ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନା ଘଣ୍ଟବାହାଲି ଗାଁରେ ଶନିବାର ଏକ କାର୍ ଭିତରୁ ବେଦବ୍ୟାସ ଜାନୀ (୮ବର୍ଷ) ନାମକ ଜଣେ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି। ତାକୁ ହତ୍ୟା କରାଯାଇଥିବା ସନ୍ଦେହ ପ୍ରକାଶ ପାଉଛି।
ସୂଚନା ଅନୁସାରେ, ଘଣ୍ଟବାହାଲି ଗାଁ ମାଝିପଡ଼ା ନିବାସୀ ଭୈରବ ଜାନୀଙ୍କ ପୁଅ ବେଦବ୍ୟାସର ମୃତଦେହ ଶନିବାର ଘର ନିକଟରେ ଥିବା ଏକ ମାରୁତି ଅଲ୍ଟୋ କାର୍ (ଓଆର୍ ୦୩ ସି ୭୯୪୬)ରୁ ମିଳିଥିଲା। ଖବର ପାଇ ଟିଟିଲାଗଡ଼ ଥାନାଧିକାରୀ ରଞ୍ଜନ ବରିହା ଓ ଯୋଗ ଦେବାକୁ ଆସିଥିବା ନୂଆ ଥାନାଧିକାରୀ ମନୋଜ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ କରିଥିଲେ। ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ହତ୍ୟା କରାଯାଇଥିବା ଅଞ୍ଚଳରେ ସନ୍ଦେହ କରାଯାଉଛି। ଅପରପକ୍ଷରେ ପ୍ରବଳ ଗରମ ଯୋଗୁଁ ସେ ଗାଡ଼ି ଭିତରେ ଶ୍ୱାସରୁଦ୍ଧ ହୋଇ ପ୍ରାଣହରାଇଥିବା ମଧ୍ୟ କହାଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।