ଚିଲିକା: ନିକଟରେ ବାତ୍ୟା ଗୁଲାବ ଓଡିଶା ଆସୁ ଆସୁ ବାଟ ଭାଙ୍ଗି ଅନ୍ୟତ୍ର ଲ୍ୟାଣ୍ଡଫଲ କରିଥିଲା। ହେଲେ ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଓ ପବନ ହୋଇଥିବାରୁ ଚିଲିକା ଜଳ ଫୁଲି କ୍ରମେ ଜୁଆରିଆ ହୋଇଥିଲା। ଚିଲିକା ସଂଲଗ୍ନ ଅବିଭକ୍ତ ପୁରୀ ଜିଲ୍ଲାର ବିଭିନ୍ନ ନଦୀ ଯଥା ଲୁଣା, ମକରା, ରାଜୁଆ, ଦୟା, ଭାର୍ଗବୀ,ମଲାଗୁଣୀ, କଂସାରୀ ଆଦିରେ ପ୍ରବଳ ମାତ୍ରାରେ ବୃଦ୍ଧିପାଇ ରହିଥିବା ଜଳଜ ଉଦ୍ଭିଦ ଯଥା କଲିକତି ଦଳ,ରାଜ ଦଳ ପବନ ଜୁଆରରେ ଚିଲିକା ଜଳର ବକ୍ଷକୁ ଭାସି ଆସିଥିଲା। ଏହା ଏବେ ଚିଲିକା ଉପକୂଳ ସଂଲଗ୍ନ ବିଭିନ୍ନ ପଞ୍ଚାୟତ ଯଥା ବଉଳାବନ୍ଧ,ନଇରୀ, କୁମାଣ୍ଡୋଳ, ହାଟବରଡିହ, ସୋରଣ, ମାନସିହପୁର, ଜରିପଡାର ବିଭିନ୍ନ ପେଣ୍ଠ ଓ ଗ୍ରାମ ସଂଲଗ୍ନ ଚିଲିକା ଜଳରାଶିରେ ଖେଳାଇ ହୋଇଯାଇ ବିସ୍ତିର୍ଣ୍ଣ ଭାବେ ଜମାହୋଇଯାଇଛି।
ସବୁଠାରୁ ଅଧିକ ପରିମାଣରେ ଏପରିକି ୫ରୁ ୧୦ କିମି ଯାଏଁ ଚିଲିକା ଉପକୂଳଠାରୁ ପ୍ରାୟ ଚିଲିକା ବକ୍ଷ ଦେଶରେ ମାଡିଯାଇ ଚିଲିକା ଜଳରେ ଡଙ୍ଗା ନେଇ ଯାତାୟତକୁ ଅବରୋଧ କରିପକାଇଛି। ପରିସ୍ଥିତି ଏପରି ହୋଇଛି ଯେ ମତ୍ସ୍ୟଜୀବୀମାନେ ଏହି ଦଳ ଆବଦ୍ଧ ଚିଲିକା ଜଳରେ କାତ ମାରି ଡଙ୍ଗା ନେଇ ଯାତାୟତ ମଧ୍ୟ କରିପାରୁ ନାହାଁନ୍ତି। ମୋଟର ଡଙ୍ଗାର ଫ୍ୟାନରେ ଚିଲିକାର ଏହି ଦଳ ଲାଗି ଆଗକୁ ଯାଇପାରୁନାହିଁ। ଫଳରେ ଚିଲିକାରେ ମାଛମାରି ଜୀବିକା ନିର୍ବାହ ଏବେ ଠପ୍ ହୋଇ ପଡିଛି। ଚିଲିକାକୁ ନିତି ଡଙ୍ଗା ଧରି ଗଲେ ମାଛ ମାରି ଚଳୁଥିବା ଉପରୋକ୍ତ ୭ଟି ପଞ୍ଚାୟତର ଲକ୍ଷାଧିକ ମତ୍ସ୍ୟଜୀବୀ ଏହି ଦଳ ଆବଦ୍ଧ ଚିଲିକାକୁ ଯାଇ ନପାରି ଘରେ ବସି ରହିଛନ୍ତି। ଶହ ଶହ ଡଙ୍ଗା ଏବେ ପେଣ୍ଠ ଓ ଚିଲିକା ଉପକୂଳରେ ପଡିରହିଛି। ପୁରୁଣା ଲୋକେ କୁହନ୍ତି ,ପୂର୍ବରୁ ମହାବାତ୍ୟା, ଫାଇଲିନ,ଫନି, ହୁଡହୁଡ ଆଦି ଅନେକ ବାତ୍ୟା ଆସିଥିଲେ ମଧ୍ୟ ସ୍ଥାନୀୟ ଅଂଚଳକୁ ବର୍ଷା ପବନ ମାଡରେ ବନ୍ୟା ହୋଇ ଜନସାଧାରଣଙ୍କୁ ସ୍ଥଳ ଭାଗରେ ଜଳ ଆବଦ୍ଧ କରିଥିଲା। ହେଲେ ନିକଟରେ ଫଣା ଟେକି ଚୁପ ପଡିଥିବା ବାତ୍ୟା ଗୁଲାବ ପ୍ରଭାବରେ ଚିଲିକା ଜଳରେ ଏପରି ବିସ୍ତିର୍ଣ୍ଣ ଚିଲିକାଂଚଳ ବ୍ୟାପୀ ବହୁଳ ପରିମାଣରେ କଲିକତି ଦଳ, ରାଜ ଦଳ, ଚିଲିକା ଘାସ ଭାସି ଆସି ଚିଲିକା ବାଟ ବନ୍ଦ କରି ରଖିବା ଆଶ୍ଚର୍ଯ୍ୟ ଲାଗୁଛି।
ଏହାକୁ ରାଜ୍ୟ ସରକାର ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ମିଳିତ ଉଦ୍ୟମରେ ଯୁଦ୍ଧକାଳୀନ ଭିତ୍ତିରେ ଏସ୍କାଭେଟର ଲଗାଇ ଚିଲିକା ଉପକୂଳ ଓ ଚିଲିକା ବକ୍ଷକୁ ସଫା କରାଗଲେ ସ୍ଥାନୀୟ ମତ୍ସ୍ୟଜୀବୀ ବହୁଳ ୭ଟି ପଞ୍ଚାୟତବାସୀ ଉପକୃତ ହୋଇ ନିଜର ପୂର୍ବବତ୍ ଜୀବନଜୀବିକା ନିର୍ବାହ କରିପାରନ୍ତେ। ସୂଚନାରୁ ପ୍ରକାଶ ଆଜି ଏହି କାରଣ ପାଇଁ ବଉଳାବନ୍ଧ ଗ୍ରାମର ଚିଲିକା ପେଣ୍ଠରେ ଚିଲିକାକୁ ଯାଇପାରୁନଥିବା ମତ୍ସ୍ୟଜୀବୀ ଗୋଷ୍ଠୀ ଏକଜୁଟ ହୋଇଥିଲେ। କ୍ରମେ ଉତ୍ତେଜନା ବୃଦ୍ଧିପାଇବାରୁ ଖବର ପାଇ ବଉଳାବନ୍ଧ ସରପଞ୍ଚ ଦେବାଶୀଷ ରଥ ପରିସ୍ଥିତି ସମ୍ଭାଳିବାକୁ ସବୁ ପ୍ରଶାସନକୁ ଜଣାଇ ପଦକ୍ଷେପ ନେବେ ବୋଲି ସମ୍ମିଳିତ ମତ୍ସ୍ୟଜୀବୀଙ୍କ ଠାରୁ ଦାବିପତ୍ର ଗ୍ରହଣ କରି ଆଶ୍ବାସନା ଦେଇଥିଲେ। ଏହିପରି ଘଟଣା ଏକା ବଉଳାବନ୍ଧ ପଞ୍ଚାୟତର ନୁହେଁ, ଉପରୋକ୍ତ ୭ଟି ପଞ୍ଚାୟତରେ ଚିଲିକା ସଂଲଗ୍ନ ବିଭିନ୍ନ ଗ୍ରାମର ଚିଲିକା ଉପକୂଳରୁ ଡଂଗା ନେଇ ଦଳ ଆବଦ୍ଧ ଚିଲିକା ବକ୍ଷକୁ ଯିବା ଅସମ୍ଭବ ହୋଇପଡିଛି। ଏଣୁ ରୋଜଗାର ଶୁନ୍ୟ ମତ୍ସ୍ୟଜୀବୀଙ୍କୁ ସରକାରୀ ସହାୟତା ସହ ଚିଲିକା ମଧ୍ୟକୁ ଡଙ୍ଗା ନେଇ ପୂର୍ବବତ୍ ପ୍ରବେଶ ପାଇଁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଦାବି ହେଉଛି।