ଅନ୍ତଃ ରାଜ୍ୟ ଅର୍ଥ ଲଗାଣକାରୀ ସଂସ୍ଥା ଚେର୍ ଜମାଇଲା

ଜୟପୁର: ରାଜ୍ୟରେ ଚିଠଫଣ୍ଡ ଠକେଇ ପରେ ରାଜ୍ୟ ସରକାର ଅନ୍ତଃ ରାଜ୍ୟ ଅର୍ଥଲଗାଣକାରୀ ସଂସ୍ଥା ଉପରେ କଟକଣା ଜାରି କରିଥିଲେ। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଅଧିକୃତ ସଂସ୍ଥା ହିଁ ଟଙ୍କା ଦେଣ ନେଣର ବେପାର କରି ପାରିବେ ବୋଲି ନିର୍ଦେଶ ବି ରହିଛି। ଏହାକୁ ନ ମାନି ଜୟପୁର, ବୋରିଗୁମ୍ମାରେ ବହୁ ଅନ୍ତଃ ରାଜ୍ୟ ଅର୍ଥଲଗାଣକାରୀ ସଂସ୍ଥା ଡ଼େରା ଜମାଇ ଏଠାରେ କୋଟି କୋଟି ଟଙ୍କାର ବେପାର କରି ଚାଳିଛନ୍ତି। କିଛି ସଂସ୍ଥାର ଆଂଚଳିକ କାର୍ଯ୍ୟାଳୟ ଜୟପୁରରେ ନ ଖୋଲି ନବରଙ୍ଗପୁର ଓ ମାଲକାନଗିରୀ ଠାରେ ଖୋଲିଥିବା ବେଳେ କର୍ମଚାରୀ ଓ ଏଜେଣ୍ଟ ମାନେ ଏଠାରେ ଆସି କାମ କରୁଛନ୍ତି। ପ୍ରତ୍ୟେକ ଗାଁରେ ମହିଳା ଗୃପ ଗଠନ କରି ଏମାନେ ଟଙ୍କା ଆଦାୟ କରିବା ଏବଂ ଋଣ ଦେବା ପ୍ରକ୍ରିୟା ଜାରୀ ରଖିଛନ୍ତି। ପ୍ରତ୍ୟେକ ଗୁରୁବାର ଦିନ ଏହି ସଂସ୍ଥାର ଏଜେଣ୍ଟ ମାନେ ଗାଁକୁ ଯାଇ ଗାଁରୁ ଏହି ମହିଳା ଗୃପର ସଭ୍ୟା ମାନଙ୍କ ଠାରୁ ସୁଧ ଓ ମୂଳ ଟଙ୍କା ଆଦାୟ କରି ଆଣୁଛନ୍ତି। ଆଧାରକାର୍ଡ ଖଣ୍ଡିକ ଦେଲେ ଗୃପରେ ସାମିଲ କରାଯାଉଛି। ନୂଆରେ ନେଟୱାର୍କରେ ଯାହାର ନମ୍ବର ଆସିବା ପରେ ଋଣ ଦେଉଛନ୍ତି। ଗ୍ରାମାଂଚଳରେ ମହିଳା ମାନେ ଏବେ ବ୍ୟାଙ୍କ ଠାରୁ ଋଣ ନେବା ବଦଳରେ ଏହି ଗୃପ ଋଣ ନେବାକୁ ଅଧିକା ପସନ୍ଦ କରୁଛନ୍ତି। ଗୁରୁବାର ଆସିବା ମାତ୍ରକେ ଯେଭଳି ପରିସ୍ଥିତିରେ ବି ଋଣ ଟଙ୍କା ପରିଶୋଧ ବି କରୁଛନ୍ତି। ଏମାନଙ୍କୁ ଏହି ସଂସ୍ଥା ଗୁଡିକ ପକ୍ଷରୁ ପାସ୍ ବୁକ, ବଣ୍ଡ କିମ୍ବା ରସିଦ୍ ଦିଆଯାଉନି। କିଛି ବାହାର ରାଜ୍ୟ, ବାହାର ଜିଲାର ଏଜେଣ୍ଟ ମାନେ ଏଠାକାର କିଛି ଶିକ୍ଷିତ ବେକାର ଯୁବକ ଓ ଯୁବତୀ ମାନଙ୍କୁ ବି ଏହି କାମରେ ନିୟୋଜିତ କରିଛନ୍ତି।

କିଛି ମହିଳା ଗ୍ରୁପ୍‌ର ମୁଖିଆ ମହିଳା ମାନେ ବି ଏହି କାରବାରକୁ କାର୍ଯ୍ୟକାରୀ କରୁଛନ୍ତି। ଜୟପୁର ଉପଖଣ୍ଡରେ ପ୍ରାୟ ୧୦ହଜାରରୁ ଉର୍ଦ୍ଧ୍ବ ସଭ୍ୟ ବିଭିନ୍ନ ଅର୍ଥଲଗାଣକାରୀ ସଂସ୍ଥାରେ ସଂପୃକ୍ତ ରହିଥିବା ସୂଚନା ମିଳିଛି। ଏହି ସବୁ ସଂସ୍ଥାର ୱେବସାଇଟ ଗୁଡିକରେ ଏରିୟା ଅଫ ଅଫରେସନ୍ ଆନ୍ଧ୍ର ପ୍ରଦେଶ, ଛତିଶଗଡ, ମହାରାଷ୍ଟ୍ର, ପଶ୍ଚିମ ବଙ୍ଗ ରହିଛି। ତେବେ ଏହି ସଂସ୍ଥା ଗୁଡିକ ଏଠାରେ କାର୍ଯ୍ୟାଳୟ ଖୋଲି ଟଙ୍କା ଦେଣ ନେଣ କାରବାର କରୁଥିବା ବେଳେ ଏହା ରିଜର୍ଭ ବ୍ୟାଙ୍କ ନିର୍ଦେଶର ଖିଲାଫ। ଆମକୁ ଅଭିଯୋଗ ନ ଆସିଲେ ଆମେ କାହିଁକି ପଦକ୍ଷେପ ନେବୁ ବୋଲି ଓଲଟି ପୁଲିସ ଅଧିକାରୀ ମାନେ କହୁଛନ୍ତି।

ଲୋକଙ୍କର ପଇସା ଲୋକେ ନିଜେ ଯାଂଚ କରି ଜମା କରିବା କଥା, କିମ୍ବା ଋଣ ଉଠାଇବା କଥା କିନ୍ତୁ ସେମାନେ କିଛି ନ କରି କାହିଁକି ଏଭଳି ସଂସ୍ଥାରେ ଟଙ୍କା ଜମା କରୁଛନ୍ତି ବୋଲି ଓଲଟି ପ୍ରଶ୍ନ କରିଛନ୍ତି ପୁଲିସ ବାବୁ। ଯେ ହେତୁ ସଂପ୍ରତି ଖୋଲିଥିବା ସଂସ୍ଥା ଗୁଡିକ ସଭ୍ୟ ମାନଙ୍କୁ ପାସ ବହି, ବଣ୍ଡ କିମ୍ବା ରସିଦ୍ ଦେଉନଥିବାରୁ ଏହି ସଂସ୍ଥା ଗୁଡିକ ପ୍ରକୃତରେ ରିଜର୍ଭ ବ୍ୟାଙ୍କ ନିକଟରେ ପଂଜିକରଣ ହୋଇଛି ନା ନାହିଁ ସଂଦେହ ସୃଷ୍ଟି କରିଛି। ଖାସ୍ କରି ଗ୍ରାମାଂଚଳ ତଥା ବସ୍ତି ଅଂଚଳର ଦିନ ମଜୁରିଆ ଭଳି ଲୋକଙ୍କୁ ହିଁ ଏହି ସଂସ୍ଥା ଗୁଡିକ ଟାର୍ଗେଟ କରି ସଭ୍ୟ ଭାବେ ସାମିଲ କରି ଗୃପ ଗଠନ କରୁଥିବାରୁ ସଂଦେହ ସୃଷ୍ଟି କରୁଛି। ଅନ୍ୟ ପକ୍ଷରେ ଋଣର ଚକ୍ରସୁଧ ଆଦାୟ କରୁଥିବା ଲୋକେ ଜାଣୁଥିଲେ ‌ସୁଦ୍ଧା ନିଜର ଅଭାବି ପାଇଁ ନେଉଥିବା କହିଛନ୍ତି ଜୟପୁର ବ୍ଲକର କେନ୍ଦୁଗୁଡାର ସଂଜୁ ଅମନାତ୍ୟ, ଆଇଲା ନାୟକ। ତେବେ ବେଳ ଥାଉଣୁ ବଡ ଧରଣର ଠକାମି ହେବା ପୂର୍ବରୁ ପୁଲିସ ଓପ୍ରଶାସନ ଏହି ସବୁ କାର୍ଯ୍ୟାଳୟର କାଗଜପତ୍ର ଆଦି ଯାଂଚ କରି ଆଇନଗତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ବୁଦ୍ଦିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର