ନିରାଡ଼ମ୍ବର ସହକାରେ ପାଳନ ହେଲା ବଡ଼ଦିନ, କରୋନା ମହାମାରୀରେ ପ୍ରଭୁ ଯୀଶୁଙ୍କ ଧରାଗମନ

ବାରିପଦା: ଖ୍ରୀଷ୍ଟମାସ ବା ବଡ଼ଦିନ ଉତ୍ସବ ହେଉଛି ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ପାଇଁ ଏକ ବଡ଼ ପର୍ବ । ଏହି ଅବସରରେ ପ୍ରଭୁ ଯୀଶୁ ଧରାଗମନ କରିଥାଆନ୍ତି। ଏନେଇ ସମସ୍ତ ଖ୍ରୀଷ୍ଟଧର୍ମୀଙ୍କ ମଧ୍ୟରେ ନାହିଁନଥିବା ଆଗ୍ରହ ରହିଥାଏ। ଚର୍ଚ୍ଚଗୁଡ଼ିକରେ ମଧ୍ୟ ବଡ଼ଦିନ ପାଳନ ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଥାଏ। ମାତ୍ର ଚଳିତ ବର୍ଷ କରୋନା କାରଣରୁ ବଡ଼ଦିନ ପାଳନ ଫିକା ପଡ଼ିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ବାରିପଦାରେ ଥିବା ପ୍ରମୁଖ ଦୁଇଟି ଚର୍ଚ୍ଚରେ ଚଳିତ ବର୍ଷ ସେପରି କୌଣସି ବଡ଼ଧରଣର କାର୍ଯ୍ୟକ୍ରମ ନାହିଁ। କେବଳ ପରମ୍ପରା ମୁତାବକ ହିଁ କିଛି କାର୍ଯ୍ୟକ୍ରମ ରହିଛି। ତାହାପୁଣି ସମ୍ପୂର୍ଣ୍ଣ ଘର ଭିତରେ ହିଁ ସମ୍ପନ୍ନ ହେଉଥିବା ସ୍ଥାନୀୟ ମଧୁବନ କ୍ୟାଥୋଲିକ୍ ଚର୍ଚ୍ଚର ଫାଦର ରାଜେଶ ସୂଚନା ଦେଇଛନ୍ତି।

ତେବେ ବଡ଼ଦିନ ଅବସରରେ ଆଜି ଶ୍ରଦ୍ଧାଳୁମାନେ ଚର୍ଚ୍ଚକୁ ଯାଇପାରିବେ ବୋଲି ଜିଲ୍ଲାପାଳ ବିନୀତ ଭରଦ୍ବାଜ ସୂଚନା ଦେଇଛନ୍ତି। ମାତ୍ର ଚର୍ଚ୍ଚ ବାହାରେ କୌଣସି ପ୍ରକାର ଭିଡ଼ ଥିବା କାର୍ଯ୍ୟକ୍ରମ ହୋଇପାରିବ ନାହିଁ। ଯାହାକିଛି ହେବ କେବଳ ଚର୍ଚ୍ଚ ଘର ଭିତରେ ହିଁ ହୋଇପାରିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲାରେ ଉଭୟ କ୍ୟାଥୋଜିକ୍ ଓ ବାପ୍ଟିଷ୍ଟ୍ ମାନଙ୍କର ଏକାଧିକ ଚର୍ଚ୍ଚ ରହିଛି। ବେତନଟୀ ଥାନା ଅନ୍ତର୍ଗତ ନଙ୍ଗଳକଟାରେ ଥିବା ଚର୍ଚ୍ଚରେ ପ୍ରତିବର୍ଷ ବଡ଼ଦିନରେ ବିଭିନ୍ନ ଧର୍ମାବଲମ୍ବୀଙ୍କର ଭିଡ଼ ଜମିଥାଏ। ସେହିପରି ବାରିପଦାର ମଧୁବନ ଏବଂ କୋର୍ଟ ଆଗରେ ଥିବା ୟୁନିଅନ୍ ଚର୍ଚ୍ଚରେ ମଧ୍ୟ ହର୍ଷ ଉଲ୍ଲାସର ସହିତ ବଡ଼ଦିନ ପାଳିତ ହୋଇଥାଏ। ମାତ୍ର ଚଳିତ ବର୍ଷ ସମସ୍ତ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କୁ ଚର୍ଚ୍ଚ ନଆସି ଘରେ ରହି ପ୍ରଭୁ ଯୀଶୁଙ୍କୁ ଉପାସନା କରିବାକୁ କୁହାଯାଇଥିବା ଫାଦର ରାଜେଶ ସୂଚନା ଦେଇଛନ୍ତି।

 

ବଡ଼ଦିନ ଅବସରରେ ଚର୍ଚ୍ଚଗୁଡ଼ିକୁ ଆଲୋକମାଳାରେ ସଜ୍ଜିତ କରାଯାଇଛି। ଚର୍ଚ୍ଚଗୁଡ଼ିକୁ ରଙ୍ଗୀନ ଆଲୋକମାଳାରେ ସଜାଯାଇଛି। ସେହିପରି ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ମଧ୍ୟ ନିଜ ନିଜ ଘରକୁ ସଜେଇବା ସହିତ ବଡ଼ଦିନ ଉତ୍ସବର ମୁଖ୍ୟଆକର୍ଷଣ ଖ୍ରୀଷ୍ଟମାସ ଟ୍ରୀ’କୁ ଘରେ ଲଗାଇଛନ୍ତି । ଖ୍ରୀଷ୍ଟମାସ ଟ୍ରୀକୁ ବିଭିନ୍ନ ଫୁଲ, ଫଳ, ପଶୁ, ପକ୍ଷୀ, ଷ୍ଟାର, କ୍ରସ ଓ ବେଲୁନ ଆଦିରେ ସଜ୍ଜିତ କରାଯାଇଛି । ବଡ଼ଦିନ ଅବସରରେ ଚର୍ଚ୍ଚରେ ଅନୁଷ୍ଠିତ ହେଉଥିବା ସାମୂହିକ ପ୍ରାର୍ଥନା ଚଳିତ ବର୍ଷ ହେବା ନେଇ ଦ୍ବନ୍ଦ୍ବ ରହିଛି। ୟୂନିୟନ ଚର୍ଚ୍ଚକୁ ଚଳିତ ବର୍ଷ ୧୧୯ ବର୍ଷ ହୋଇଥିବାରୁ ଏଠାରେ ଶ୍ରଦ୍ଧାଳୁମାନଙ୍କର ଭିଡ଼ ଜମିବା ଆଶା କରାଯାଉଛି। ବଡ଼ଦିନ ଅବସରରେ ସାନ୍ତା ସମସ୍ତଙ୍କୁ ପାଇଁ ଖୁସି ଆଣିବାକୁ ପ୍ରାର୍ଥନା ହେଉଛି। ଚଳିତ ବର୍ଷ ଯେପରି କରୋନା ମହାମାରୀ ଦୁଃଖ ଆଣିଦେଇଛି ବଡ଼ଦିନରୁ ସବୁ କଷ୍ଟ ଦୂର ହୋଇ ସାନ୍ତା ମାଧ୍ୟମରେ ଖୁସି ଆସିବାକୁ ସମସ୍ତେ ପ୍ରାର୍ଥନା କରୁଥିବା ପରିଲକ୍ଷିତ ହୋଇଛି।

ସମ୍ବନ୍ଧିତ ଖବର