କୋରାପୁଟ: ୨୧ ୱାର୍ଡ ବିଶିଷ୍ଟ କୋରାପୁଟ ପୌରାଞ୍ଚଳର ସଫେଇ ଦାୟିତ୍ଵ ନେଇଛି ୨ଟି ଘରୋଇ ସଂସ୍ଥା। ତେବେ ଉପଯୁକ୍ତ ଦେଖାରଖା ଓ ପରିଚାଳନା ସମନ୍ବୟ ଅଭାବରୁ ଅସୁବିଧା ଭୋଗୁଛନ୍ତି  ସହରବାସୀ । ସଫେଇ ପାଇଁ ପ୍ରତିମାସରେ ପୌରସଂସ୍ଥା ପକ୍ଷରୁ ୧୫ ଲକ୍ଷ ଟଙ୍କା ଗଣୁଛି। ହେଲେ ଏହି ସଂସ୍ଥା ଠିକ ଭାବେ ସଫେଇ କାର୍ଯ୍ୟ କରୁ ନଥିବା ଅଭିଯୋଗ ହୋଇଛି ।

Advertisment

ସହରର ବିଭିନ୍ନ ସ୍ଥାନରେ କୁଢ କୁଢ ମଇଳା ଆବର୍ଜନା ପଡିରହିଥିବା ବେଳେ ଡ୍ରେନ୍ ମଧ୍ୟ ସଫା କରାଯାଉ ନାହିଁ । ଫଳରେ ଚାରିଆଡେ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ଏନେଇ ୱାର୍ଡବାସୀ ପୌର କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରୁଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି । ସାମାନ୍ୟ ବର୍ଷା ହେଲେ ରାସ୍ତା ଉପରେ ପାଣି ଚାଳିବା ସହ ସହରର ଆବର୍ଜନା ରାସ୍ତା ଉପରେ ଚାଳୁଛି। ତା ସହ ନାଳର ସଫେଇ ନ କରିବାରୁ ପାଣି ରାସ୍ତାରେ ଚାଳିବା ଫଳରେ ରାସ୍ତା ବି ଖରାଫ ହେଉଛି। 

ରାଜ୍ୟରେ ଶାବର ଶ୍ରୀକ୍ଷେତ୍ର ଭାବେ କୋରାପୁଟ ସହରର ସ୍ବତନ୍ତ୍ର ପରିଚୟ ରହିଛି । ଏହାଛଡା ଏହାର ପ୍ରାକୃତିକ ପରିବେଶ ଲୋକଙ୍କୁ ଆକୃଷ୍ଟ କରିଆସୁଛି । ଚାରି ଠାକୁରଙ୍କ ଦର୍ଶନ ତଥା ଜିଲ୍ଲାର ପ୍ରାକୃତିକ ସବୁଜ ପରିବେଶକୁ ଉପଭୋଗ କରିବା ପାଇଁ ପ୍ରତିଦିନ ରାଜ୍ୟର କୋଣଅନୁକୋଣ ସହିତ ପଡୋଶୀ ରାଜ୍ୟ ଓ ବିଦେଶରୁ ମଧ୍ୟ ପର୍ଯ୍ୟଟକ କୋରାପୁଟ ଆସୁଛନ୍ତି।

ବହୁ ପର୍ଯ୍ୟଟକ ଏଠାରେ ରହି ଜିଲ୍ଲାର ଅନ୍ୟ ପର୍ଯ୍ୟଟନସ୍ଥଳକୁ ବୁଲିବାକୁ ଯାଉଛନ୍ତି। ହେଲେ ସହରର ବିଭିନ୍ନ ସ୍ଥାନରେ କୁଢ କୁଢ ଆବର୍ଜନା ଦେଖି ପର୍ଯ୍ୟଟକମାନେ  ନାକ ଟେକୁଚନ୍ତି। ସଫେଇ ଦାଇତ୍ବ ନେଇଥିବା ଘରୋଇ ସଂସ୍ଥାର କର୍ମଚାରୀ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ କେବଳ ମୁଖ୍ୟ ରାସ୍ତା ସଫା କରୁଛନ୍ତି । ହେଲେ ଆଭ୍ୟନ୍ତରୀଣ ରାସ୍ତା ଓ ଡ୍ରେନ ଡ୍ରେନ ସଫା କରୁନାହାନ୍ତି । ପୌରପରିଷଦ ମାସକୁ ମାସ ଟଙ୍କା ପ୍ରଦାନ କରି ସଫେଇ କାର୍ଯ୍ୟକୁ ତଦାରଖ କରୁ ନଥିବାରୁ ଠିକା ସଂସ୍ଥା ମନମାନି କରିଥିବା ସହରବାସୀ ଅଭିଯୋଗ କରିଛନ୍ତି ।

ସହରରେ ପ୍ରାୟ ୮୦ କିଲୋମିଟରରୁ  ଅଧିକ ଡ୍ରେନ୍ ରହିଛି। କେଉଠି ଡ୍ରେନରେ ଅଳିଆ ଆବର୍ଜନା ପଡି ପୋତି ହୋଇଗଲାଣି ତ ଆଉ କେଉଠି ପାଣିଜମି ଦୁର୍ଗନ୍ଧ ପରିବେଶ ସୃଷ୍ଟି କରୁଛି। ୱାର୍ଡବାସୀ ପୌର ପର୍ତ୍ତୃପକ୍ଷଙ୍କୁ ଜଣାଇଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଉ ନାହିଁ । ସେହିପରି ସହର ମଧ୍ୟରେ ଥିବା ଓଫେନ୍ ଜିମ୍ କିମ୍ବା ପାର୍କ ଗୁଡିକର ସଫା ସୁତରା ବି ପୌରପାଳିକା କିମ୍ବା ଘରୋଇ ସଫେଇ ସଂସ୍ଥା ପକ୍ଷରୁ କରାଯାଉନି। ୧୯୦ଜଣ ଅସ୍ଥାୟୀ ସଫେଇ କର୍ମଚାରୀଙ୍କୁ ନେଇ ଏହି ସଂସ୍ଥା କାମ କରୁଛି।

ତେବେ ସଂସ୍ଥାରେ କାମ କରୁଥିବା ସଫେଇ କର୍ମଚାରୀଙ୍କୁ ହାତରେ ପିନ୍ଧିବାକୁ ଗ୍ଲୋବସ୍ ଓ ପାଦରେ ପିନ୍ଧିବାକୁ ପ୍ଲାଷ୍ଟିକ୍ ବୁଟ୍ ଦେବା କଥା ତାହା ବି ଦେଇ ନଥିବା ଦେଖିବାକୁ ମିଳିଛି। ଜିଲ୍ଲା ସଦରମହକୁମାର ଅବସ୍ଥା ଯଦି ଏଭଳି ତେବେ ଜିଲ୍ଲାର ଅନ୍ୟ ପୌରାଂଚଳ ଓ ଏନଏସିର ଅବସ୍ଥା କିଭଳି ରହିଥିବ ତାହା ସହଜେ ଅନୁମେୟ।