ଧର୍ମଶାଳା: ଧର୍ମଶାଳା ବ୍ଲକ୍ ଭବାନୀପୁର ପଞ୍ଚାୟତ ବଳଭଦ୍ର ପ୍ରସାଦ ପାଟଣା(ଦଳେଇ ସାହି) ଗାଁର ରସାନନ୍ଦ ଦଳେଇଙ୍କ ଅସଂପୂର୍ଣ୍ଣ ବିଜୁ ପକ୍କାଗୃହ ପଛ ପଟେ ଏକ ବେଆଇନ ଚାଓମିନ୍ କାରଖାନା ଚାଲିଥିଲା। ଗତ ୨୩ ତାରିଖ ସକାଳେ ଏଥିରେ ନିଆଁ ଲାଗିଯିବାରୁ ଏଠାରେ ଚାଓମିନ୍ କାରଖାନା ଚାଲିଥିବା ଘଟଣା ଲୋକଲୋଚନକୁ ଆସିଥିଲା। ବିଜୁ ପକ୍କାଗୃହରେ ଗୋବର ଜାଳେଣି ରହିଥିବା ବେଳେ ନିକଟରେ ଧାନ ଜମି ଓ ଗୁହାଳ ଅଛି। ଏକ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ଟିଣ ଛପର ଘରେ ଚାଓମିନ୍ ତିଆରି ହେଉଥିବା ଦେଖିବାକୁ ମିଳିଛି। ଏଠାରେ ଚାଓମିନ୍ ପ୍ରସ୍ତୁତ କରିବା ପାଇଁ ଖାଦ୍ୟ ସୁରକ୍ଷା ବିଭାଗର ଆବଶ୍ୟକ ଅନୁମତି ନଥିବା ବେଳେ କାରଖାନା ଜିଏସ୍ଟି ପଞ୍ଜିକୃତ ହୋଇନଥିବା କୁହାଯାଇଛି। ରସାନନ୍ଦଙ୍କ ବିଜୁ ପକ୍କାଘରେ ବିଦ୍ୟୁତ୍ ସଂଯୋଗ ରହିଥିବା ବେଳେ ଘର ଆଗରେ ଏକ ଇଲେକ୍ଟ୍ରିକ ମିଟର ଲାଗିଛି। କାହା ନାଁରେ ବିଦ୍ୟୁତ୍ ସଂଯୋଗ ରହିଛି, ସେ ଘରୋଇ କିମ୍ବା ବ୍ୟବସାୟିକ ଗ୍ରାହକ ତାହା ସ୍ପଷ୍ଟ ହୋଇନାହିଁ। ସାନଭାଇ ଅଭିରାମ ଦଳେଇଙ୍କ ଭଡ଼ା ଘରେ ଚାଓମିନ୍ ତିଆରି ହେଉଥିଲା। ଏହାର ବୈଧତା ଓ ଖାଦ୍ୟର ମାନ ନେଇ ସାଧାରଣରେ ନାନା ପ୍ରଶ୍ନ ସୃଷ୍ଟି ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ଏକ ଦମ୍ପତି ଏହାକୁ ଚଳାଉଛନ୍ତି। ଅଗ୍ନିକାଣ୍ତର ପ୍ରକୃତ କାରଣ ଜଣାପଡ଼ି ନଥିଲେ ମଧ୍ୟ ଗତ ୨୩ ତାରିଖ ଭୋର ସମୟରେ କର୍ମଚାରୀ ଚା କରୁଥିବା ବେଳେ ଗ୍ୟାସ୍ଟାଙ୍କିରେ ନିଆଁ ଲାଗି କାରଖାନା ଜଳି ଯାଇଥିବା ଘର ମାଲିକ ଅଭିରାମ ଦଳେଇ ‘ସମ୍ବାଦ’କୁ ସୂଚନା ଦେଇଛନ୍ତି। କାରଖାନା ଚଳାଇବା ପାଇଁ ଯଦି ଆବଶ୍ୟକ କାଗଜପତ୍ର ନଥିବ ତାହାହେଲେ କାରଖାନା ମାଲିକ ବୁଝିବେ ବୋଲି ସେ କହିଛନ୍ତି। ଅଗ୍ନିକାଣ୍ତରେ କାରଖାନାରେ ଥିବା ଲକ୍ଷାଧିକ ଟଙ୍କା ମୂଲ୍ୟର ବିଭିନ୍ନ ଯନ୍ତ୍ରାଂଶ ଓ ଚାଓମିନ୍ ପୋଡ଼ି ନଷ୍ଟ ହୋଇଯାଇଛି। ଖବର ପାଇ ଚଣ୍ତିଖୋଲ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଏବେ କାରଖାନାରେ କେହି ରହୁନଥିବା ବେଳେ କ୍ଷୟକ୍ଷତି ସଂପର୍କରେ ସଠିକ୍ ସୂଚନା ମିଳୁନାହିଁ। ୪/୫ ବର୍ଷ ପୂର୍ବେ ରସାନନ୍ଦଙ୍କୁ ବିଜୁ ପକ୍କାଗୃହ ଦିଆ ଯାଇଥିବା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଜ୍ଞାନେନ୍ଦ୍ର ଶତପଥୀ କହିଛନ୍ତି। ଏହି ଅର୍ଦ୍ଧନିର୍ମିତ ବିଜୁ ପକ୍କାଗୃହ ମଧ୍ୟ ଭଡ଼ାରେ ଲାଗିଥିବା କୁହାଯାଇଛି। ଜିଲ୍ଲା ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ସତ୍ୟ ଲୋକଲୋଚନକୁ ଆସିବ ବୋଲି ମତପ୍ରକାଶ ପାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp