ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଚିକିଟି ବ୍ଲକ୍ ସୋରଳ ଗ୍ରାମରେ ଜଣେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ଗଳା କାଟି ହତ୍ୟା ଉଦ୍ୟମ କରାଯିବା ଘଟଣା ଆଜି ଆଲୋଡ଼ନ ସୃଷ୍ଟି କରିଛି।
ଏଥିରେ ସଂପୃକ୍ତ ଦୁଇ ସନ୍ଦିଗ୍ଧ ଯୁବକଙ୍କୁ ଗ୍ରାମବାସୀ କାବୁ କରି ନିସ୍ତୁକ ମାଡ଼ ମାରିବା ସହ ପୁଲିସ ଜିମା ଦେଇଛନ୍ତି। ଗୁରୁତର ଛାତ୍ରୀଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ତଦନ୍ତ ଜାରି ରଖିଛି।
ସୂଚନାଯୋଗ୍ୟ, ଆଜି ସକାଳ ୯ଟାରେ ସଂପୃକ୍ତ ଛାତ୍ରୀଙ୍କୁ ତାଙ୍କ ବଡ଼ମା’ଙ୍କ ଘରେ ଛାଡ଼ି ଦେଇ ବାପାମାଆ ସଂପର୍କୀୟଙ୍କ ଘରକୁ ନିକଟ ଗ୍ରାମକୁ ଯାଇଥିଲେ। ଛାତ୍ରୀଜଣକ ବାହାରେ ଖେଳୁଥିବା ସମୟରେ ହଠାତ୍ ନିଖୋଜ ହୋଇଯାଇଥିଲା। କିଛି ସମୟ ପରେ ସାହିର ଶେଷମୁଣ୍ଡରେ ଛାତ୍ରୀଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରା ଯାଇଥିଲା। ମୁହଁ ଓ ପାଟିରୁ ପ୍ରବଳ ରକ୍ତ ବୋହୁଥିବା ବେଳେ ବେକକୁ କୌଣସି ଧାରୁଆ ଅସ୍ତ୍ରରେ କଟା ଯାଇଥିବାରୁ ସେ ଛଟପଟ ହେଉଥିଲା। ପାରିପାର୍ଶ୍ବିକ ସ୍ଥିତିରୁ ଏହାକୁ ଦୁଷ୍କର୍ମ ବୋଲି ଗ୍ରାମବାସୀ ଅନୁମାନ କରିଥିଲେ।
ଏହି ସମୟରେ ଗ୍ରାମର ଦୁଇ ଯୁବକ ଋତୁ ବେହେରା ଓ ହେମନ୍ତ ବେହେରା ପ୍ରଚୁର ମଦ ପିଇ ବଡ଼ ସାହିରେ ଏକ ଘରେ ଥିଲେ। ଲୋକେ ଉଭୟଙ୍କୁ କାବୁ କରିବା ବେଳେ ସେଠାରେ ରକ୍ତ ପଡ଼ିଥିଲା। ଉଭୟ ଏହି ନରକୀୟ କାଣ୍ଡ ଘଟାଇଥିବା ସନ୍ଦେହ କରି ଉଭୟଙ୍କୁ ନିସ୍ତୁକ ମାଡ଼ ମାରି ଗୋଳନ୍ଥରା ପୁଲିସକୁ ସୂଚନା ଦେଇଥିଲେ।
ପୁଲିସ ପହଞ୍ଚି ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଥିଲା। ଏହାସହ ଦୁଇ ସନ୍ଦିଗ୍ଧଙ୍କୁ ମଧ୍ୟ ଡାକ୍ତରଖାନାକୁ ଅଣାଯାଇ ଚିକିତ୍ସା କରାଯାଇଥିଲା। ତେବେ ଛାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ ଥିବା ସହ ପ୍ରଚୁର ରକ୍ତସ୍ରାବ ହେଉଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ପଠାଇଦିଆଯାଇଛି। ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ତାଙ୍କ ପରିବାରବର୍ଗ ଅଭିଯୋଗ ଆଣିଛନ୍ତି।
ଅନ୍ୟପକ୍ଷରେ ବ୍ରହ୍ମପୁର ଏସ୍.ପି.ପିନାକ ମିଶ୍ର ବ୍ରହ୍ମପୁର ବଡ଼ ମେଡିକାଲରେ ପହଞ୍ଚି ଅନୁଧ୍ୟାନ କରିଥିଲେ। ଏସ୍.ପି.କହିଛନ୍ତି, ଘଟଣାକୁ ଗୁରୁତ୍ବର ସହ ଗ୍ରହଣ କରାଯାଇଛି। ଗୁରୁତର ଛାତ୍ରୀ କିଭଳି ସୁସ୍ଥ ହେବ ଏହାକୁ ପ୍ରାଥମିକତା ଦିଆଯିବା ସହ ତଦନ୍ତ ଜାରି ରହିଛି। ତଦନ୍ତ ପରେ ହିଁ ସମସ୍ତ ତଥ୍ୟ ଉନ୍ମୋଚନ ହେବ। ବର୍ତ୍ତମାନ ଦୁଇ ଯୁବକଙ୍କୁ ଅଟକ ରଖି ଜେରା କରାଯାଉଛି। ତେବେ ଥାନାରେ ଏଯାଏଁ ମାମଲା ରୁଜୁ ହୋଇନାହିଁ।
ସେହିପରି ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ଆଣିଥିବା ବିଜେପି ନେତା ପ୍ରିୟରଞ୍ଜନ ବେହେରା କହିଛନ୍ତି, ଏଭଳି ଏକ ଲଜ୍ଜାଜନକ ଘଟଣାରେ ସଂପୃକ୍ତ ଯୁବକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବା ଦରକାର। ନଚେତ୍ ଏହାର ପରିଣାମ ଭୟାବହ ହେବ।
ସେପଟେ ଗାଁରେ ବି ଚାପା ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ପରିସ୍ଥିତି ଉପରେ ନଜର ରଖିଛି। ବିଜେପି ନେତା ମନୋରଞ୍ଜନ ଦ୍ୟାନସାମନ୍ତରା ଏହି ଘଟଣାକୁ ନିନ୍ଦା କରିଛନ୍ତି।
ଚିକିଟି ଅଞ୍ଚଳରେ ଅପରାଧ ସାଙ୍ଗକୁ ଚୋରି ଓ ଡକାୟତି ବୃଦ୍ଧି ପାଉଛି। ନାବାଳିକା ଓ ମହିଳା ସୁରକ୍ଷିତ ମଣୁ ନାହାନ୍ତି। ବିଗତ କିଛି ଦିନ ହେଲା ଏଭଳି ଅନେକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ମିଳିବା ଆବଶ୍ୟକ ବୋଲି ସେ କହିଛନ୍ତି।