ଖୋର୍ଦ୍ଧା: ଲଘୁଚାପ ଜନିତ ବର୍ଷାରେ ଖୋର୍ଦ୍ଧା ସହରର ଅବସ୍ଥା ଅସମ୍ଭାଳ ହୋଇଛି। ବର୍ଷା ପୂର୍ବରୁ ସହରର ଆବର୍ଜନା ନିଷ୍କାସନ ବ୍ୟବସ୍ଥା ସଜାଡ଼ିବା ପାଇଁ ନୂତନ ପୌରପରିଷଦ ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା ଫସର ଫାଟିଯାଇଛି। ଗତ ତିନିଦିନରେ ମାତ୍ର ୫୦ ମିମି ବର୍ଷାରେ ସହରର ଅନେକ ପ୍ରମୁଖ ରାସ୍ତାଘାଟରେ ଆଣ୍ଠୁଏ ପାଣି ଛୁଟୁଛି । ପାଣିପାଗ ବିଭାଗର ସୂଚନାନୁସାରେ, ଖୋର୍ଦ୍ଧା ବ୍ଲକ ଓ ପୌରାଞ୍ଚଳରେ ୧୧ ତାରିଖରେ ୩୫ ମିମି, ୧୨ ତାରିଖରେ ୫ ମିମି ଓ ଆଜି ଅପରାହ୍ଣ ସୁଦ୍ଧା ୧୦ ମିମି ବର୍ଷା ରେକର୍ଡ କରାଯାଇଛି।

Advertisment

ତିନିଦିନରେ ମାତ୍ର ୫୦ ମିମି ବର୍ଷାରେ ଖୋର୍ଦ୍ଧା ସହରର ଅନେକ ପ୍ରମୁଖ ରାସ୍ତା ବିଶେଷତଃ ଖୋର୍ଦ୍ଧା-ନୟାଗଡ଼ ରାସ୍ତା ଓ ଚଣ୍ଡିଚୁଆ ଛକ, ପ୍ରାୟ ସମସ୍ତ ବସ୍ତି ଅଞ୍ଚଳରେ ପାଣିର ସୁଅ ଛୁଟୁଛି। ସହରର ଏଭଳି ଅବସ୍ଥା ପାଇଁ ଜନସାଧାରଣ ସିଧାସଳକ ପୌର ପରିଷଦ ଓ ପ୍ରଶାସନକୁ ଦାୟୀ କରିଛନ୍ତି। ପୌର ପରିଷଦ ନିର୍ବାଚନ ପୂର୍ବରୁ ବର୍ତମାନର ଜିତିଥିବା ପୌରାଧ୍ୟକ୍ଷା ଓ ୱାର୍ଡ଼ର କାଉନ୍ସିଲର ମାନେ ସହରର ଆବର୍ଜନା ନିଷ୍କାସନ ବ୍ୟବସ୍ଥାକୁ ପ୍ରାଥମିକତା ଦେଇ ଏହାର ସ୍ଥାୟୀ ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ନିର୍ବାଚିତ ପ୍ରତିନିଧିଙ୍କ ଏହା ମଧ୍ୟରେ ୬ ମାସ ବିତିଯାଇଛି, କିନ୍ତୁ କୌଣସି ସୁଫଳ ମିଳିନାହିଁ। କେବଳ ଏହାନୁହେଁ ତିନି ମାସ ପୂର୍ବେ ସହରର ନାଳ ସଫା କରିବା ଓ ମରାମତି କରିବା କାମରେ ହୋଇଥିବା ଟେଣ୍ଡରରେ ଚଞ୍ଚକତା ହୋଇଥିବା ଅଭିଯୋଗ ହୋଇଥିଲା।

publive-image Sambad

ଯଦିଓ ଏହି ଚଞ୍ଚକତାକୁ ପୌରାଧ୍ୟକ୍ଷ ଅସ୍ୱୀକାର କରିଥିଲେ, କିନ୍ତୁ ସ୍ଥଳବିଶେଷରେ ସହରର ଆବର୍ଜନା ନିଷ୍କାସନରେ ଯଥାପୂର୍ବମ୍ ତଥାପରମ୍ ଅବସ୍ଥାରେ ଏହି ଅଭିଯୋଗ ପ୍ରତି ଅଧିକ ସନେ୍ଦହ ଦୃଢ଼ୀଭୂତ ହେଉଛି। ଚଳିତ ମାସ ୧ ତାରିଖରେ ଖୋର୍ଦ୍ଧା ବ୍ଲକରେ ହୋଇଥିବା ପ୍ରଶାସନର ମିଳିତ ଅଭିଯୋଗ ପ୍ରକୋଷ୍ଠରେ ଆବର୍ଜନା ନିଷ୍କାସନକୁ ନେଇ ଅଭିଯୋଗ ଦାଖଲ ହୋଇଥିଲା। ଏହି ଅଭିଯୋଗରେ ୧୨ନମ୍ବର ୱାର୍ଡ଼ର ବାସିନ୍ଦା ଦର୍ଶାଇଥିଲେ ଯେ ଖୋର୍ଦ୍ଧା - ନୟାଗଡ଼ ରାସ୍ତାର ଡିଆଇଟି ଠାରୁ ଚଣ୍ଡିଚୁଆ ଛକ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବ ନାଳର ବ୍ୟବସ୍ଥା ନାହିଁ। ସାମାନ୍ୟ ବର୍ଷାରେ ମଧ୍ୟ ଜଳ ରାସ୍ତା ଓ ଆଖପାଖ ଅଂଚଳରେ ଜମି ରହୁଛି। ୧୫ ନମ୍ବର ୱାର୍ଡ଼ର ସିସି ରାସ୍ତା କଲଭର୍ଟର ନିଷ୍କାସନ ବ୍ୟବସ୍ଥାକୁ ପ୍ରତିରୋଧ କରୁଥିବାରୁ ଜଳ ନିଷ୍କାସିତ ହୋଇପାରୁନାହିଁ। ଜିଲ୍ଲାପାଳ ଏହାକୁ ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କ ନିକଟକୁ ଚିହ୍ନଟ କରି ପଠାଇଦେଇଥିଲେ। ଏହା ମଧ୍ୟରେ ୧୨ ଦିନ ବିତିଯାଇଛି, କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଇନାହିଁ।