କେନ୍ଦ୍ରାପଡ଼ା: ଇଚ୍ଛାପୁରସ୍ଥିତ ଶାମଗୁଡ଼ିଆକୁ ଜିଲ୍ଲା ହସ୍ପିଟାଲ୍ ସ୍ଥାନାନ୍ତରିତ ହେବା ପରେ ଖଡ଼ିଅଙ୍ଗସ୍ଥିତ ପୁରୁଣା ମେଡିକାଲ୍କୁ ସିଟି ହସ୍ପିଟାଲ୍ କରିବା ଦାବି ଦିନକୁ ଦିନ ତେଜିବାରେ ଲାଗିଛି। ଆଜି ଏହି ପ୍ରସଙ୍ଗରେ ସହରବାସୀ ଅମର ଉଦ୍ୟାନରେ ଏକାଠି ହୋଇଛନ୍ତି। କେବଳ ଏକାଠି ହୋଇଛନ୍ତି ତା’ ନୁହେଁ, ଦାବି ପୂରଣ ପାଇଁ ଆସନ୍ତା ୧୭ତାରିଖ ମ˚ଗଳବାର କେନ୍ଦ୍ରାପଡ଼ା ସହର ବନ୍ଦ ଡାକରା ଦେଇଛନ୍ତି। ଏଥିରେ ସବୁ ବର୍ଗର ଲୋକ ସାମିଲ୍ ହେବାକୁ ମିଳିତ କ୍ରିୟାନୁଷ୍ଠାନ କମିଟି ନିବେଦନ କରି ଆଜି ସ˚ଧ୍ୟାରେ ବାଇକ୍ ଶୋଭାଯାତ୍ରା ଜରିଆରେ ସହର ପରିକ୍ରମା କରିଛି। କେବଳ ସ୍ତ୍ରୀ ଓ ପ୍ରସୂତି ବିଭାଗ ଏବ˚ ରକ୍ତ ଭଣ୍ତାରକୁ ଛାଡ଼ି ଦେଲେ ବାକି ସବୁ ବିଭାଗ ଗତ ୯ତାରିଖରେ ଶାମଗୁଡ଼ିଆସ୍ଥିତ ନୂଆ ଛଅ ତାଲା ବିଶିଷ୍ଟ କୋଠାକୁ ସ୍ଥାନାନ୍ତରିତ ହୋଇଛି। ଏହି ସ୍ଥାନାନ୍ତରକୁ ସହରବାସୀ ସ୍ବାଗତ କରୁଥିଲେ ବି ପୁରୁଣା ମେଡିକାଲ୍କୁ ସିଟି ହସ୍ପିଟାଲ୍ କରିବାକୁ ଦାବି କରି ଆସୁଛନ୍ତି। କିନ୍ତୁ କର୍ତୃପକ୍ଷ ପୁରୁଣା ମେଡିକାଲ୍କୁ ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ର କରିଛନ୍ତି। ଫଳରେ ରୋଗୀ ମାନଙ୍କ ପାଇଁ କେବଳ ଆଉଟଡୋର୍ ସୁବିଧା ସକାଳ ୮ରୁ ୧୨ ଏବ˚ ୪ରୁ ୬ଟା ଯାଏ ଉପଲବ୍ଧ ହେଉଛି। ଆଉଟଡୋର୍ ପରିବର୍ତେ ଇନଡୋର୍(ରୋଗୀ ଆଡମିସନ୍ ବ୍ୟବସ୍ଥା) ସୁବିଧା ସହିତ ସିଟି ହସ୍ପିଟାଲ୍ କରିବାକୁ ସହରବାସୀ ଦାବି କରୁଛନ୍ତି। ଏହି ଦାବି ନେଇ ଗତ ୬ତାରିଖରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପ୍ରଥମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରାଯିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହାର ଛଅ ଦିନ ପରେ ଗତ ଗୁରୁବାର କେନ୍ଦ୍ରାପଡ଼ା ପୌରପାଳିକାର କାଉନସିଲରମାନେ ଏହି ପ୍ରସଙ୍ଗରେ ସାମ୍ନାକୁ ଆସିଥିଲେ। ପୌରାଧୢକ୍ଷା ସରିତା ସାହୁଙ୍କ ନେତୃତ୍ବରେ ୨୧କାଉନସିଲରଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ଦିଆଯାଇଥିଲା।
ଦାବି ଥିଲା କେନ୍ଦ୍ରାପଡ଼ା ସହରର ୫୦ହଜାରରୁ ଅଧିକ ଲୋକ ଏବ˚ ପଡେ଼ାଶୀ ୧୦ଟି ପ˚ଚାୟତର ଲୋକ ପୁରୁଣା ମେଡିକାଲ୍ ଉପରେ ନିର୍ଭର କରୁଥିବାରୁ ଏହାକୁ ସିଟି ହସ୍ପିଟାଲ୍ କରାଯାଉ। କିନ୍ତୁ ବିଭାଗୀୟ କର୍ତୃପକ୍ଷ ଏ ଦିଗରେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରୁନଥିବାରୁ ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ତେଜିବାରେ ଲାଗିଛି। ଏହାର ପରିଣାମ ସ୍ବରୂପ ଆଜି ଅମର ଉଦ୍ୟାନରେ ସହରର ବିଭିନ୍ନ ବର୍ଗର ଲୋକଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପୂର୍ବତନ କାଉନସିଲର ପ୍ରଫୁଲ୍ଲ କୁମାର ସାହୁ, ପ୍ରଶାନ୍ତ ସି˚ହ, ହିଫ୍ଜୁ ରହେମାନଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ବୈଠକରେ ଦାବି ସ˚ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ସର୍ବସମ୍ମତିକ୍ରମେ ଆସନ୍ତା ୧୭ତାରିଖରେ କେନ୍ଦ୍ରାପଡ଼ା ସହର ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି। ଏହା ସହିତ ଦାବି ପୂରଣ ନ ହେବା ଯାଏ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରାଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି। ବୈଠକ ପରେ କମିଟି ପକ୍ଷରୁ ସ˚ଧୢାରେ ଏକ ବାଇକ୍ ଶୋଭାଯାତ୍ରା ଅମର ଉଦ୍ୟାନରୁ ବାହାରି ସହର ପରିକ୍ରମା କରିଥିଲା। ଏଥିରେ ଶତାଧିକ ଲୋକ ସାମିଲ୍ ହେବା ସହିତ ଆସନ୍ତା ୧୭ତାରିଖ ବନ୍ଦ ଡାକରାକୁ ସଫଳ କରିବାକୁ ନିବେଦନ କରାଯାଇଥିଲା। କମିଟି କହିଛି ଖଡ଼ିଅଙ୍ଗସ୍ଥିତ ପୁରୁଣା ମେଡିକାଲ୍ ସହରର ୫୦ହଜାରରୁ ଅଧିକ ଲୋକ ଏବ˚ ପଡେ଼ାଶୀ ୧୦ଟି ପ˚ଚାୟତର ଲୋକଙ୍କ ପାଇଁ ବହୁତ ସୁବିଧା ହେଉଥିଲା। କିନ୍ତୁ ପାଞ୍ଚ କିଲୋମିଟର ଦୂର ଇଚ୍ଛାପୁରକୁ ମେଡିକାଲ୍ ସ୍ଥାନାନ୍ତର ହେବା ପରେ ସହରବାସୀ ବହୁ ହଇରାଣର ସମ୍ମୁଖୀନ ହେଉଛନ୍ତି। ସାମନ୍ୟ ଥଣ୍ତା କିମ୍ବା ଜ୍ବର ହେଲେ ଏତେ ବାଟ ଯିବାକୁ ପଡ଼ୁଛି। ତେଣୁ ଏଠାରେ ପୌରାଞ୍ଚଳ ଓ ପଡେ଼ାଶୀ ପ˚ଚାୟତବାସୀଙ୍କ ପାଇଁ ସିଟି ହସ୍ପିଟାଲ୍ କରାଯାଉ। ଆଜିର ଏହି ବୈଠକରେ ଅନ୍ୟମାନଙ୍କ ମଧୢରେ ପୂର୍ବତନ କାଉନସିଲର ସୌମେନ୍ଦ୍ର ପୃଷ୍ଟି, କାଉନସିଲର ଉମେଶ ନାୟକ, ଗୋପୀନାଥ ବାରିକ, ଅମର ବିଶ୍ବାଳ, ସେକ୍ ଅଜମଲ, ମୁକ୍ତାର ଖାଁ, ଗୟାଧର ଧଳ, ଗୋପାଳ ମହାପାତ୍ର, ଭୀମସେନ ବେହେରାଙ୍କ ସମେତ ଶତାଧିକ ଲୋକ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/9A4A2492-6CA4-4303-879A-10340EFD884A091524.jpg)