କୋଟିଆ ପାଇଁ ସୁପ୍ରିମ କୋର୍ଟରେ ଲଢ଼ିବ ସିଟିଜେନ୍ କମିଟି; ଜନସ୍ବାର୍ଥ ମାମଲା ଆବେଦନ ଦାଖଲ

ଏପ୍ରିଲ ୧ରେ ହେବ ସ୍ବତନ୍ତ୍ର ମହୋତ୍ସବ ଓ ସଚେତନତା; କୋଟିଆ ମହୋତ୍ସବ’ ପ୍ରତିବର୍ଷ କରିବାକୁ ଦାବି

ଜୟପୁର:  କୋରାପୁଟ ଜିଲ୍ଲା କୋଟିଆ ଗ୍ରାମ ପୁଞ୍ଜର ସୁରକ୍ଷା ପାଇଁ ଅଣ୍ଟାଭିଡ଼ି ବାହାରିଛନ୍ତି ଜିଲ୍ଲାର ବିଭିନ୍ନ ସଂଗଠନ। ଗତ ୧୬ ତାରିଖ ଦିନ ଜୟପୁର ସିଟିଜେନ୍ କମିଟି ସୁପ୍ରିମ କୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ପାଇଁ ଆବେଦନ ଦାଖଲ କରିଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ସିଟିଜେନ କମିଟିର କାର୍ଯ୍ୟକାରୀ ସଭାପତି ମୀନ କେତନ ଦାଶ।

ସେହିଭଳି କୋଟିଆ ଗ୍ରାମ ପୁଂଜବାସୀଙ୍କୁ ସେମାନେ କିଭଳି ମା’ ଓ ମାଟିକୁ ଭଲ ପାଇବେ ସେ ଦିଗରେ ସଚେତନତା ସୃଷ୍ଟି କରିବାକୁ ଆସନ୍ତା ୧ତାରିଖ ଉତ୍କଳଦିବସ କାର୍ଯ୍ୟକ୍ରମ ସେଠାରେ ପାଳନ କରାଯିବ। ସିଟିଜେନ୍ କମିଟି ସହ ଆମକୋଟିଆ, ଜଗନ୍ନାଥ ସଂସ୍କୃତି ଓ ଗବେଷଣା କେନ୍ଦ୍ର କୋରାପୁଟ ସହ ବହୁ ଅନୁଷ୍ଠାନ ଆଦି ଭାଗ ନେବାର କାର୍ଯ୍ୟକ୍ରମ ରହିଛି ବୋଲି ସଭାପତି ଶ୍ରୀ ଦାଶଓ ସଂପାଦକ ଗୀତା ପ୍ରକାଶ ମିଶ୍ର ସୂଚନା ଦେଇଛନ୍ତି। ୨୦୦୬ ମସିହାରେ ସୁପ୍ରିମକୋର୍ଟ କୋଟିଆ ମାମଲାକୁ ଡିସଚାର୍ଜ କରି ସ୍ଥିତବସ୍ଥା (ଷ୍ଟାଟସ୍ କୋ) ଜାରି କରିଥିଲା।

ସଂସଦ ହସ୍ତକ୍ଷେପ କରି ମାମଲାର ସମାଧାନ କରିବାକୁ ନିର୍ଦେଶ ରହିଥିଲା। ତେବେ ତାହା ହୋଇ ପାରିଲା ନାହିଁ। ଆନ୍ଧ୍ର ଓଡିଶା ସୀମାନ୍ତ ଅଂଚଳରେ ମାଡ଼ିବସିବା ଏବଂ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ସୀମାନ୍ତ ଅଂଚଳରେ କରୁଥିବା ଜାଣିବା ପରେ ରାଜ୍ୟ ସରକାର ଏସବୁକୁ ସୁପ୍ରିମ କୋର୍ଟକୁ ଅବଗତ କରି କୋର୍ଟ ଅବମାନନା ମାମଲା ରୁଜୁ କରାଇବାର ଥିଲା। ନେଢ଼ି ଗୁଡ଼ କହୁଣିକୁ ବୋହିବା ପରେ ଏବେ ଆନ୍ଧ୍ର ଅନୁପ୍ରେବେଶ କରି ପଂଚାୟତ ନିର୍ବାଚନ କରିବା ପରେ ରାଜ୍ୟ ସରକାର, କୋରାପୁଟ ଜିଲ୍ଲାପ୍ରଶାସନର ନିଦ ଭାଙ୍ଗିବା ସହ ସୁପ୍ରିମ କୋର୍ଟର ଦ୍ବାରସ୍ଥ ହେଲେ ବୋଲି କହିଛନ୍ତି ଶ୍ରୀ ଦାଶ। ବର୍ତ୍ତମାନ ଚାଳିଥିବା ମାମଲାରେ ଓଡିଶା ସରକାର ୪ସପ୍ତାହ ସମୟ ମାଗିଥିଲେ।

ଯଦିଓ ସରକାର ନିଜ ଅଂଚଳର ବୋଲି ପ୍ରମାଣିତ କରିବା ପାଇଁ ୫୦ରୁ ଉର୍ଦ୍ଧ୍ବ ପ୍ରମାଣବି ଯୋଗାଡ଼ କରି ଦାଖଲ କରିବା ପ୍ରସ୍ତୁତିରେ ରହିଛନ୍ତି। ଏହି ମାମଲାର ରାୟ ଯାହା ହେଲେ ମଧ୍ୟରେ ଆମେ ଆମ ଅଂଚଳର ଇଂଚେ ଜମି ଦେବୁ ନାହିଁ। ମାଡ୍ରସପ୍ରେଭିନସ୍ ଅଧିନରେ ଥିବା ଜୟପୁର ମହାରାଜାଙ୍କ ଅଧିନରେ ମାଡଗୁଲ ଓ ପାଚିପେଣ୍ଟା ଗଡ଼ଜାତ ଅଂଚଳ ରହିଥିଲା। ୧୯୩୬ମସିହାରେ ପ୍ରଥମେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହେବାର ୨୦ବର୍ଷ ପରେ ୧୯୫୬ମସିହାରେ ଆନ୍ଧ୍ରପ୍ରଦେଶ ଗଠନ ହୋଇଥିଲା। ଏହା ବାଦ୍‌ ବି ଆନ୍ଧ୍ର କୋଟିଆକୁ ନିଜ ଅଂଚଳ ବୋଲି କହିବା ହାସ୍ୟସ୍ପଦ। ଏହି ଅଂଚଳର ବିବାଦୀୟ କୋଟିଆ ଅଂଚଳର ସୀମା ନିର୍ଦ୍ଧାରଣ ହୋଇନଥିବାରୁ ଏସବୁ ବିବାଦ ଦେଖାଦେଉଛି। ସୂଚନା ଯୋଗ୍ୟ, ୧୯୫୬ଓ ୬୨ରେ ଏଠାରେ ଓଡିଶା ପଂଚାୟତ ନିର୍ବାଚନ ବି କରି ଆସିଛି। ୧୯୯୦ମସିହାରେ ବି ଏଭଳି ସମସ୍ୟାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକବି ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇ ସମାଧାନ କରିବାକୁ ଅନୁରୋଧ କରିଥିଲେ। ଏବେ ପୁଣି ଏହି ମାମଲାକୁ ନେଇ ପ୍ରଧାନମନ୍ତ୍ରୀ ଓ ଗୃହରାଷ୍ଟ୍ରମନ୍ତ୍ରୀଙ୍କୁ କମିଟିର ସଭାପତି ଶ୍ରୀ ଦାଶ ଦୃଷ୍ଟି ଆକ‌ର୍ଷଣ କରାଇଥିବା କହିଛନ୍ତି। ଆନ୍ଧ୍ର ଅନୁପ୍ରବେଶ କରି ଏଠାରେ ପଂଚାୟତ ନିର୍ବାଚନ କରି ନେଲା ଅଥଚ ଆମର ପୁଲିସ ଓ ପ୍ରଶାସନ କିଛି ପଦକ୍ଷେପ ନ ନେବା ଅତ୍ୟନ୍ତ ଦୁଃଖଦାୟକ, ଦୁର୍ଭାଗ୍ୟଜନକ। ରାଜନୈତିକ ନେତା ମାନଙ୍କର ଇଛାଶକ୍ତି ଓ ପ୍ରଶାସନର ଦୁରଦୃଷ୍ଟି ଅଭାବ, ଠିକଣା ସମୟରେ ପଦକ୍ଷେପ ନ ନେବା ଆମେ ଭୋଗିବାକୁ ପଡ଼ୁଛି। ପ୍ରତିବର୍ଷ ଏଠାରେ ‘କୋଟିଆ ମହୋତ୍ସବ’ ପାଳନ କରି ଲୋକଙ୍କୁ ସରକାରୀ କାର୍ଯ୍ୟକ୍ରମ, ପ୍ରଶାସନିକଅଧିକାରୀ, ଜନପ୍ରତିନିଧିଙ୍କ ସହ ମିଳାମିଶାର ସୁଯୋଗ ଦେଇ ଭିନ୍ନ ପରିସ୍ଥିତି ସୃଷ୍ଟି କରିବାକୁ ପଢ଼ିବ ବୋଲି କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଗୌର ହରି ନାୟକ, ସୁବାସ ପଣ୍ଡା, ଯାଦବ ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର