ଅସ୍ବାଭାବିକ ଭାବେ ବଢୁଛି ଶିଶୁପୁତ୍ରର ମୁଣ୍ଡ, ଚିକିତ୍ସା ପାଇଁ ସାଜିଛି ଅର୍ଥ ବାଧକ 

ଡାବୁଗାଁ : ପ୍ରଥମ ଶିଶୁ ଜନ୍ମ ନେବା ପାଇଁ ଏକ ଗରିବ ନବ ବିବାହିତ ଦମ୍ପତିଙ୍କୁ ଦୀର୍ଘ ୬ ବର୍ଷ ଅପେକ୍ଷା କରିବାକୁ ପଡିଲା । ଶିଶୁ ଟିଏ ଜନ୍ମଲାଭ ପାଇଁ ବିଭିନ୍ନ ଦେବାଦେବୀ ଙ୍କ ପୀଠରେ କେତେ ଯେ ମାନସିକ କରିଥିଲେ ଉକ୍ତ ଦମ୍ପତି । ଗୁହାରି ଶୁଣିଥିଲେ ଭଗବାନ । ବିବାହର ଦୀର୍ଘ ୬ ବର୍ଷ ପରେ ଏହି ପରିବାର ରେ ଶିଶୁ ପୁତ୍ର ଟିଏ ଜନ୍ମଲାଭ କଲା । ପୁତ୍ର ସନ୍ତାନ ପାଇ ନବ ଦମ୍ପତିଙ୍କ ପାଦ ତଳେ ପଡୁ ନ ଥିବା ବେଳେ ବର୍ତମାନ ଶିଶୁ ପୁତ୍ରର ମୁଣ୍ଡ ଅସ୍ବାଭାବିକ ଭାବେ ବୃଦ୍ଧି ଘଟିବା ଗରିବ ଦମ୍ପତିଙ୍କୁ ଚିନ୍ତାରେ ପକାଇବା ସହ ଶିଶୁ ପୁତ୍ରକୁ କିପରି ଚିକିତ୍ସା କରିବେ ସେ ନେଇ ଚିନ୍ତିତ ଅଛନ୍ତି । ଡାବୁଗାଁ ବ୍ଲକ ଅନ୍ତର୍ଗତ ହଳଦୀ ଗ୍ରାମର ଖଗେଶ୍ବର ମାଳି (୨୮) କଳାହାଣ୍ଡିର ଦମୟନ୍ତୀ (୨୫) ଙ୍କୁ ୬ ବର୍ଷ ପୂର୍ବେ ବିବାହ କରିଥିଲେ । ଖଗେଶ୍ବର ଏକ ଗରିବ ପରିବାର ରୁ ଆସିଥିବା ବେଳେ ଘର ଘର ବୁଲି ମୁଢ଼ି ବିକ୍ରୟ କରିଥାଏ . ସେଥିରୁ ଯାହା ମିଳେ ଦୁଃଖ କଷ୍ଟରେ ପରିବାର ଚଳି ଥାଏ । ବିବାହର ୬ବର୍ଷ ପର୍ଯ୍ୟନ୍ତ ଏହି ଦମ୍ପତି ଙ୍କୁ କୌଣସି ପୁତ୍ର ସନ୍ତାନ ହୋଇ ନ ଥିଲା । ଏ ନେଇ ସଦା ସର୍ବଦା ଖଗେଶ୍ବର ଚିନ୍ତିତ ଥିଲେ । ତେବେ ଗତ ମଇ ମାସ ୨୪ ତାରିଖରେ ଦମୟନ୍ତୀ ଙ୍କ ଗର୍ଭରୁ ଏକ ପୁତ୍ର ସନ୍ତାନ ଜନ୍ମ ଲାଭ କରିଥିଲା । ପୁତ୍ର ସନ୍ତାନ ଜନ୍ମ ପରେ ଘର ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଥିଲା । ଅପରେସନ ହୋଇ ଜନ୍ମ ଗ୍ରହଣ କରିଥିବା ଏହି ଶିଶୁ ପୁତ୍ର ର ମୁଣ୍ଡ ବଡ଼ ଥିଲା । ଏବଂ ଧୀରେ ଧୀରେ ମୁଣ୍ଡ ଟି ବୃଦ୍ଧି ପାଉଛି । ନବରଙ୍ଗପୁର ଏକ ବେସରକାରୀ ଡାକ୍ତରଖାନାରେ ଜନ୍ମ ଲାଭ କରିବା ପରେ ନବ ଜାତ ଶିଶୁ ପୁତ୍ର କୁ ୪ ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର (ଆଇସିୟୁ) ରେ ରଖା ଯାଇଥିଲା । ତେବେ ସ୍ବାସ୍ଥ୍ୟ ଅବସ୍ଥା ନ ସୁଧୁରିବା ଫଳରେ କୋରାପୁଟ ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ଶିଶୁ ପୁତ୍ର କୁ ଗୋଟିଏ ଦିନ ରଖିବା ପରେ କଟକ ବଡ଼ ଡ଼ାକ୍ତରଖାନାକୁ ମୁଣ୍ଡର ଅପରେସନ କରିବାକୁ ଡାକ୍ତର ଏହି ଦମ୍ପତିଙ୍କୁ ପରାମର୍ଶ ଦେଇଥିଲେ । ତେବେ ମୁଢ଼ି ବିକ୍ରି କରି ପରିବାର ପୋଷଣ କରୁଥିବା ଖଗେଶ୍ବର ମାଳି ପାଖରେ ଆର୍ଥିକ ସମ୍ବଳ ନ ଥିବାରୁ ସେ ବାଧ୍ୟ ହୋଇ ଶିଶୁ ପୁତ୍ର କୁ ନିଜ ଘର ହଳଦୀ ରେ ଆଣି ରଖିଛି । ମୃତ୍ୟୁ ସହ ସଂଗ୍ରାମ କରୁଥିବା ଏହି ନବଜାତ ଶିଶୁପୁତ୍ର କୁ ବଞ୍ଚାଇବା ପାଇଁ ଚାହୁଁ ଥିବା ଏହି ଗରିବ ଦମ୍ପତି ଙ୍କୁ ପ୍ରଶାସନ ତରଫରୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର