ଗୌଡ଼ଗାଁ ସ୍କୁଲରେ ଶିକ୍ଷକ ନିଯୁକ୍ତି ଦାବି

ସ୍କୁଲ ଯିବାକୁ ଛାତ୍ରଛାତ୍ରୀଙ୍କୁ ବାରଣ କଲେ ଅଭିଭାବକ

ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସଦର ପଞ୍ଚାୟତ ଗୌଡଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀରେ ୯୪ ଏବଂ ଷଷ୍ଠରୁ ଅଷ୍ଟମ ଶ୍ରେଣୀରେ ୬୧ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଶିକ୍ଷାଦାନ ପାଇଁ ୪ ଜଣ ଶିକ୍ଷକ ଓ ଜଣେ ଶିକ୍ଷୟତ୍ରୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ସିଆରସିସି ହୋଇଯାଇଥିବା ବେଳେ ପ୍ରଧାନ ଶିକ୍ଷକଙ୍କ ଅବସର ସମୟ ନିକଟ ହୋଇ ଆସୁଥିବାରୁ ସେ ଅନେକ ସମୟ ଛୁଟିରେ ରହୁଥିବା ଜଣାଯାଇଛି। ଏ ନେଇ ଉଲୁଣ୍ଡା ବିଇଓଙ୍କୁ ବହୁଥର ଅବଗତ କରାଯାଇଥିଲେ ହେଁ କୌଣସି ସୁଫଳ ମିଳି ନାହିଁ। ଫଳରେ ବାଧ୍ୟ ହୋଇ ଅଭିଭାବକମାନେ ଗୁରୁବାର ନିଜ ପୁଅଝିଅଙ୍କୁ ସ୍କୁଲକୁୁ ଛାଡ଼ି ନଥିଲେ। ଶିକ୍ଷକ ନିଯୁକ୍ତି ନ ଦେବା ଯାଏଁ ଛାତ୍ରଛାତ୍ରୀ ସ୍କୁଲ ଯିବେ ନାହିଁ ବୋଲି ଅଭିଭାବକମାନେ ଚେତାବନୀ ଦେଇଛନ୍ତି। ଏ ନେଇ ଉଲୁଣ୍ଡା ବିଇଓ ନିରାକାର ନାଗଙ୍କୁ ପଚରାଯିବାରୁ, ସେ ନିଜର ଅସହାୟ ପ୍ରକାଶ କରିବା ସହ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଆଲୋଚନା କରିବି ବୋଲି କହିଥିଲେ। ସେହିପରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଶିଘ୍ର ଏହାର ସମାଧାନ କରାଯିବ ବୋଲି ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର