ରଜାମୁଣ୍ଡା ସାହିରେ ରାସ୍ତା ନିର୍ମାଣ ଦାବି

ଦେବଗଡ଼: ଦେବଗଡ଼ ପୌରାଞ୍ଚଳ ୧୦ ନମ୍ବର ଓ୍ଵାର୍ଡର ରଜାମୁଣ୍ଡା ସହିରେ ରାସ୍ତା ନିର୍ମାଣ ପାଇଁ ଦାବି କରି ସ୍ଥାନୀୟ ରାଜଶ୍ରୀ କ୍ଲବ୍‌ ଶୁକ୍ରବାର ପୌର ନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନଙ୍କୁ ଦାବିପତ୍ର ପ୍ରଦାନ କରିଛି। ଅଭିଯୋଗ ଅନୁସାରେ ପୌର ପରିଷଦ ପକ୍ଷରୁ ୧୦ ବର୍ଷ ତଳେ ସାହିର ରାସ୍ତା ନିର୍ମାଣ କରାଯାଇଥିଲା। ମାତ୍ର ରକ୍ଷଣାବେକ୍ଷଣ ଓ ଆବଶ୍ୟକ ମରାମତି ଅଭାବରୁ ତାହା ସଂପୂର୍ଣ୍ଣ ନଷ୍ଟ ହୋଇଗଲାଣି। ଯଦ୍ୱାରା ଲୋକେ ଯାତାୟାତରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତା ନିର୍ମାଣ ପାଇଁ ଗତ ବର୍ଷ ଋତୁ ପୂର୍ବରୁ ସାହି ବାସିନ୍ଦା ପୌର କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିଥିଲେ। ମାତ୍ର ବର୍ଷା ଯାଇ ଶୀତ ଋତୁ ଅଧାଅଧି ହେଲାଣି ପଛେ ରାସ୍ତା ନିର୍ମାଣ ହୋଇପାରିଲା ନାହିଁ। ଏନେଇ ବିଭାଗୀୟ ଅଧିକାରୀଙ୍କୁ ପଚାରିଲେ ଆକ୍ସନ୍‌ ପ୍ଲାନ୍‌ ପଡ଼ିଛି, ଖୁବ୍‌ ଶୀଘ୍ର କାମ ଆରମ୍ଭ ହେବ ବୋଲି କହୁଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି। ତେବେ ଶୀଘ୍ର ପଦକ୍ଷେପ ନିଆ ନ ଗଲେ ଆଗାମୀ ଦିନରେ ବାସିନ୍ଦାମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ସୁଧୀର ବ୍ରହ୍ମା, ସନ୍ତୋଷ ମିଶ୍ର, ଅଜିତ ନନ୍ଦ, ଚିକୁ ସାହୁ, ନିହାର ରଞ୍ଜନ ସାହୁ, ସମୀର ନନ୍ଦ, ଦୁଷ୍ମନ୍ତ ସାମଲ, ଭରତ ସାହୁ, ମନୋଜ ମହାପାତ୍ର, ରାଜେନ୍ଦ୍ର ଆଚାର୍ଯ୍ୟ, ନିତୀଶ ରଂଜନ ସାହୁ, ଚନ୍ଦନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର