ଫେରୁଛି ଚିଟଫଣ୍ଡ କ୍ଷୁଦ୍ରଜମାକାରୀଙ୍କ ଟଙ୍କା

ଠକେଇର ଶିକାର ୬୭୪ ଜମାକାରୀ ପାଇଲେଣି ୩୪ ଲକ୍ଷ, କମିଶନଙ୍କ ନିର୍ଦେଶରେ ଅର୍ଥ ବିଭାଗରୁ ଆସିଛି ୫୦ ଲକ୍ଷ

ରାୟଗଡ଼ା : ଫେରୁଛି ଚିଟଫଣ୍ଡ କ୍ଷୁଦ୍ର ଜମାକାରୀଙ୍କ ଟଙ୍କା। ୧୦ ହଜାରରୁ କମ ଅର୍ଥ ଡିପୋଜିଟ୍ କରିଥିବା ଜମାକାରୀଙ୍କୁ ଅଗ୍ରାଧିକାର ଭିତ୍ତିରେ କମିଶନଙ୍କ ନିର୍ଦେଶରେ ଫେରାଯାଉଛି ଟଙ୍କା। ତହସିଲ ସ୍ତରରେ ଜିଲ୍ଲାର ୬୭୪ ହିତାଧିକାରୀ ଇତି ମଧ୍ୟରେ ୩୪ ଲକ୍ଷ ୧୮ ହଜାର ୩୬୫ ଟଙ୍କା ଫେରି ପାଇଛନ୍ତି। ଚିହ୍ନଟ ଅନ୍ୟ ୩୦୯ ଜମାକାରୀଙ୍କୁ ଖୁବ୍ ଶୀଘ୍ର ସେମାନଙ୍କ ସଞ୍ଚିତ ଟଙ୍କା ଫେରାଯିବା ନେଇ ପ୍ରୟାସ ଜାରି ରହିଛି।

ରୋଜଭ୍ୟାଲି ଚିଟଫଣ୍ଡ୍ ସଂସ୍ଥା ଦ୍ବାରା ଠକେଇର ଶିକାର ଜମାକାରୀଙ୍କ ମଧ୍ୟରୁ ୫୭୩ କ୍ଷୁଦ୍ର ଜମାକାରୀ କମିଶନଙ୍କ ତଦନ୍ତ ପରେ ଟଙ୍କା ଫେରି ପାଇବାକୁ ଚିହ୍ନଟ ହୋଇଛନ୍ତି। ଟଙ୍କା ଫେରସ୍ତ ପାଇଁ ଅର୍ଥ ବିଭାଗ ୨୨ ଲକ୍ଷ ୪୫ ହଜାର ୪୨୫ ଟଙ୍କା ଅନୁମୋଦନ କରିଛି। ଆଜି ସୁଦ୍ଧା କୋଲନରା, କାଶୀପୁର, କଲ୍ୟାଣସିଂହପୁର, ବିଷମକଟକ, ଗୁଣପୁର, ପଦ୍ମପୁର, ରାୟଗଡ଼ା, ଗୁଡ଼ାରି, ଚନ୍ଦ୍ରପୁର ତହସିଲର ୪୨୧ ଜମାକାରୀଙ୍କୁ ୧୬ ଲକ୍ଷ ୬୨ ହଜାର ୭୭୭ ଟଙ୍କା ଫେରସ୍ତ କରାଯାଇଛି। ସେହିପରି ବିଭିନ୍ନ ଚିଟଫଣ୍ଡ କଂପାନି ଦ୍ବାରା ଠକେଇର ଶିକାର ୩୦୦ କ୍ଷୁଦ୍ର ଜମାକାରୀଙ୍କ ପାଇଁ ଅର୍ଥ ବିଭାଗ ୨୦ ଲକ୍ଷ ୭୭ ହଜାର ୨୨୯ ଟଙ୍କା ଅନୁମୋଦନ କରିଛି। ସେଥି ମଧ୍ୟରୁ ଚନ୍ଦ୍ରପୁରକୁ ଛାଡ଼ି ଅନ୍ୟ ୧୦ ତହସିଲର ୧୯୪ ଜମାକାରୀଙ୍କୁ ୧୩ ଲକ୍ଷ ୮୩ ହଜାର ୧୩୨ ଟଙ୍କା ଫେରସ୍ତ କରାଯାଇଛି। ସେହିପରି ଚିହ୍ନଟ ଅନ୍ୟ ୧୧୦ ଜମାକାରୀଙ୍କ ଲାଗି ୬ ଲକ୍ଷ ୫୩ ହଜାର ୧୭୪ ଟଙ୍କା ଅନୁମୋଦିତ ହୋଇଥିବା ବେଳେ ଆଜି ସୁଦ୍ଧା ୫୯ ଜମାକାରୀଙ୍କୁ ୩ ଲକ୍ଷ ୭୨ ହଜାର ୪୫୬ ଟଙ୍କା ଫେରସ୍ତ କରାଯାଇଛି। ଜମା ଟଙ୍କା ଫେରସ୍ତ ପାଇନଥିବା ଜମାକାରୀଙ୍କ ଆକାଉଣ୍ଟ୍ ସହ ଠିକଣାରେ ତାଳମେଳ ରହୁନଥିବାରୁ ଟଙ୍କା ଫେରସ୍ତ ବିଳମ୍ବ ହେଉଛି। କମିଶନଙ୍କ ତଦନ୍ତ ରିପୋର୍ଟକୁ ଆଧାର କରି ଅର୍ଥ ବିଭାଗ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବା ନେଇ ଅନୁମୋଦନ ଦେଉଛି।      

ସୂଚନାଯୋଗ୍ୟ, କମ ଦିନରେ ଅଧିକ ସୁଧ ଲୋଭରେ ଜିଲ୍ଲାର ହଜାର ହଜାର ଜମାକାରୀ ରୋଜଭ୍ୟାଲି, ସିସୋର, ମାଇକ୍ରୋ ଫାଇନାନସ୍, ଅର୍ଥତତ୍ତ୍ବ ଭଳି ବିଭିନ୍ନ ଚିଟଫଣ୍ଡ କମ୍ପାନିରେ ଟଙ୍କା ଜମା ରଖିଥିଲେ। ରାତାରାତି କୋଟି କୋଟି ଟଙ୍କା ନେଇ ଚିଟଫଣ୍ଡ କଂପାନି ଫେରାର ହୋଇଯିବା ପରେ ଜମାକାରୀ ଟଙ୍କା ଫେରସ୍ତ ଦାବିରେ କ୍ଷତିଗ୍ରସ୍ତ ମିଳିତ ମଞ୍ଚ ଗଠନ କରି ସରକାରଙ୍କୁ ଘେରିଥିଲେ। କ୍ଷତିଗ୍ରସ୍ତ ମିଳିତ ମଞ୍ଚର ଦାବି ପରେ ସରକାର ଚିଟଫଣ୍ଡ ଘୋଟଲାର ତଦନ୍ତ ପାଇଁ କମିଶନ୍ ଗଠନ କରି ତହସିଲ ସ୍ତରରେ ଜମାକାରୀଙ୍କୁ ଚିହ୍ନଟ କରିବାକୁ ନିର୍ଦେଶ ଦେଇଥିଲେ। ସେପଟେ ଚିଟଫଣ୍ଡ କଂପାନି ଗୁଡ଼ିକର ସଂପତ୍ତିକୁ ବ୍ୟାଜାପ୍ତି କରି ସରକାର ନିଲାମ କରିବା ପରେ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରାଇବା ଆରମ୍ଭ କରିଛନ୍ତି। ୧୦ ହଜାରରୁ କମ ଜମାକାରୀଙ୍କୁ କ୍ଷୁଦ୍ର ଏବଂ ୧୦ ହଜାରରୁ ଉର୍ଧ୍ବ ଜମାକାରୀଙ୍କୁ ବୃହତ ଜମାକାରୀ ଭାବେ ବିଭକ୍ତ କରିଛନ୍ତି ସରକାର। କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବହୁ ଦାବି ଆନ୍ଦୋଳନ ସତ୍ତ୍ବେ ବୃହତ ଜମାକାରୀଙ୍କୁ ଟଙ୍କା ଫେରସ୍ତ ନେଇ କୌଣସି ସବୁଜ ସଙ୍କେତ ମିଳୁନଥିବାରୁ ଜମାକାରୀ ଜଳକା ପାଲଟିଛନ୍ତି। ଲକ୍ଷାଧିକ ଟଙ୍କା ଡିପୋଜିଟ୍ କରିଥିବା ହିତାଧିକାରୀ ଟଙ୍କା ଫେରି ପାଇବାକୁ ସଂଘର୍ଷ ଜାରି ରଖିଛନ୍ତି। ଝିଅ ବାହାଘର, ପୁଅ ପାଠପଢ଼ା ସହ ଅନେକ ଗୁରୁତ୍ବପୂର୍ଣ୍ଣ କାମ ପାଇଁ ଲକ୍ଷ ଲକ୍ଷ ଟଙ୍କା ଡିପୋଜିଟ୍ କରିଥିବା ଜମାକାରୀ ଠକେଇର ଶିକାର ହେବା ପରେ ମାନସିକ ସ୍ତରରେ ଭାଙ୍ଗି ପଡିବା ସହ ସର୍ବସ୍ବାନ୍ତ ହୋଇ ପଡିଛନ୍ତି। ସେପଟେ ଆର୍ଥିକ ସଂସ୍ଥାମାନଙ୍କ ଦ୍ଵାରା କ୍ଷତିଗ୍ରସ୍ତ ମିଳିତ ମଞ୍ଚ ଗାନ୍ଧୀ ଜୟନ୍ତୀରୁ ପୁଣି ଆନ୍ଦୋଳନକୁ ଜୋରଦାର୍ କରିଛି। ପ୍ରତିଶ୍ରୁତି ଅନୁଯାୟୀ ସରକାର କ୍ଷତିଗ୍ରସ୍ତଙ୍କୁ ଜମା ଟଙ୍କା ଫେରସ୍ତ କରନ୍ତୁ। ନଚେତ୍ ପୁଣି ପଞ୍ଚାୟତ ସ୍ତରରେ ଆନ୍ଦୋଳନକୁ ଜୋରଦାର କରିବାକୁ ମଞ୍ଚ ଚେତାବନୀ ଦେଇଛି।

 

ସମ୍ବନ୍ଧିତ ଖବର