ରାୟଗଡା: ଗଣତନ୍ତ୍ରରେ ସାମ୍ବାଦିକଙ୍କ ଭୂମିକା ହେଉଛି ଜାଗ୍ରତ ପ୍ରହରୀ। ଲୋକପ୍ରତିନିଧୀଙ୍କୁ ନିଜ ଦାୟିତ୍ୱ ମନେ ପକାନ୍ତି ସାମ୍ବାଦିକ ବୋଲି ଆଜି ସୁରେଶ ସମ୍ମାନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ବିଶିଷ୍ଟ ଶିକ୍ଷାବିତ ଡଃ.ଦୁଷ୍ମନ୍ତକୁମାର ମହାନ୍ତି ମତବ୍ୟକ୍ତି କରିଛନ୍ତି। ଆଜି ସହର ଉପଖଣ୍ଡ ପିତାମହଲ ସ୍ଥିତ ସେଂଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପରିସରରେ ସୁରେଶ ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଲିଲିପୁଟ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ସ୍ନେହା ପାଢୀ, ସେଞ୍ଚୁରିଅନ ବିଶ୍ୱ ବିଦ୍ୟାଳୟ ନିର୍ଦ୍ଦେଶକ ଡ଼ଃ. ରାଜେଶ ପାଢୀ, ଗୋପିନାଥ ପାଢୀ ଓ ସତ୍ୟବାଦୀ ପତି ପ୍ରମୁଖ କାର୍ଯ୍ୟକ୍ରମରେ ମଞ୍ଚାସୀନ ଥିଲେ।
କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଶ୍ରୀ ମହାନ୍ତି ସ୍ୱର୍ଗତ ସାମ୍ବାଦିକ ସୁରେଶ ପାଢୀଙ୍କ ସ୍ମୃତିଚାରଣ କରିବା ସହ ଦିବଙ୍ଗତ ସାମ୍ବାଦିକ ସୁରେଶଙ୍କ ପିଲା ବେଳ ଶିକ୍ଷାଦାନ ସମୟ ସମ୍ପର୍କରେ ମନେ ପକାଇ ତାଙ୍କ ବ୍ୟକ୍ତିତ୍ୱକୁ ନେଇ ସଭାରେ ମନେ ପକାଇଥିଲେ। ଏଥିସହ ସେ କହିଛନ୍ତି ଯେ, ସୁରେଶ ନିର୍ଭୀକ, ନିଷ୍ଠାପର ଓ ସମର୍ପିତ ଭାବେ ସାମ୍ବାଦିକ ପେଶାରେ ସମାଜରେ ଏକ ଉନ୍ନତ ଉଦାହରଣ ସୃଷ୍ଟି କରିଥିଲେ। ସାମ୍ପ୍ରତିକ ସ୍ଥିତିରେ ଖବର କାଗଜ ବ୍ୟବସାୟୀକ ସଂସ୍ଥା ଭଳି କାର୍ଯ୍ୟ କରୁଥିବାବେଳେ ମାଲିକଙ୍କ ପାଇଁ କାମ ନକରି ଲୋକଙ୍କ ପାଇଁ ସୁରେଶ କାର୍ଯ୍ୟ କରି ଜିଲ୍ଲାରେ ସୁନାମ ହାସଲ କରିଥିବା ଶିକ୍ଷାବିତ ଡ଼ଃ. ମହାନ୍ତି ମତବ୍ୟକ୍ତ କରିଛନ୍ତି। ଅନୁରୂପ ସେଞ୍ଚୁରିଅନ ବିଶ୍ୱ ବିଦ୍ୟାଳୟ ନିର୍ଦ୍ଦେଶକ ତଥା ଦିବଙ୍ଗତ ସାମ୍ବାଦିକଙ୍କ ବଡ଼ଭାଇ ଡ଼ଃ.ପାଢ଼ୀ ସଭାରେ ସ୍ୱର୍ଗତ ସୁରେଶଙ୍କ କାର୍ଯ୍ୟଶୈଳୀ ଗୁଡ଼ିକୁ ମନେପକାଇ ଭାବପ୍ରବଣ ହୋଇଥିଲେ।
ତେବେ ଚଳିତ ବର୍ଷ ରାୟଗଡା ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ଦୈନିକ ତେଲୁଗୁ ଲୋକପ୍ରିୟ ଖବରକାଗଜରେ କାର୍ଯ୍ୟରତ ଚିପୁରୁପଲ୍ଲୀ ଶ୍ରୀନିବାସ ରାଓଙ୍କୁ ସୁରେଶ ସମ୍ମାନରେ ସମ୍ମାନିତ କରାଯାଇଛି।ଶ୍ରୀ ରାଓ ସାମ୍ବାଦିକତା ପେଶା ଆପଣାଇ ସାଧାରଣ ଲୋକଙ୍କ ସ୍ୱରକୁ ନିଜ ଲେଖନୀ ମାଧ୍ୟମରେ ଶାଣିତ କରି ନିଚ୍ଛେକତା ସହିତ ସମାଜ କଲ୍ୟାଣଧର୍ମୀ ଖବର ପରିବେଷଣ କରି ସେ ବୃତ୍ତିଗତ କ୍ଷେତ୍ରରେ ଉଲ୍ଲେଖନୀୟ କାମ କରିଥିବାରୁ ତାଙ୍କୁ ଆଜି ଏହି ସମ୍ମାନ ପ୍ରଦାନ କରାଯାଇଥିବା ସୁରେଶ ମେମୋରିଆଲ ଟ୍ରଷ୍ଟ ତରଫରୁ ସୂଚନା ଦିଆଯାଇଛି। ଶ୍ରୀ ରାଓଙ୍କୁ ଉପଢୋକଣ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହିତ ମାନପତ୍ର ଓ ଆର୍ଥୀକ ପୁରଷ୍କାର ରାଶି ୫ହଜାର ଟଙ୍କା ମଞ୍ଚାସୀନ ଅଥିଥୀଙ୍କ ଦ୍ୱାରା ପ୍ରଦାନ କରାଯାଇଛି।
ଦିବଙ୍ଗତ ସୁରେଶ ପାଢୀ ସାଲିସ ବିହୀନ ସାମ୍ବାଦିକତା ଓ ସମାଜସେବା କ୍ଷେତ୍ରରେ ସମଗ୍ର ଜିଲ୍ଲାରେ ପରିଚିତ ବ୍ୟକ୍ତିତ୍ୱ ଥିଲେ।ତାଙ୍କର ନିରେପକ୍ଷ ଓ ସ୍ପଷ୍ଟବାଦୀ ଆଚାରଣ ଓ ନିଚ୍ଛେକ ଲେଖନୀ ଯୋଗୁଁ ସେ ଦୈନିକ ଖବର କାଗଜ ସମାଜରେ ଖବର ପରିବେଷଣ କରି ଜନାଦୃତ ହୋଇଥିଲେ। ତାଙ୍କର ତିରୋଧନ ସ୍ମୃତିରେ ସୁରେଶ ମେମୋରିଆଲ ଟ୍ରଷ୍ଟ ତରଫରୁ ଜିଲ୍ଲାରେ ସମ୍ବାଦିକତା ବୃତ୍ତିରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତିଙ୍କୁ ପ୍ରତିବର୍ଷ ସମ୍ମାନିତ କରାଯାଉଛି। ବିଗତ ୨୦୧୯ ମସିହାରେ ବରିଷ୍ଠ ସାମ୍ବାଦିକ ଗୋପାଳ ଅଧିକାରୀ, ୨୦୨୦ରେ ବରିଷ୍ଠ ସାମ୍ବାଦିକ ସୀମାଞ୍ଚଳ ସାହୁ, ୨୦୨୧ରେ ବରିଷ୍ଠ ସ୍ୱାମ୍ବାଦିକ ବି.ନାଗରାଜୁ ଓ ୨୦୨୩ରେ ସାମ୍ବାଦିକ କେକେ ଜେନାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ସ୍ୱର୍ଗତ ପାଢୀଙ୍କ ମା‘ ହରପ୍ରିୟା ପାଢୀ, ଉଷାରାଣୀ ମିଶ୍ର, ଇନ୍ଦ୍ରା ପାଢୀ, ଗୌରାଙ୍ଗ ବେଵର୍ତାଙ୍କ ସମେତ ପରିବାରର ସମସ୍ତ ସଦସ୍ୟ ବନ୍ଧୁବର୍ଗ ଉପସ୍ଥିତ ଥିଲେ।