କଣ୍ଟାବାଞ୍ଜି/ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଫୁଲ୍‌କିମୁଣ୍ଡା ପଞ୍ଚାୟତ ହାଇସ୍କୁଲରେ ଚିତ୍ତଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଦୁଇ ଦିନିଆ ମେଗା ସ୍ବାସ୍ଥ୍ୟ ଶିବିର ଆରମ୍ଭ ହୋଇଛି। ଶିବିରରେ ଅତିଥି ଭାବେ ହାଇକୋର୍ଟ ବିଚାରପତି ଜଷ୍ଟିସ୍ କୃଷ୍ଣରାମ ମହାପାତ୍ର, ଜଷ୍ଟିସ୍ ସି.ଆର୍‌ ଦାଶ, ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର, ଲୋକସେବକ ମଣ୍ଡଳର ଓଡ଼ିଶା ସଭାପତି ତଥା ସମାଜର ପ୍ରକାଶକ ନିରଞ୍ଜନ ରଥ, ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ତଥା ଟ୍ରଷ୍ଟର ମୁଖ୍ୟ ଉପଦେଷ୍ଟା ଅରୁଣ ପରିଚ୍ଛା, ଶଙ୍କରା ବାଗଚୀ କ୍ୟାନ୍‌ସର୍‌ ହସ୍ପିଟାଲର ଅଧ୍ୟକ୍ଷ ଡା. ବିଧୂଭୂଷଣ ମହାନ୍ତି, ପୂର୍ବତନ ମୁଖ୍ୟ ଶାସନ ସଚିବ ଯୁଗଳ କିଶୋର ମହାପାତ୍ର, ପଦ୍ମଶ୍ରୀ ଶ୍ରୀନିବାସ ଉଦ୍‌ଗାତା, ପଦ୍ମଶ୍ରୀ ନୃସିଂହ ଗୁରୁ, ବିଶିଷ୍ଟ ସମାଜସେବୀ ଜଗଦାନନ୍ଦ, ପ୍ରଫେସର ମଧୁସୂଦନ ପତି ଓ ଡା. ଜ୍ୟୋତ୍ସ୍ନାମୟୀ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଟ୍ରଷ୍ଟର ମୁଖ୍ୟ ଉପଦେଷ୍ଟା ସ୍ଵାସ୍ଥ୍ୟ ବିଶ୍ଵବିଦ୍ୟାଳୟର କୁଳପତି ତଥା ୟୁରୋଲୋଜି ବିଶେଷଜ୍ଞ ଡା. ପ୍ରଫେସର୍ ଦ​ତ୍ତେଶ୍ବର ହୋତା, ଟ୍ରଷ୍ଟର ଅଧ୍ୟକ୍ଷ ଅବସରପ୍ରାପ୍ତ ପ୍ରଶାସକ ଗୋଧନେଶ୍ଵର ହୋତା ଓ ସଂପାଦକ ରାଜେଶ୍ଵର ହୋତା ଯୋଗ ଦେଇଥିଲେ।

Advertisment

publive-image

ଏହି ଅବସରରେ ଟ୍ରଷ୍ଟ ପକ୍ଷରୁ ପଦ୍ମଶ୍ରୀ ଶ୍ରୀନିବାସ ଉଦ୍‌ଗାତା, ପଦ୍ମଶ୍ରୀ ନୃସିଂହ ଗୁରୁ, ପ୍ରଫେସର ମଧୁସୂଦନ ପତି ଓ ଡାକ୍ତର ଜ୍ୟୋତ୍ସ୍ନାମୟୀ ମହାପାତ୍ରଙ୍କୁ ସମ୍ମାନିତ କରାଯାଇଥିଲା। ଶିବିରରେ କଟକ, ଭୁବନେଶ୍ଵର, ବୁର୍ଲା, ବଲାଙ୍ଗୀର ଓ ସମ୍ବଲପୁର ତଥା ରାଜ୍ୟ ବାହାରର ଖ୍ୟାତନାମା ୫୫ଜଣ ବିଶେଷଜ୍ଞ ଚିକିତ୍ସକଙ୍କ ଦ୍ଵାରା ଅତ୍ୟାଧୁନିକ ପଦ୍ଧତି ଅନୁସରଣରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ପ୍ରସୂତି ଓ ସ୍ତ୍ରୀ, ଶଲ୍ୟ, ଅସ୍ଥିଶଲ୍ୟ, ମୂତ୍ରରୋଗ, କିଡ୍‌ନିରୋଗ, ଶିଶୁରୋଗ, ଭେଷଜ (ମେଡିସିନ୍), ହୃଦ୍‌ରୋଗ, ଚର୍ମ ଓ ଯୌନ, ଚକ୍ଷୁ, ଦନ୍ତ ରୋଗ, ଇଏନ୍‌ଟି, ଶରୀର ଯନ୍ତ୍ରଣା ଜନିତ ରୋଗ ତଥା ହୋମିଓପାଥି, ଆୟୁର୍ବେଦିକ, ନ୍ୟାଚୁରୋପାଥି ଏବଂ ଯୋଗ ଚିକିତ୍ସା ମଧ୍ୟ କରାଯିବା ସହ ମାଗଣାରେ ଔଷଧ ଓ ଚଷମା ବଣ୍ଟନ କରାଯାଇଛି। ଟ୍ରଷ୍ଟ ପକ୍ଷରୁ ରାଜ୍ୟର ଦୁର୍ଗମ, ଅନୁନ୍ନତ, ଆଦିବାସୀ ଅଧ୍ୟୁଷିତ ଏବଂ ବିଶେଷ କରି ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ସହଜରେ ପହଞ୍ଚି ପାରୁନଥିବା ଅଞ୍ଚଳରେ ମୁଖ୍ୟତଃ ଏହି ମାଗଣା ସ୍ୱାସ୍ଥ୍ୟ ସେବା ଶିବିର କରାଯାଇଆସିଛି। ରାଜ୍ୟର ୩୦ଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ଏପରିକି ବୟସ୍କ ଓ ଶିଶୁମାନଙ୍କ ପାଇଁ ସ୍ଵତନ୍ତ୍ର ଭାବରେ ଶିବିର ମଧ୍ୟ କରାଯାଇଛି। କଟକ ଏସ୍‌ସିବି ମେଡିକାଲ କଲେଜ୍ ଓ ହସ୍ପିଟାଲ୍‌ର ଯେଉଁ ବିଶେଷଜ୍ଞ ଡାକ୍ତରଙ୍କୁ ଦେଖା କରିବା ପାଇଁ ଘଣ୍ଟା ଘଣ୍ଟା ବା ଦିନ ଦିନ ଲାଗି ଯାଇଥାଏ, ସେହିଭଳି ଡାକ୍ତରଙ୍କୁ ନେଇ ଦୁର୍ଗମ ଅଞ୍ଚଳରେ ଲୋକଙ୍କ ଦ୍ୱାରଦେଶରେ ଟ୍ରଷ୍ଟ ପହଞ୍ଚାଇ ମାଗଣା ସେବା ଓ ଔଷଧ ଯୋଗାଇଥାଏ। ୨୦୦୪ରେ ଆରମ୍ଭ ହୋଇଥିବା ଚିତ୍ତଜ୍ଞାନୀ ଚାରିଟେବୁଲ୍ ଟ୍ରଷ୍ଟ ଲଗାତାର ଭାବରେ ରାଜ୍ୟର ବିଭିନ୍ନ ପ୍ରାନ୍ତକୁ ଯାଇ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଛି।

publive-image

ଖପ୍ରାଖୋଲଠାରେ ଅନୁଷ୍ଠିତ ୫୦ତମ ଶିବିରରେ ୧୫୦୦ରୁ ଅଧିକ ରୋଗୀଙ୍କ ଚିକିତ୍ସା କରାଯାଇ ଔଷଧ ବଣ୍ଟନ କରାଯାଇଛି। ରବିବାର ମଧ୍ୟ ଏହି ଶିବିର ଅନୁଷ୍ଠିତ ହେବ। ଶିବିରରେ ଡା. ସିଦ୍ଧାର୍ଥ ମହାନ୍ତି, ଡା. ଦତ୍ତେଶ୍ବର ହୋତା, ପ୍ରସନ୍ନଜିତ୍ ମହାନ୍ତି, ରାମନାଥ ମିଶ୍ର, ଶ୍ରଦ୍ଧା ମହାନ୍ତି, ସତ୍ୟ ରାଉତରାୟ, ପ୍ରଶାନ୍ତ ମିଶ୍ର, ଡା. ସୁଜିତ ବ୍ରହ୍ମା, ଡା. ସୁଜାତା ପୂଝାରୀ, ଡା. ବିଶ୍ବଜିତ ଦାସ, ଡା. ବିଶ୍ବରଂଜନ ମହାନ୍ତିଙ୍କ ସମତେ ୫୫ ଜଣ ଡାକ୍ତର ରୋଗୀଙ୍କ ଚିକିତ୍ସା କରିଛନ୍ତି।

‘ସମ୍ବାଦ’ ଫିଚର ସଂପାଦକ ତଥା ବିଶିଷ୍ଟ ସାହିତ୍ୟିକ ଡ.ଗୌରହରି ଦାସ, ବରିଷ୍ଠ ସାମ୍ବାଦିକ ବିପିନ ସିଂ, ଯୁଗଳ କିଶୋର ମିଶ୍ର, ଫୁଲକିମୁଣ୍ଡା ହାଇସ୍କୁଲର ପ୍ରଧାନଶିକ୍ଷକ ଗୋପାଳ ଚନ୍ଦ୍ର ବେହେରାଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀ ସହଯୋଗ କରିଥିଲେ। ଅନୁଷ୍ଠାନର ସଭାପତି ତଥା ଅବସରପ୍ରାପ୍ତ ଆଇନ୍ ବିଭାଗର ଅତିରିକ୍ତ ସଚିବ ଗୋଧନେଶ୍ବର ହୋତାଙ୍କ ପୁସ୍ତକ ‘ଧର୍ମ, ଆଇନ୍ ଓ ସମାଜ’ ଅତିଥିଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା।