ରାଉରକେଲା: ଆସନ୍ତାକାଲି (ଶୁକ୍ରବାର) ସାରା ଦେଶ ପାଳନ କରିବ ବଡଦିନ ଅର୍ଥାତ୍ ଏକ୍ସ-ମାସ୍ ଡେ’। ଆଜି ମଧ୍ୟ ରାତିରେ ଧରାପୃଷ୍ଟରେ ଅବତରଣ କରି ସାରିଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ। ଏହି ବିଶେଷ ମୂହୂର୍ତ୍ତକୁ ଅପେକ୍ଷା କରିଥିବା ହଜାର ହଜାର ଖ୍ରୀଷ୍ଟଆନ୍ ଭାଇଭଉଣୀଙ୍କୁ ମନରେ ସେତେଟା ସରାଗ ନାହିଁ। କରୋନା କଟକଣା ସେମାନଙ୍କ ଖୁସି ଛଡାଇ ନେଇଛି। ଜିଏଲ୍ ଚର୍ଚ୍ଚ, ଆର୍.ସି. ଚର୍ଚ୍ଚ, ବାପିଷ୍ଟ ଚର୍ଚ୍ଚ ଆଜି ରାଉରକେଲାର ଅନେକ ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାଲମ୍ବୀ ଭାଇଭଉଣୀମାନେ କରିଥାନ୍ତେ ସାମୂହିକ ପ୍ରାର୍ଥନା।
ପ୍ରଭୁ ଯୀଶୁଙ୍କ ଆଗମନକୁ ନେଇ ଚର୍ଚ୍ଚରେ ପ୍ରସ୍ତୁତି ହୋଇଛି ସତ କିନ୍ତୁ ବିନା ଶ୍ରଦ୍ଧାଳୁ ସମାଗମରେ ପାଳନ ହେବ ବଡଦିନ। ଫାଦ୍ରଙ୍କ ସମେତ ହାତ ଗଣତି ୩୦ରୁ ୪୦ ଜଣ ଶ୍ରଦ୍ଧାଳୁଙ୍କୁ ନେଇ ହେବ ସାମୂହିକ ପ୍ରାର୍ଥନା। କେକ୍ କାଟି ପରସ୍ପରକୁ ବଣ୍ଟନ କରିବେ। ସୀମିତ କାର୍ଯ୍ୟକ୍ରମରେ ଚର୍ଚ୍ଚରେ ଶେଷ ହେବ ବଡଦିନ ବୋଲି କହିଛନ୍ତି ସହରର ପ୍ରମୁଖ ଚର୍ଚ୍ଚାଗୁଡ଼ିକର ଫାଦରମାନେ। ଆର୍ସିସି ଚର୍ଚ୍ଚର ସନ୍ତୋଷ ପାସ୍ପୁ ରେଡ୍ଡୀ, ପାଷ୍ଟର ବିନୋଦ ଦୀପ କହିଛନ୍ତି, କରୋନା କଟକଣା ଯୋଗୁଁ ଜିଲ୍ଲାର ପ୍ରତ୍ୟେକ ଜର୍ଚ୍ଚରେ ସାମୂହିକ ପ୍ରାର୍ଥନାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।
ମାତ୍ର ପରମ୍ପରା ଅନୁଯାୟୀ ସମସ୍ତ କାର୍ଯ୍ୟକ୍ରମ ନିରାଡମ୍ବର ପାଳନ କରାଯିବ। ସେପଟେ ବର୍ଷର ଏହି ଦିନକୁ ଉତ୍କଣ୍ଠା ସହର ଅପେକ୍ଷା କରିଥିବା ଜିଲ୍ଳାର ହଜାର ହଜାର ଖ୍ରୀଷ୍ଟିଆନ୍ ଭାଇ ଭଉଣୀଙ୍କୁ ନିରାଶ ହେବାକୁ ପଡିଛି। ହମିରପୁର ଚର୍ଚ୍ଚର ଫାଦର କୁମାର ଜାମରିମ୍ ଟପ୍ପୋ କହିଛନ୍ତି, ପ୍ରତିବର୍ଷ ବଡ ଦିନରେ ଜିଲ୍ଲାର ପ୍ରମୁଖ ଚର୍ଚ୍ଚରେ ପ୍ରାୟ ୪ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଏକାଠି ହୋଇଥାନ୍ତି। ଯୀଶୁଙ୍କ ନିକଟରେ ନିଜ ଭୁଲର କ୍ଷମା ପ୍ରାର୍ଥନା କଲେ ପ୍ରଭୁ କ୍ଷମା କରି ଦିଅନ୍ତି ବୋଲି ସେମାନଙ୍କ ବିଶ୍ବାସ ରହିଛି। ଏଥିପାଇଁ ହମିରପୁର ଚର୍ଚ୍ଚରେ ବହୁ ସଂଖ୍ୟାରେ ଲୋକ ଆସି ନିଜ ପାପ ସ୍ବୀକାର କରିଥାନ୍ତି। ପ୍ରତ୍ୟେକ ଚର୍ଚ୍ଚରେ ପ୍ରାୟ ୮ରୁ ୧୦ ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମେ। କରୋନା ପାଇଁ ଆସନ୍ତାକାଲି (ଶୁକ୍ରବାର) ମାତ୍ର ୩୦ରୁ ୪୦ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ବଡ ଦିନ ପାଳନ କରାଯିବ।
ସାମୂହିକ ପ୍ରାର୍ଥନା ସହ, ରଙ୍ଗବେରଙ୍ଗର ସାଂସ୍କୃ୍ତିକ ଆଦି କୌଣସି କାର୍ଯ୍ୟକ୍ରମ କରାଯିବ ନାହିଁ। ତେବେ ସୁନ୍ଦରଗଡର ଜିଲ୍ଲାର ସେକ୍ଟର-୧୯ ହମିରପୁର, ସୁନ୍ଦରଗଡ, ରାଜଗାଙ୍ଗପୁର, ବୀରମିତ୍ରପୁର, ବନ୍ଧମୁଣ୍ଡା, କଲୁଙ୍ଗା, ଝିରପାଣି ସମେତ ୪୩ରୁ ଅଧିକ ପ୍ରମୁଖ ଚର୍ଚ୍ଚକୁ ରଙ୍ଗ ବେରଙ୍ଗ ଆଲୋକମାଳାରେ ସଜ୍ଜିତ କରାଯାଇଛି। ପ୍ରମୁଖ ଚର୍ଚ୍ଚ ସମେତ ଛୋଟ ଆର୍ସି, କାଥୋଲୋକି, ବାପିଷ୍ଟ ଚର୍ଚ୍ଚଗୁଡ଼ିକ ମଧ୍ୟ ସମାନ ଢ଼ଙ୍ଗରେ ସଜା ଯାଇଛି। ଏଥି ମଧ୍ୟରେ ରହିଛି ରାଉରକେଲା ସେକ୍ଟର-୧୯ସ୍ଥିତ ହମିରପୁର କାଥୋଲିକ୍ ଚର୍ଚ୍ଚ, ସିଭିଲଟାଉନସିପ୍ ସ୍ଥିତ ଦୀପ୍ତି ଚର୍ଚ୍ଚ, ଝିରପାଣି, ମୋରିଆ ପାହାଡ ଚର୍ଚ୍ଚ, କୋଏଲ ବ୍ୟାଙ୍କ,ଖରିଆବାହାଲ, ପ୍ରଧାନପାଲିର ଜି.ଇ.ଏଲ୍ ଚର୍ଚ୍ଚ, ଜଲଦା ସି ବ୍ଲକ ଚର୍ଚ୍ଚ, ସେକ୍ଟର-୧୮ ସିଏନ୍ଆଇ ଚର୍ଚ୍ଚ, ସେକ୍ଟର-୧୮, ସେକ୍ଟର-୬ ଆଦି ପ୍ରମୁଖ ଚର୍ଚ୍ଚରେ ପ୍ରସ୍ତୁତି ଶେଷ ହୋଇଛି। ସ୍ମାର୍ଟସିଟିର ବୃହତ ରୋମାନ କାଥୋଲିକ୍ ଚର୍ଚ୍ଚରେ ପ୍ରତିବର୍ଷ ପ୍ରାୟ ୧୦ ହଜାରୁ ଅଧିକ ଖ୍ରୀଷ୍ଟାଧର୍ମାଲମ୍ବୀଙ୍କ ସମାଗମ ହୋଇଥାଏ।
କିନ୍ତୁ ଆସନ୍ତାକାଲି (ଶୁକ୍ରବାର) ବଡଦିନ ଚର୍ଚ୍ଚ ଖାଁ ଖାଁ ରହିବ। ଚର୍ଚ୍ଚରେ କଟକଣା ଥିବାରୁ ଜିଲ୍ଲାର ପ୍ରତ୍ୟେକ ଖ୍ରୀଷ୍ଟିଆନ୍ ଭାଇ ଭଉଣୀ ଘରେ ଘରେ ପାଳନ କରିବେ ବଡଦିନ। ଏଥିପାଇଁ ପ୍ରାୟ ସମସ୍ତ ଖ୍ରୀଷ୍ଟଧର୍ମାଲମ୍ବୀ ପରିବାର ନିଜ ନିଜ ଘରକୁ ରଙ୍ଗରେବଙ୍ଗ ଆଲୋକ ମାଳାରେ ସଜ୍ଜିତ କରିଛନ୍ତି। ଆଜି ସହରର ବିଭିନ୍ନ କେକ୍, ଏକ୍ସ ମାସ୍ ଟ୍ରି ଆଦି କିଣିବାଲାଗି ଦୋକାନଗୁଡ଼ିକରେ ଭିଡ ଦେଖିବାକୁ ମିଳିଥିଲା। ସହରର ଡେଲିମାର୍କେଟ, ପାନପୋଷ, ଉଦିତନଗର, ସେକ୍ଟର-୧୯ ଇସ୍ପାତ ମାର୍କେଟରେ ବେଶ୍ କିଣାବିକା ଓ ଭିଡ ପରିଲକ୍ଷିତ ହୋଇଥିଲା। ରାଉରକେଲା ସମେତ ବେଦବ୍ୟାସ, ଫର୍ଟିଲାଇଜର, ବନ୍ଧମୁଣ୍ଡା, ବଣାଇଁ, ନୂଆଗାଁ, ବିଶ୍ରା, ରାଜଗାଙ୍ଗପୁର, କୁତ୍ରା, ବଡଗାଁ, ସୁନ୍ଦରଗଡରେ ଥିବା ଛୋଟ ବଡ ଚର୍ଚ୍ଚରେ ସମାନ ସ୍ଥିତି। ସେପଟେ ପ୍ରମୁଖ ଚର୍ଚ୍ଚରେ ଅମାନିଆଙ୍କୁ ବାରଣ କରିବାକୁ ସ୍ଥାନୀୟ ଥାନା ପକ୍ଷରୁ ପୁଲିସ ମୁତୟନ କରାଯାଇଛି।