ଥଣ୍ଡାକାକରରେ ପଡ଼ିଥିଲେ ଅସହାୟ ମହିଳା, ଡାକ୍ତରଖାନାରେ ଭର୍ତ୍ତି କରାଇଲେ ସମାଜସେବୀ

ଜୟପୁର: ସ୍ଥାନୀୟ ହାତୀଶାଳ ଅଞ୍ଚଳରେ ଥଣ୍ଡାକାକାରରେ ଅଚେତ ଅବସ୍ଥାରେ ପଡ଼ି ରହିଥିବା ଜଣେ ଅସହାୟ ମହିଳାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି ସମାଜସେବୀ ଚିନ୍ମୟୀ ସାହୁ। ବର୍ତ୍ତମାନ ମହିଳା ଜଣକ ଚିକିତ୍ସାଧୀନ ରହିଛନ୍ତି। ମିଳିଥିବା ସୂଚନା ମୁତାବକ, ଅଚେତ ଅବସ୍ଥାରେ ହାତୀଶାଳ ନିକଟରେ ରାସ୍ତା ପାର୍ଶ୍ବରେ ପଡ଼ି ରହିଥିବା ଦେଖିବାକୁ ମିଳିଥିଲା। ଏହି ରାସ୍ତା ଦେଇ ମର୍ଣ୍ଣିଂୱାକ୍ କରୁଥିବା ଲୋକଙ୍କ ନଜର ଉକ୍ତ ମହିଳାଙ୍କ ଉପରେ ପଡ଼ିଥିଲେ ହେଁ କେହି ମଧ୍ୟ ତାଙ୍କୁ ଉଦ୍ଧାର କରିବା ପାଇଁ ମାନବିକତା ଦେଖାଇ ନଥିଲେ।

ତେବେ ଏଠାକୁ ମର୍ଣ୍ଣିଂୱାକ୍ କରିବାକୁ ଆସିଥିବା ନୂଆସାହି ଅଞ୍ଚଳର ସମାଜସେବୀ ଚିନ୍ମୟୀ ସାହୁ ମହିଳାଙ୍କର ଏଭଳି ଅବସ୍ଥା ଦେଖି ତାଙ୍କ ନିକଟକୁ ଯାଇ ଉଠାଇବାକୁ ଚେଷ୍ଟା କରିଥିଲେ। ତେବେ ସେ ଅଚେତ ଥିବା ଏବଂ ତାଙ୍କ ହାତଗୋଡ଼ ଆଦି ଥଣ୍ଡାରେ କାଠ ଭଳି ହୋଇଥିବା ଦେଖି ଥିଲେ। ସେ ତୁରନ୍ତ କମ୍ବଳ ଓ ପାଣି ଆଦି ଆଣି ଉଠାଇବାକୁ ଚେଷ୍ଟା କରିଥିଲେ। ଏହା ସହ ୧୦୮ ଆମ୍ବୁଲାନସକୁ ଡାକି ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ।

Sambad

ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଏବେ ଉକ୍ତ ମହିଳା ଜଣକ ଚିକିତ୍ସାଧୀନ ରହିଛି। ଯଦିଓ ମହିଳାଙ୍କ ଚେତା ଫେରିଥିଲେ ହେଁ ସେ ଓଡିଆ ଜାଣି ନଥିବା ବେଳେ ଖଣ୍ଡି ହିନ୍ଦୀ ଓ ତେଲୁଗୁରେ କଥା ହେଉଥିଲେ। ତେବେ ତାଙ୍କ ପରିଚୟ କିମ୍ବା ଠିକଣା ଠିକରେ କହି ପାରୁ ନଥିଲେ। ଗତ କିଛିଦିନ ହେବ ଏହି ମହିଳା ଜଣକ ଅସହାୟ ଅବସ୍ଥାରେ ସହରରେ ବୁଲୁଥିବା କିଛି ଲୋକେ କହିଛନ୍ତି। ରାଜ୍ୟସରକାର ଏଭଳି ଅସହାୟ, ନିରାଶ୍ରୟ ମାନଙ୍କ ପାଇଁ ଆଶ୍ରୟ ଖୋଲିଥିବା ବେଳେ କିଭଳି ଓ କେଉଁ ପରିସ୍ଥିତିରେ ପୌର ପ୍ରଶାସନର ଦୃଷ୍ଟି ଗୋଚର ହୋଇ ପାରିଲା ନାହିଁ ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଅନ୍ୟପକ୍ଷରେ ସରକାରୀ କଳକୁ ଅପେକ୍ଷା ନ କରି ଜଣକର ଜୀବନ ବଞ୍ଚାଇବା ପାଇଁ ଚିନ୍ମୟୀ କରିଥିବା ବଦାନ୍ୟତା ଓ ମାନବିକତାକୁ ସାଧାରଣରେ ପ୍ରଶାଂସା କରାଯାଇଛି।

ସମ୍ବନ୍ଧିତ ଖବର