ସିଭିଲଟାଉନସିପ୍‌ର ଆଉ ଏକ ଜମି କେଳେଙ୍କାରୀ; ମୂଲ୍ୟବାନ ଜମି ହାତେଇବାକୁ ଚାଲିଛି ଷଡଯନ୍ତ୍ର

ରାଉରକେଲା: ଶିଳ୍ପପତି ଓ ବ୍ୟବସାୟୀଙ୍କ ଟାର୍ଗେଟରେ ଆବାସିକସ୍ଥଳୀ ସିଭିଲଟାଉନସିପ୍‌ର କୋଟି କୋଟି ଟଙ୍କାର ମୂଲ୍ୟବାନ ଜମି। ଏମାନଙ୍କୁ ଶାଗମାଛ ଦରରେ ଟେକି ଦେବାକୁ ମଧ୍ୟସ୍ଥି ସାଜିଛନ୍ତି ଲ୍ୟାଣ୍ଡ ଆଲଣ୍ଟମେଣ୍ଟ କମିଟି (ଏଲ୍‌ଏସି) ଓ ଜିଲ୍ଲା ପ୍ରଶାସନର କିଛି ପ୍ରଭାବଶାଳୀ ବାବୁ। ଏଭଳି ବେଆଇନ କାର୍ଯ୍ୟ ପାଇଁ ଏଲ୍‌ଏଲସିକୁ ଅନେକବାର ବିରୋଧର ସାମ୍‌ନା କରିବାକୁ ପଡିଛି। ହାଇକୋର୍ଟ ମଧ୍ୟ ହସ୍ତକ୍ଷେପ କରି ଜିଲ୍ଲା ପ୍ରଶାସନକୁ ରିପୋର୍ଟ ତଲବ କରିଛନ୍ତି। ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ମୂଲ୍ୟବାନ ଜମିର ନିଲାମ ପ୍ରକ୍ରିୟାକୁ ପ୍ରଶାସନିକ ଅଧିକାରୀ ଶେଷରେ ବାତିଲ କରିବାକୁ ବାଧ୍ୟ ହୋଇଛନ୍ତି। ଏହା ସତ୍ବେ ସ୍ଥିତି ସୁଧୁରୁନାହିଁ।

ନିକଟରେ ଇଡ୍‌କୋ ସିଭିଲଟାଉନସିପ୍‌ର ଏକ ମୂଲ୍ୟବାନ ଜମିକୁ ଜଣେ ବ୍ୟବସାୟୀଙ୍କୁ ଟେକିଦେବାରୁ ବିବାଦ ଉପୁଜିଥିଲା। ବିବାଦ ଥମି ନାହିଁ। ମାମଲା କୋର୍ଟରେ ବିଚାରଧୀନ ରହିଛି। ଏହି ସମୟରେ ପୁଣି ଆଉ ଏକ ଜମି କେଳେଙ୍କାରୀ ଘଟଣା ପଦାକୁ ଆସିଛି। ହୋଟେଲ ଓ ସିନେମା ହଲ୍‌ ନିର୍ମାଣ ନାଁରେ ସହରର ଦୁଇ ଜଣ ବ୍ୟବସାୟୀଙ୍କୁ ଜମିଦେବାକୁ ପର୍ଯ୍ୟଟନ ବିଭାଗ ଇଡ୍‌କୋକୁ ପରିଚାଳନା ନିର୍ଦ୍ଦେଶଙ୍କୁ ଚିଠି ଲେଖିଛନ୍ତି।

ସେହି ବିବାଦୀୟ ଜମିରୁ ୬୫ ଡେସିମିଲ୍‌ ଉକ୍ତ ଦୁଇ ବ୍ୟବସାୟୀଙ୍କ ହାତକୁ ଟେକି ଦେବାକୁ ଉଦ୍ୟମ ହେଉଛି। ପର୍ଯ୍ୟଟନ ବିଭାଗର ଚିଠି ନଂ ୪୪୯୩ ତା. ୧୨.୫.୨୦୨୧ ଅନୁଯାୟୀ, ଇଡ୍‌କୋର ଅଧିକାରୀ ବିବାଦୀୟ ୧ ଏକର ୨୫ ଡିସେମିଲ୍‌ ଜମିରୁ ୬୫ ଡେସିମିଲ୍‌ ଜମି ଦୁଇ ଜଣ ବ୍ୟବସାୟୀଙ୍କୁ ଶାଗମାଛ ମୂଲ୍ୟରେ ଟେକି ଦେବାକୁ ମସୁଧା ଚଳାଇଛନ୍ତି। ଇଡ୍‌କୋର ଭୁବନେଶ୍ବର ମୁଖ୍ୟ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ, ୟୁନିଟ୍‌ -୪୨ର ୪୦ ଡେସିମିଲ୍‌ ଜାଗା ‘ହୋଟେଲ ଦି ନ୍ୟୁ ଭ୍ୟୁ’ ନିର୍ମାଣ ପାଇଁ ମେର୍ସସ ଏସ୍‌.ଆର୍‌. ଟେକ୍ନୋଲୋଜିକୁ ଓ ମଲ୍ଟିଫ୍ଲେକ୍ସ ନିର୍ମାଣ ପାଇଁ ୨୫ ଡେସିମିଲ୍‌ ଜାଗା ମେର୍ସସ୍‌ ଏମ୍‌ଟିଭି ସିନେମେଜିକ୍‌କୁ ଦିଆଯିବ। ‌ହୋଟେଲ ନିର୍ମାଣରେ ସମ୍ପୃକ୍ତ ଦୁଇ ସଂସ୍ଥା ୯ କୋଟି ୨୬ ଲକ୍ଷ, ମଲ୍ଟିଫ୍ଲେକ୍ସ ନିର୍ମାଣରେ ୪ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ କରିବେ ବୋଲି ଜଣାପଡିଛି।

ସବୁଠୁ ଆଶ୍ଚର୍ଯ୍ୟ କଥା, ଦୁଇ ସଂସ୍ଥାକୁ ଦିଆଯିବାକୁ ଥିବା ମୋଟ୍‌ ୬୫ ଡେସିମିଲ୍‌ ଜାଗାର ମାଲିକାନାସତ୍ବ ଇଡ୍‌କୋର ପାଖରେ ନାହିଁ। ଏହା ଇଡ୍‌କୋର ବିଭାଗୀୟ ଅଧିକାରୀ ଚିଠିରେ ଉଲ୍ଲେଖ କରିଛନ୍ତି। ମାଲିକାନାସତ୍ବ ପାଇନଥିବା ଜାଗାକୁ ଇଡ୍‌କୋ କେମିତି ଦୁଇ ସଂସ୍ଥାକୁ ଟେକି ଦେବାକୁ ଉଦ୍ୟମ କରୁଛନ୍ତି, ତାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ।

ଇଡ୍‌କୋର ଏହି କାର୍ଯ୍ୟକୁ ଏକ ବଡ଼ ଧରଣର ଦୁର୍ନୀତି ବୋଲି ଦୁଇ ରାଜନୈତିକ ଦଳ ବିଜେପି ଓ କଂଗ୍ରେସ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ୨୦୧୪ରେ ଏଲ୍‌ଏସି ସିଭିଲଟାଉନସିପ୍‌ରେ ଇଡ୍‌କୋ ଟାୱାର ନିର୍ମାଣ କରିବାକୁ ଇଡ଼କୋକୁ ୧.୨୫ ଏକର ଜମି ପ୍ରଦାନ କରିଥିଲେ। ଏଥିରୁ ୨୦% ଜାଗା ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିବାକୁ କୁହାଯାଇଥିଲା। ଅବଶିଷ୍ଟ ଜାଗାରେ ଇଡ୍‌କୋ ଭୁବନେଶ୍ବର ପରି ଇଡ୍‌କୋ ଟାୱାର ନିର୍ମାଣ ହୋଇଥାନ୍ତା। ସେଠାରେ ଉଭୟ ସରକାରୀ ଓ ବେସରକାରୀ ଅଫିସ୍ ରହିଥାନ୍ତା। ୨୦୧୪ରୁ ୨୦୨୦ ପର୍ଯ୍ୟନ୍ତ ଇଡ୍‌କୋ ଏହି ଜାଗା ବାବଦରେ ଟଙ୍କା ଜମା କରି ନଥିଲା। ଗତ ୨୦୨୧ ମାର୍ଚ୍ଚରେ ତତ୍କାଳୀନ ବିବାଦୀୟ ତହସିଲଦାର ମାନସ ରଞ୍ଜନ ସାହୁ ଡେସିମିଲକୁ ୧ ଲକ୍ଷ ଟଙ୍କା ହିସାବରେ ଅର୍ଥ ଜମା କରିବାଲାଗି ଇଡ୍‌କୋକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଅର୍ଥ ଜମା କରା ଯାଇ ନଥିଲା କି ଇଡ଼କୋକୁ ମାଲିକାନାସତ୍ବ ମିଳି ନିଥିଲା। ମାଲିକାନାସତ୍ବ ନଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଲ୍ୟାଣ୍ଡ ଆଲଣ୍ଟମେଣ୍ଟ କମିଟିର ଏହି ଜମିରୁ ୬୦ ଡେସମିଲ୍‌ ଜାଗାକୁ ଇଡ୍‌କୋ ରିଲାଏବୁଲ ସ୍ପଞ୍ଜ ଆଇରନ ସଂସ୍ଥାକୁ ଶାଗମାଛ ଦରରେ ଟେକି ଦେଇଥିଲା।

ଏହି ଜାଗାରେ ସ୍ପଞ୍ଜ ଆଇରନ ସଂସ୍ଥାର ମାଲିକ ‘ଗ୍ରାଣ୍ଡ ଓଡ଼ିଶା’ ନାଁରେ ଏକ ହୋଟେଲ ନିର୍ମାଣ କରିବାକୁ ଯୋଜନା କରିଥିଲେ। ଏହାକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ହାଇକୋର୍ଟ ଏହି ବିବାଦୀୟ ଜମି କେଳେଙ୍କାରୀ ସମ୍ପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣୀ କରି ମାମଲାର ତଦନ୍ତ କରି ବିସ୍ତୃତ ରିପୋର୍ଟ ଦେବାକୁ କୋର୍ଟ ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୦୨୨ ଫେବ୍ରୁଆରି ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶନାମାରେ ଦର୍ଶାଯାଇଛି। ଲ୍ୟାଣ୍ଡ ଆଲଣ୍ଟମେଣ୍ଟ କମିଟିର ମୁଖ୍ୟ ଭାବେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ନାଁରେ ଅଭିଯୋଗ ଥିବାରୁ କୋର୍ଟ ରାଜସ୍ବ ବିଭାଗକୁ ତଦନ୍ତଭାର ଦେଇଛନ୍ତି। ତଦନ୍ତ ରିପୋର୍ଟ ଦାଖଲ ନ ‌ହେବା ପର୍ଯ୍ୟନ୍ତ ବିବାଦୀୟ ଜମିରେ କୌଣସି ନିର୍ମାଣ କରାଯାଇ ପାରିବ ନାହିଁ। କୋର୍ଟ ରାଜସ୍ବ ବିଭାଗକୁ ରିପୋର୍ଟ ଦେବା ପରେ ପକ୍ଷଭୁକ୍ତ ଅଭିଯୋଗ ଆସିଥିବା ସୁନ୍ଦରଗଡ ଜିଲ୍ଲାପାଳ, ଇଡ଼୍‌କୋ ଅଧିକାରୀ ଓ ବ୍ୟବସାୟୀଙ୍କ ଅଡୁଆ ବଢ଼ିଛି।

ସମ୍ବନ୍ଧିତ ଖବର