦ୍ରପୁର ସିଡିପିଓଙ୍କ ଅବହେଳାକୁ ନେଇ ଜିଲ୍ଲାପାଳ ଉଦେବେଗ ପ୍ରକାଶ କରିବା ପରେ ଆଜି ସିଡିପିଓ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ତୁରନ୍ତ ସର୍ଭେ କାମ ଶେଷ କରିବାକୁ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଯାଜ୍ଞସେନୀ ବେହେରା।
ସୂଚନାଯୋଗ୍ୟ, କରୋନାରେ ଏବଂ କରୋନା ସଂକ୍ରମଣ ମଧ୍ୟରେ ବହୁ ଶିଶୁ ନିଜ ଅଭିଭାବକଙ୍କୁ ହରାଇ ଦୁର୍ଦିନରେ ଦିନ କାଟୁଛନ୍ତି। କିଏ ସଂପର୍କୀୟ ଘରେ ତ କିଏ ସାହି ପଡୋଶୀଙ୍କ ତତ୍ତ୍ବାବଧାନରେ ରହିଛନ୍ତି। ଅକଥନୀୟ ଦୁର୍ଦଶା ମଧ୍ୟରେ ଦିନ କାଟୁଥିବା ଶିଶୁଙ୍କ ସହାୟତା କରିବାକୁ ବିଭିନ୍ନ ଅନୁଷ୍ଠାନ ସହଯୋଗରେ ହାତ ବଢ଼ାଇଥିଲେ। କିନ୍ତୁ କେନ୍ଦ୍ର ଓ ରାଜ୍ୟ ସରକାର ଅନାଥ ଶିଶୁଙ୍କ ଥଇଥାନ ପାଇଁ ଯୋଜନା ଘୋଷଣା କରିବା ପରେ ଏହି ଶିଶୁଙ୍କ ଭବିଷ୍ୟତ ଉଜ୍ବଳମୟ ହୋଇ ପଡିଛି।