ପୁରୀ: ପୁରୀ କଂଗ୍ରେସ ଭବନରେ ସୋମବାର ଜିଲ୍ଲାସ୍ତରୀୟ କର୍ମଶାଳା ଚାଲିଥିବା ବେଳେ ଗଣ୍ଡଗୋଳ ହୋଇଥିବା ପୁଲିସ ସୂତ୍ରରୁ ପ୍ରକାଶ । ଏହି ଗଣ୍ଡଗୋଳରେ ତିନିଜଣ କଂଗ୍ରେସ ଯୁବନେତା ସ୍ୱପ୍ନଜିତ୍ ରାୟ, ଆଲୋକ ଦାସ ଓ ଆଶୁତୋଷ ମିଶ୍ର ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ସଙ୍ଗେସଙ୍ଗେ ତିନିଜଣ ଗୁରୁତରଙ୍କୁ ଚିକିତ୍ସା ପାଇଁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି। ପୁରୀସ୍ଥିତ କଂଗ୍ରେସ ଭବନରେ ଦଳୀୟ କାର୍ଯ୍ୟଧାରାର ସମୀକ୍ଷା ଚାଲିଥିବା ବେଳେ ଏହି ଯୁବକର୍ମୀଙ୍କୁ ଆକ୍ରମଣ ହୋଇଥିଲା।

Advertisment

ଏହି ଗଣ୍ଡଗୋଳରେ ମୁଣ୍ଡଫାଟି ଗୁରୁତର ହୋଇଥିବା ତିନି ଯୁବନେତାଙ୍କ ମଧ୍ୟରୁ ଆଶୁତୋଷ ମିଶ୍ରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଏ ନେଇ ସ୍ଥାନୀୟ କୁମ୍ଭାରପଡ଼ା ଥାନାରେ କଂଗ୍ରେସ ପକ୍ଷରୁ ଏତଲା ଦିଆଯାଇଛି। ଘଟଣାସ୍ଥଳରୁ ଲୁହାଛଡ଼ ଧରିଥିବା ଜଣେ ଯୁବକଙ୍କୁ କୁମ୍ଭାରପଡ଼ା ଥାନା ଅଧିକାରୀ ଗିରଫ କରିଥିବା ସୂଚନା‌ ରହିଛି।

ମିଳିଥିବା ସୂଚନା ଅନୁସାରେ, ପୁରୀରେ କଂଗ୍ରେସର ଆଜି ଏକ ବିଶାଳ ସମୀକ୍ଷା ବୈଠକ ଆୟୋଜନ ହୋଇଥିଲେ । ଏଥିରେ ରାଜ୍ୟ କଂଗ୍ରେସର ଛାମୁଆ ନେତା ଅଂଶଗ୍ରହଣ କରିଥିଲେ। ତେବେ ବୈଠକ ସମୟରେ ବାହାରୁ କିଛି ଦୁର୍ବୃତ୍ତ  ହାତରେ ମାରଣାସ୍ତ୍ର ଧରି ସଭାସ୍ଥଳକୁ ପଶିଆସିଥିଲେ ଆଉ କଂଗ୍ରେସ କର୍ମୀଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ହୋଇଛି।