ଧାନ ବିକ୍ରି ପରିମାଣ କମାଇବାକୁ ଦାବି :କ୍ଷତିପୂରଣ ପାଇଁ ଦାବିପତ୍ର

ପଦ୍ମପୁର: ଚିର ମରୁଡ଼ି ପ୍ରପୀଡ଼ିତ ପଦ୍ମପୁର ଉପଖଣ୍ଡରେ ଚଳିତ ବର୍ଷ ବି ମରୁଡ଼ି ଓ ରୋଗ ପୋକ ଯୋଗୁଁ ଫସଲ ହାନି ଘଟି ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି। ଏଭଳି ସ୍ଥିତିରେ ସରକାର ଧାନ ବିକ୍ରି ପାଇଁ ଯେଉଁ ପରିମାଣ ଧାର୍ଯ୍ୟ କରିଛନ୍ତି ତାକୁ ବିରୋଧ କରି ବୁଧବାର ପଦ୍ମପୁର ବ୍ଲକ୍‌ ଦହିଗାଁ ସେବା ସମବାୟ ସମିତି ପରିସରରେ ସମବାୟ ସମିତି ସଭାପତିମାନଙ୍କ ବ୍ଲକ୍‌ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଦହିଗାଁ ସଭାପତି ସୁଦାମ ଚରଣ ଦାଶଙ୍କ ଆବାହକତ୍ୱରେ ଅନୁଷ୍ଠିତ ସଭାରେ ବୁଡ଼େନ ସଭାପତି ଜୟନ୍ତ ପାଣିଗ୍ରାହୀ, ବରିକେଲ ସଭାପତି ଗୋଲକ ମେହେର, କନସିଂହା ସଭାପତି ମୁରଲୀ ବଢ଼େଇ, ଜମଲା ସଭାପତି ସନ୍ତୋଷ ମେହେର, ମେଲଛାମୁଣ୍ଡା ସଭାପତି ଚକ୍ରଧର ସାହୁ, ରାଜବୋଡ଼ାସମ୍ବର କୃଷକ ସଂଗଠନ ପ୍ରତିନିଧି ଅଶୋକ ସାହୁ, ରୋହିତ ପ୍ରଧାନ, ସୁରେଶ ଚାନ୍ଦ, ରତ୍ନମଣି ବୁଡ଼େକ, ନିରାକାର ସାହୁ, ଏସ୍‌ସିଏସ୍‌ ଡାଇରେକ୍ଟର ଧନମାଳି ହାତୀ, ମହେଶ୍ୱରୀ ପୁରୀ, କୀର୍ତ୍ତି ମେହେର, ନିରନ ସାହୁ, ଦହିଗାଁ ସରପଞ୍ଚ ସୁକାନ୍ତ ବାଗ, ଜୟନ୍ତ ସାହୁ ପ୍ରମୁଖ ଯୋଗ ଦେଇ ଏକର ପିଛା ୧୨ ପରିବର୍ତ୍ତେ ୫ କ୍ୱିଣ୍ଟାଲ୍‌ କରିବାକୁ ଦାବି କରିଥିଲେ। ବିକ୍ରି ପରିମାଣ କମାଇଲେ ଚାଷୀ ଲାଭବାନ ହେବା ସହ ଅସାଧୁ ବେପାରୀ ଧାନ ବିକି ପାରିବେନି ବୋଲି ମତ ପ୍ରକାଶ ପାଇଥିଲା। ଏ ନେଇ ଆସନ୍ତା ସୋମବାର ପଦ୍ମପୁର ଉପଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ପାଇଁ ନିଷ୍ପତ୍ତି ହୋଇଥିଲା। ଚାଷୀ ନେତା ସୁରେଶ ଚାନ୍ଦ ଧନ୍ୟବାଦ ଦେଇଥିଲେ।
ଅମ୍ବାଭୋନା, ୮|୧୧ (ଇମିସ): ଚକଡ଼ା ପୋକ ଯୋଗୁଁ ହୋଇଥିବା ଫସଲ ହାନିର କ୍ଷତିପୂରଣ ଦେବାକୁ ବୁଧବାର ଦ୍ୱାରୀ ଗ୍ରାମର ଚାଷୀମାନେ ଅମ୍ବାଭୋନା ତହସିଲ୍‌ ଅନ୍ତର୍ଗତ ଭୁକ୍ତା ପେକ୍ସ ସଭାପତିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଅଭିଯୋଗ ଅନୁସାରେ ଦ୍ୱାରୀ ଗାଁରେ ମୋଟ ୭୫୦ ଏକର ଜମିରେ ଧାନ ଚାଷ ହୋଇଥିବା ବେଳେ ସେଥି ମଧ୍ୟରୁ ଚକଡ଼ା ଯୋଗୁଁ ୪୦୦ ଏକରର ଫସଲ ନଷ୍ଟ ହୋଇ ଯାଇଛି। ବାକି ଥିବା ୩୫୦ ଏକର ମରୁଡ଼ି ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି। ସମିତି ପକ୍ଷରୁ ପ୍ରତି ବର୍ଷ ଫସଲ ବୀମା ବାବଦକୁ ୨ ପ୍ରତିଶତ ଅସୁଲ କରାଯାଉଥିବା ବେଳେ ସେ ଅନୁସାରେ ଫସଲ ନଷ୍ଟ ଜନିତ କ୍ଷତିପୂରଣ ଦିଆଯିବା କଥା। ମାତ୍ର ତିନି ବର୍ଷ ହେଲା ଅଂଚଳରେ ଫସଲ ହାନି ହେଉଥିବା ବେଳେ ସେଭଳି ଆଖିଦୃଶିଆ ସହାୟତା ମିଳିପାରୁ ନାହିଁ।

୨୦୧୫ରେ ମରୁଡ଼ି ଯୋଗୁଁ କ୍ଷୟକ୍ଷତି ହୋଇଥିବା ବେଳେ ସରକାର ଦେଇଥିବା ଇନ୍‌ପୁଟ୍‌ ସବ୍‌ସିଡି ନାଁକୁ ମାତ୍ର ଥିବା ବେଳେ ୨୦୧୬ ମରୁଡ଼ି ବାବଦ ସରକାର କୌଣସି ସହାୟତା ଦେଇ ନାହାନ୍ତି। ଚଳିତ ବର୍ଷ ଅଣଜଳସେଚିତ ଜମିରେ ମରୁଡ଼ି ଯୋଗୁଁ ଫସଲ କ୍ଷତି ହୋଇଥିବା ବେଳେ ଗାଁର ରାନୀ ସାଗର କ୍ଷୁଦ୍ର ଜଳସେଚନ ପ୍ରକଳ୍ପରୁ ସେଚିତ ଜମିରେ ଚକଡ଼ା ଯୋଗୁଁ ଫସଲ ନଷ୍ଟ ହୋଇଛି। ତେଣୁ ସଠିକ୍‌ ଆକଳନ କରି କ୍ଷତିପୂରଣ ଦିଆ ନ ଗଲେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି। ଏ ନେଇ ଗୌତମ ଦୁଆନ, ହୃଷୀକେଶ ପଧାନ, ଆନନ୍ଦ ସାହୁ, ତେଜରାଜ ନାୟକ, ଜୟଲାଲ ଦୁଆନ, ଜଗଦୀଶ ପଧାନ, ଦେବାର୍ଚ୍ଚନ ମହାକୁର, ସୁବାସ ଚନ୍ଦ୍ର ସେଠ, ବଲ୍ଲଭ ପଧାନ, ପ୍ରେମ ବିଶି ପ୍ରମୁଙ୍କ ସହ ବହୁ ସଂଖ୍ୟାରେ ଚାଷୀ ପେକ୍ସ ସଂପାଦକ ହୃଷୀକେଶ ପଧାନଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର