କାଶୀପୁର ପରେ ବୈପାରିଗୁଡା ବ୍ଲକରେ ବ୍ୟାପିଲା ଝାଡାବାନ୍ତି, ୧ ଶିଶୁ ସମେତ ୫ ଜଣ ଆକ୍ରାନ୍ତ

ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକରେ ଝାଡାବାନ୍ତି ବ୍ୟାପିଛି। ମିଳିଥିବା ସୂଚନା ଅନୁଯାୟୀ, ବୈପାରିଗୁଡା ବ୍ଲକର ବିଭିନ୍ନ ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିବା ସହ ଜଣେ ଶିଶୁ ସମେତ ପାଞ୍ଚ ଜଣ ଆକ୍ରାନ୍ତ ହୋଇଛନ୍ତି। ପୂଜାରୀଗୁଡା ପଞ୍ଚାୟତ ଅନ୍ତର୍ଗତ ଗୁମ୍ମା ଭାଲୁଗୁଡାର ବୁଦ୍ରା ପୂଜାରୀ (୨୭) ଏବଂ ତାଙ୍କ ୪ ବର୍ଷର ପୁଅ ପୀତବାସ ଏବଂ ଏହି ଗ୍ରାମର ଅର୍ଜୁନ ପୂଜାରୀ (୨୫) ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ମାଠପଡା ପଞ୍ଚାୟତ ଅନ୍ତର୍ଗତ ଟିପାଗୁଡା ଗ୍ରାମର ନରସିଂହ ମହୁରିଆ (୪୬) ମଧ୍ୟ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ବାଲିଗାଁ ପଞ୍ଚାୟତର ମାଙ୍କଡବେଡା ଗ୍ରାମର କଲେଜ ଛାତ୍ରୀ କାଜଲ ହରିଜନ (୧୬) ମଧ୍ୟ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।

ସମସ୍ତଙ୍କୁ ବୈପାରିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଡ଼ାକ୍ତରଙ୍କ କହିବା ଅନୁଯାୟୀ ସମସ୍ତ ରୋଗୀର ଝାଡାର ନମୁନା ସହ ପିଇବା ପାଣିର ନମୁନା କୋରାପୁଟ ବଡ଼ ଡ଼ାକ୍ତରଖାନାକୁ ପରୀକ୍ଷା ନିମନ୍ତେ ପଠାଯାଇଛି। ଲଗାଣ ବର୍ଷା ସହ ଝାଡ଼ାବାନ୍ତି ଭଳି ସଂକ୍ରାମକ ରୋଗର ପ୍ରାଦୁର୍ଭାବ ଆରମ୍ଭ ହେବା ନିଶ୍ଚିତ ଭାବେ ଚିନ୍ତାର ବିଷୟ। ଏହା ମହାମାରୀର ରୂପ ନେବା ପୂର୍ବରୁ ପ୍ରତିଷେଧକ ବ୍ୟବସ୍ଥାକୁ ଜୋରଦାର କରାଯିବା ଆବଶ୍ୟକ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର