ଯୋଡ଼ା: କେନ୍ଦୁଝର ଜିଲ୍ଲା ବାମେବାରି ଥାନା ଅନ୍ତର୍ଗତ ନୟାଗଡ଼ ରେଳସାଇଡିଂରେ ରେଳ ରାକ୍ରେ ଗୁଟକା ପ୍ୟାକିଂ କାର୍ଯ୍ୟକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ୪ଜଣ ଆହତ ହୋଇଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗିରହିଛି। ପୁଲିସ ପରିସ୍ଥିତି ଉପରେ କଡ଼ା ନଜର ରଖିଛି।
ପ୍ରାପ୍ତ ସୂଚନା ଅନୁସାରେ, ଗତକାଲି ଏହି ସାଇଡିଂରେ ଖଣିଜ ବୋଝେଇ ହେବାପାଇଁ ରେଳ ରାକ୍ ଅପରାହ୍ଣ ୫ଟା ସମୟରେ ଲାଗିଥିଲା। ରେଳ ରାକ୍ର ଗୁଟକା ପ୍ୟାକିଂ କାମ କରିବା ପାଇଁ ଜଲପାପଶି ଗ୍ରାମର କୃଷ୍ଣଚନ୍ଦ୍ର ମହାନ୍ତଙ୍କୁ କାର୍ଯ୍ୟାଦେଶ ମିଳିଥିଲା। ଶନିବାର ସନ୍ଧ୍ୟାରେ ସେ ଲୋକେ ନେଇ ସାଇଡିଂରେ ଲାଗିଥିବା ରାକ୍ର ଗୁଟକା ପ୍ୟାକିଂ କାମ କରିବାକୁ ଆସିଥିବା ସମୟରେ ସ୍ଥାନୀୟ ନୟାଗଡ଼ ସରପଞ୍ଚ ସୁରେଶ କାଣ୍ଡି ଓ ତାଙ୍କ ସମର୍ଥକମାନେ ବିରୋଧ କରିଥିଲେ। ଗୁଟକା ପ୍ୟାକିଂ କରିବାକୁ ଆସିଥିବା ଶରତ ଚନ୍ଦ୍ର ମହାନ୍ତ, ଧୀରଜ ନାଏକ, ମୋହନ ନାଏକ ଓ ଅନ୍ୟଜଣଙ୍କୁ ନିସ୍ତୁକ ମାଡ଼ ମାରି ଲହୁଲୁହାଣ କରି ଦେଇଥିଲେ।
ଧୀରଜ ନାଏକଙ୍କ ଗୋଡ଼ ଭାଙ୍ଗିଥିବା ବେଳେ ମୋହନ ନାଏକଙ୍କ ମୁଣ୍ଡ ଫଟିଯାଇଛି। ଗୁରୁତର ଅବସ୍ଥାରେ ଦୁଇଜଣଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ଏନେଇ ଶରତ ଚନ୍ଦ୍ର ମହାନ୍ତ ବାମେବାରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ନୟାଗଡ଼ ସରପଞ୍ଚ ସୁରେଶ କାଣ୍ଡି ମଧ୍ୟ ଥାନାରେ ପାଲଟା ଅଭିଯୋଗ କରିଥିବା ଜଣାପଡ଼ିଛି। ତାଙ୍କୁ ଗାଳିଗୁଲଜ ଓ ଜାତିଆଣ ଅକ୍ଷେପ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ବାମେବାରି ପୁଲିସ ଦୁଇଟି ପୃଥକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଖବର ପାଇ କେନ୍ଦୁଝର ଏସ୍ଡିପିଓ ଅଜୟ କୁମାର ଜେନା, ବଡ଼ବିଲ ଏସ୍ଡିପିଓ ଉପାସନା ପାଢ଼ୀ, ବାମେବାରି ଥାନା ଭାରପ୍ରାପ୍ତ ଅଧିକାରୀ ସ୍ୱରୂପ ନାୟକ ଓ ପୁଲିସ ଅଧିକାରୀମାନେ ପହଞ୍ଚି ସ୍ଥାନୀୟ ଅଞ୍ଚଳରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/25-2.jpg)