ତୃତୀୟ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗ, ଯୁବକ ଫେରାର

ରାଉରକେଲା: ଇସ୍ପାତ୍‌ନଗରୀ ରାଉରକେଲାରେ ଜଣେ ତୃତୀୟ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ହୋଇଥିବା ନେଇ ଝିରପାଣୀ ଥାନାରେ ଅଭିଯୋଗ ହୋଇଛି। ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଛାତ୍ରୀକୁ ଲୋଭ ଦେଖାଇ ଦୁଷ୍କର୍ମ କରିବା ପରେ ଫେରାର ଥିବା ଜଣାପଡ଼ିଛି। ପୀଡ଼ିତାର ବାପା-ମା’ଙ୍କ ଦ୍ୱାରା ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ମିଳିଥିବା ସୂଚନା ଅନୁସାରେ ସେକ୍ଟର-୨୦ ପାଣିଟାଙ୍କି ପମ୍ପ ହାଉସ ବସ୍ତିରେ ଏକ ସ୍ୱେଚ୍ଛାସେବୀ ସଂଗଠନ ଗରିବ ପିଲାମାନଙ୍କୁ ମାଗଣାରେ ଟ୍ୟୁସନ ପଢ଼ିବା ପାଇଁ ବ୍ୟବସ୍ଥା କରିଛି। ଏହି ଟ୍ୟୁସନ୍‌ରେ ପୀଡ଼ିତା ଛାତ୍ରୀ ପଢୁଥିଲା। ସେ ଗତ ଶନିବାର ଦିନ ସନ୍ଧ୍ୟାରେ ଟ୍ୟୁସନ ପଢ଼ିବାକୁ ଯାଇଥିଲା। ଘଟଣା ଦିନ ସେ ରାତି ପର୍ଯ୍ୟନ୍ତ ଘରକୁ ଫେରି ନ ଥିଲା। ଅନ୍ୟପଟରେ ଟ୍ୟୁସନ ସଂସ୍ଥା କହିଥିଲା ଯେ, ଛୁଟି ପରେ ସବୁ ପିଲାମାନେ ନିଜ ନିଜ ଘରକୁ ଫେରିଥିଲେ। ତେବେ ସମସ୍ତ ଟ୍ୟୁସନ ଛାତ୍ରଛାତ୍ରୀ ପାଠପଢ଼ା ପରେ ନିଜ ନିଜ ଘରକୁ ଫେରିଥିବା ବେଳେ  ତୃତୀୟ ଶ୍ରେଣୀର ଛାତ୍ରୀଜଣକ ରାତିରେ କୁଆଡ଼େ ଗଲା, ଏ ନେଇ ଟ୍ୟୁସନ୍‌ ସଂସ୍ଥା ଓ ଛାତ୍ରୀର ପରିବାର ଲୋକଙ୍କର ଚିନ୍ତା ବଢ଼ି ଯାଇଥିଲା।

ତେବେ ଘଟଣାର ପର ଦିନ ଅର୍ଥାତ ରବିବାର କୋଏଲ ନଦୀ ଅପରପାର୍ଶ୍ୱ କୁଆଁରମୁଣ୍ଡାର ରିଉଁ ଗାଁ ଅଞ୍ଚଳରୁ ନିଖୋଜ ଛାତ୍ରୀକୁ ଠାବ କରାଯାଇଥିଲା। ନାବାଳିକାକୁ ପଚରାଉଚରା ପରେ ଜଣା ପଡ଼ିଥିଲା ଯେ, କୁଆଁରମୁଣ୍ଡାର ଜଣେ ଯୁବକ ତାକୁ କୌଶଳରେ ଡାକି ନେଇ ଦୁଷ୍କର୍ମ କରିଥିଲା। ପୀଡ଼ିତାକୁ ଉଦ୍ଧାର କରାଯିବା ପରେ ତାକୁ ରାଉରକେଲା ସରକାରୀ ଡାକ୍ତରଖାନା (ଆରଜିଏଚ୍‌)ରେ ଭର୍ତ୍ତି କରାଯାଇଥିଲା। ଏବେ ତାକୁ ଆରଜିଏଚର ସଖି (ସ୍ୱଳ୍ପକାଳୀନ ରହଣୀ ସ୍ଥାନ)ରେ ରଖାଯାଇଛି।

ସମ୍ବନ୍ଧିତ ଖବର