ରାୟଗଡ଼ା: ଉଠାଜଳସେଚନ ପଏଣ୍ଟରୁ ଚାଷ ଜମିକୁ ପାଣି ମଡ଼ାଇବାକୁ ପାଇପ୍ ବିଛାଇବା ଲାଗି ରାସ୍ତା ଖୋଳିଥିଲେ ଠିକାଦାର। ହେଲେ କାମ ସରିବା ପରେ ମରାମତି କରିବାକୁ ଭୁଲିଗଲେ। ଖୋଳା ଯାଇଥିବା ଗାତରେ ଭଲ ଭାବରେ ମାଟି ନ ପଡ଼ିବା ଯୋଗୁଁ ରାସ୍ତା ମରଣଯନ୍ତାରେ ପରିଣତ ହେଲା। ପ୍ରତିଦିନ ଦୁର୍ଘଟଣାରେ ଲୋକେ ଆହତ ହେବା ପରେ ପ୍ରତିକାର ସ୍ବରୂପ ଗୁରୁ ଦିବସରେ ମାଟି, ଗୋଡି, ଇଟା, ବାଲି ପକାଇ ରାସ୍ତା ସମତୁଲ କରିଛନ୍ତି ମୁନିଗୁଡ଼ା ବ୍ଲକ୍ ଶିବପଦର ପଞ୍ଚାୟତ ଦୁରୁକିଲିମା ଗ୍ରାମର ସ୍କୁଲ୍ ଛାତ୍ର।
ମୁନିଗୁଡ଼ା-ଭବାନୀପାଟଣା ରାଜ୍ୟ ରାଜପଥର ଦହିଖାଲ ନିକଟରୁ ବାହାରିଥିବା ଏହି ରାସ୍ତା ଦୁରୁକିଲିମା ଦେଇ ଜଗଦଲପୁର ପଞ୍ଚାୟତକୁ ସଂଯୋଗ ହୋଇଛି। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ ଏହି ରାସ୍ତା ଉପରେ ଯାତାୟାତ ପାଇଁ ମୁନିଗୁଡ଼ା ବ୍ଲକର ଶିବପଦର, ଶରଧାପୁର, ଜଗଦଲପୁର ପଞ୍ଚାୟତବାସୀ ନିର୍ଭର କରିଥାନ୍ତି। ପ୍ରତିଦିନ ବ୍ୟାଙ୍କ କାମ ପାଇଁ ୩ ପଞ୍ଚାୟତବାସୀ ଦହିଖାଲକୁ ଆସୁଥିବା ବେଳେ ବ୍ଲକ୍, ମେଡ଼ିକାଲ ସହିତ ଅନ୍ୟ ଜରୁରୀ କାମରେ ଲୋକମାନେ ମୁନିଗୁଡ଼ା, ଅମ୍ବାଦଳାକୁ ଯିବା ଆସିବା କରିଥାନ୍ତି। ଯାତାୟାତ ପାଇଁ ବସ୍ ଚଳାଚଳର ସୁବିଧା ନଥିବାରୁ ଅଟୋ ସହ ଅନ୍ୟ ଯାତ୍ରୀବାହୀ ଯାନବାହନ ଏହି ରାସ୍ତାରେ ଚଳାଚଳ କରୁଛି। ଗତ କିଛି ମାସ ତଳେ ବଂଶଧାରା ନଦୀରୁ ଉଠାଜଳସେଚନ ପ୍ରକଳ୍ପ ମାଧ୍ୟମରେ ଦୁରୁକିଲିମା ସମେତ ଆଖପାଖ ଗାଁ ଚାଷଜମିକୁ ଜଳସେଚିତ କରିବାକୁ ପାଇପ୍ ବିଛା ଯାଇଥିଲା।
/sambad/media/post_attachments/wp-content/uploads/2021/09/RGD_Road-Repair-by-Students-2-e1630940423275-1024x648.jpg)
ରାସ୍ତାର ଉଭୟ ପାର୍ଶ୍ବରେ ଗାତ ଖୋଳି ଠିକାଦାର ପାଇପ୍ ବିଛାଇଥିଲେ। ପାଇପ ବିଛା କାମ ସରିବା ପରେ ଖୋଳା ଯାଇଥିବା ଗାତ ଓ ରାସ୍ତା ଉପରେ ପଡିଥିବା ମାଟିକୁ ଠିକାଦାର ଉଠାଇବାକୁ ଭୁଲି ଯାଇଥିଲେ। ଫଳରେ ଦୈନିକ ଯାନବାହନ ଯାତାୟାତ କରିବା ପରେ ଖୋଳା ଯାଇଥିବା ଗାତ ଧୀରେ ଧୀରେ ରାସ୍ତା ଆଡକୁ ମାଡ଼ି ଆସିବା ସହ ପୁରା ରାସ୍ତା ଖାଲଖମାରେ ପରିପୂର୍ଣ୍ଣ ହୋଇ ପଡିଥିଲା। ଅନ୍ୟପକ୍ଷରେ ପ୍ରତି ମାସରେ ପିଡିଏସ୍ ଚାଉଳ ଦେବା ପାଇଁ ୩ ପଞ୍ଚାୟତକୁ ଭାରି ଯାନ ଯାଉଥିବାରୁ ରାସ୍ତାର ଅବସ୍ଥା ଅଧିକ ଶୋଚନୀୟ ହୋଇ ପଡିଥିଲା। ବର୍ଷା ଦିନରେ ରାସ୍ତାରେ ସୃଷ୍ଟି ହୋଇଥିବା ଖାଲରେ ପାଣି ଜମି ରହିବା ଯୋଗୁ ଯାତ୍ରୀମାନେ ଜାଣିନପାରି ଦୁର୍ଘଟଣାର ଶିକାର ହେଉଥିଲେ।
ରାସ୍ତା ନିର୍ମାଣ ପାଇଁ ନୂତନ ଟେଣ୍ଡର ଆହ୍ବାନ କରାଯାଇଥିବାରୁ ମରାମତି ଦିଗରେ ଗ୍ରାମ୍ୟ ନିର୍ମାଣ ବିଭାଗ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନଥିଲେ। ଦୁର୍ଘଟଣା ବଢ଼ିବା ପରେ ଗୁରୁ ଦିବସରେ ସ୍କୁଲ୍ ଛାତ୍ରଙ୍କ ଦ୍ବାରା ରାସ୍ତାରେ ସୃଷ୍ଟି ହୋଇଥିବା ଖାଲକୁ ପୋତିବା ଦିଗରେ ପଦକ୍ଷେପ ନେଇଥିଲେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ପୂର୍ବତନ ଅଧ୍ୟକ୍ଷ ଜଗନ୍ନାଥ ନୁଣ୍ଡ୍ରୁକା। ଦୁରୁକିଲିମା ଗାଁର ସ୍କୁଲ୍ ଛାତ୍ର ସୁନୀଲ୍, ରାଜେନ୍ଦ୍ର, ନିଖିଲ୍, ରାହୁଲ୍, ଦେବେନ୍ଦ୍ର, ସୁରେଶ, ଅରୁଣ, ପପୁ, ମୁନା ପ୍ରମୁଖଙ୍କୁ ଏକାଠି କରି ଇଟା, ମାଟି, ପଥର, ବାଲି ବୋହି ଆଣି ରାସ୍ତାରେ ପକାଇ ଖାଲଖମାକୁ ସମତୁଲ କରିଥିଲେ। ପବିତ୍ର ଗୁରୁ ଦିବସରେ ଗୁରୁ ଦକ୍ଷିଣା ସ୍ବରୂପ ମଧୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍କୁଲ୍ ଛାତ୍ର କରିଥିବା ମହତ କାମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/RGD_Road-Repair-by-Students-1.jpg)