ନରସିଂହପୁର ଅଞ୍ଚଳରେ ମୋବାଇଲ୍ ନେଟ୍‌ୱର୍କ ସମସ୍ୟା

ପାଠପଢାରୁ ବଂଚିତ ହଜାରେରୁ ଅଧିକ ପିଲା

କଟକ: ସରକାର ସରକାରୀ ଓଡ଼ିଆ ମାଧ୍ୟମ ସ୍କୁଲ ପିଲାଙ୍କ ପାଇଁ ଅନଲାଇନ୍ ପାଠପଢା ଆରମ୍ଭ କରିଛନ୍ତି। କିନ୍ତୁ ନରସିଂହପୁର ବ୍ଲକ୍‌ର ହଜାରେରୁ ଅଧିକ ପିଲାଙ୍କ ପାଇଁ ଅନଲାଇନ ପାଠପଢା ସାତ ସପନ ପାଲଟିଛି। ଅଧିକାଂଶ ପିଲାଙ୍କର ତ ମୋବାଇଲ ଫୋନ ନାହିଁ, ଯାହାର ବି ଅଛି ସେମାନଙ୍କ ପାଇଁ ସମସ୍ୟା ସାଜିଛି ନେଟ୍‌ୱର୍କ। ଯେଉଁ ସ୍ଥାନରେ ନେଟୱର୍କ ଆସୁଛି, ସେଠି ହାତୀ ଓ ବନ୍ୟଜନ୍ତୁ ଭୟ। ଫଳରେ ଦେଢ ବର୍ଷ ହେଲା ଏହି ଅଞ୍ଚଳର ପିଲା ବସ୍ତାନିରେ ଡୋରି ବାନ୍ଧି ବସିଛନ୍ତି। କଟକ ଜିଲ୍ଲାର ନରସିଂହପୁର ବ୍ଲକ୍‌ର ପ୍ରାୟ ୭୦ ଗାଁରେ ରହିଛି ନେଟ୍‌ୱାର୍କ ସମସ୍ୟା। ଦେବଭୂଇଁ, ରେଗଡା ତଥା ଅନ୍ୟ ପଂଚାୟତରେ ଏଭଳି ସମସ୍ୟା ଲାଗି ରହିଛି। ନରସିଂହପୁର ବ୍ଲକ୍‌ରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୧୮,୨୪୮ ପିଲାଙ୍କ ମଧ୍ୟରୁ ୧୨,୬୧୮ ପିଲାଙ୍କ ହାତରେ ‌ସ୍ମାର୍ଟ ଫୋନ ନାହିଁ। ବାକି ୫୬୩୦ ପିଲା ସ୍ମାର୍ଟ ଫୋନ ବ୍ୟବହାର କରୁଛନ୍ତି। କିନ୍ତୁ ଦେବଭୂଇଁ ପଞ୍ଚାୟତର ପାଖାପାଖି ୫ଟି ଗାଁରେ ନେଟ୍‌ୱର୍କ ସମସ୍ୟା ରହିଛି। ନେଟ୍‌ୱର୍କ ପାଇଁ ଗାଁରୁ ୧୦ରୁ ୧୫ କିଲେମିଟର ଦୂରକୁ ଯିବାକୁ ପଡୁଛି। ଦେବଭୂଇଁର ମଗରମୁହଁ ବିଦ୍ୟାପୀଠରେ ନବମ ଓ ଦଶମରେ ୮୪ ପିଲା ପାଠ ପଢନ୍ତି। କିନ୍ତୁ ସେମାନଙ୍କ ମଧ୍ୟରୁ ମାତ୍ର ୪ଜଣ ପିଲା ନିଜ ସଂପର୍କୀୟଙ୍କ ଘରେ ରହି ପାଠ ପଢି ପାରୁଛନ୍ତି।

ଦେବଭୂଇଁ ପଞ୍ଚାୟତରେ ପାଖାପାଖି ୭ ଶହ ପିଲା ସରକାରଙ୍କ ୟୁଟ୍ୟୁବ୍‌ ପାଠପଢାରୁ ବଂଚିତ। ରେଗେଡାରେ ବି ସମାନ ସମସ୍ୟା। ସତ୍ୟଜୟପୁର, ନୂଆଗାଁ, କଇଁଚିରା, ରାଣୀଭୂଇଁ, ଶିଶୁପଥର, ଜାନିସାହି ସମେତ ଅନେକ ଗାଁରେ ନେଟ୍‌ୱର୍କ ନାହିଁ। ନରସିଂହପୁର ଓ ବଡ଼ମ୍ବା ବ୍ଲକ୍‌ରେ ଏମିତି ଅନେକ ଗାଁରେ ସମସ୍ୟା ରହିଛି। ସେମାନଙ୍କ ପାଇଁ ସରକାର ତୁରନ୍ତ ବିକଳ୍ପ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ବିଜେପି ଯୁବନେତା ତ୍ରିପୁରା ଦେହୁରୀ। ତୁରନ୍ତ ନରସିଂହପୁରର ପାହାଡ଼ିଆ ଅଞ୍ଚଳ ତଥା ନେଟ୍‌ୱର୍କ ନଥିବା ଅଞ୍ଚଳରେ ଟାୱାର ବସାଇବା ପାଇଁ ସେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର