କାଳୀ ମନ୍ଦିର ନିକଟ କୂଅରୁ ଶବ ଉଦ୍ଧାର ଘଟଣା: ଜାମିନରେ ବାହାରିଲେ ଚୌବନ ବାବା

କଂଟାବାଞ୍ଜି: ବହୁଚର୍ଚ୍ଚିତ ସାଲେପଡ଼ା କାଳୀ ମନ୍ଦିର ନିକଟ କୂଅରୁ ଶବ ଉଦ୍ଧାର ଘଟଣାର ମୁଖ୍ୟ ଅଭିଯୁକ୍ତ ଚୌବନ କିଶୋର ମାଝୀ ଓରଫ୍‌ ଚୌବନ ବାବାଙ୍କୁ ଜାମିନ ମିଳିଛି। ବର୍ଷେ ପରେ ଜେଲ୍‌ରେ ରହିବା ପରେ ସେ ବାହାରିଛନ୍ତି।

ସୂଚନାଯୋଗ୍ୟ ଯେ, ଚୌବନ ବାବା ଆଦିବାସୀ ନେତା ଭାବେ ବଲାଙ୍ଗୀର ଜିଲ୍ଲା ତଥା ଜିଲ୍ଲା ବାହାରେ ପରିଚିତ ଥିଲେ। ସେ ଖଗସା ପଞ୍ଚାୟତ ସାଲେପଡ଼ା ଗାଁରେ ଥିବା ଶ୍ୟାମାକାଳୀ ମନ୍ଦିର ନିର୍ମାଣ କରି ସେଠାରେ ପୂଜାପାଠ କରୁଥିଲେ। ସେଠାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁ ଆସୁଥିଲେ। ଆଖପାଖ ଗାଁର ତାଙ୍କ ଶିଷ୍ୟମାନେ ମଧ୍ୟ ସାମିଲ ହେଉଥିଲେ। ମାନ୍ଦଲା ଗାଁର ତାଙ୍କ ପ୍ରିୟ ଶିଷ୍ୟ ଭୁଜବଲ ମଧ୍ୟ ଏକ ମନ୍ଦିର ତିଆରି କରି ସେଠାରେ ପୂଜାପାଠ କରୁଥିଲେ। ଭୁଜବଲଙ୍କ ଯୋଗୁଁ ଚୌବନ ବାବାଙ୍କ ପତିଆରା ଏକପ୍ରକାର ଶେଷ ଅବସ୍ଥାରେ ଥିଲା। ତେଣୁ ଭୁଜବଲଙ୍କୁ ହତ୍ୟା କରାଗଲା ବୋଲି ସେହି ସମୟରେ ଅଭିଯୋଗ ହୋଇଥିଲା। ଗତବର୍ଷ ଅକ୍ଟୋବର ୩୧ ତାରିଖ ଦିନ ଚୌବନ ବାବାଙ୍କ ଶ୍ୟାମାକାଳୀ ମନ୍ଦିର ନିକଟ ଏକ କୂଅରୁ ଭୁଜବଲଙ୍କ ଶବ ଉଦ୍ଧାର କରାଯାଇଥିଲା। ଭୁଜବଲଙ୍କ ପରିବାର ଲୋକଙ୍କ ଅଭିଯୋଗକ୍ରମେ ଚୌବନ ବାବାଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେତେବେଳେ କଣ୍ଟାବାଞ୍ଜି ଏଡିଜେ ଅଦାଲତରେ ଚୌବନ ବାବାଙ୍କ ଜାମିନ ଆବେଦନ ଖାରଜ ହୋଇଥିଲା। ପରେ ସେ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ। ଏହି ମାମଲାରେ କୌଣସି ପ୍ରତ୍ୟକ୍ଷଦର୍ଶୀ ନଥିବା ଓ କୌଣସି ଠୋସ୍‌ ପ୍ରମାଣ ପୁଲିସ ଦେଇନଥିବାରୁ କୋର୍ଟ ଜାମିନ ମଞ୍ଜୁର କରିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର