ଚାକିରି କରାଇଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଆଦାୟ, ରାଜସ୍ବ ବିଭାଗ ବରିଷ୍ଠ କିରାଣି ଭୁବନେଶ୍ବରରୁ ଗିରଫ 

ଟିଟିଲାଗଡ଼ : ଚାକିରି କରାଇ ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିଥିବା ଅଭିଯୋଗରେ ରାଜସ୍ବ ବିଭାଗର ବରିଷ୍ଠ କିରାଣି ଓମପ୍ରକାଶ କୁମ୍ଭାରଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅଭିଯୋଗ ଅନୁସାରେ, ଓମ୍‌ପ୍ରକାଶ ଟିଟିଲାଗଡ଼ ତହସିଲ ଅଫିସରେ ବରିଷ୍ଠ କିରାଣି ଦାୟିତ୍ୱରେ ଥିବା ସମୟରେ ଟିଟିଲାଗଡ଼ ସହରର କିଛି ଲୋକଙ୍କୁ ସରକାରୀ ଚାକିରି କରାଇ ଦେବା ପ୍ରତିଶ୍ରୁତି ଦେଇ ପ୍ରାୟ ୨୭ ଲକ୍ଷ ଟଙ୍କା ଠକି ନେଇଛନ୍ତି। ଏନେଇ ଗତ ୧୮ତାରିଖ ଦିନ ଟିଟିଲାଗଡ଼ ଥାନାରେ ଠକେଇର ଶିକାର ହୋଇଥିବା ଖୋଲାନ ଗାଁର ଦୟା ରଣା ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ଟିଟିଲାଗଡ଼ ଥାନା ପୁଲିସ ଅଭିଯୁକ୍ତ ଓମପ୍ରକାଶଙ୍କୁ ଭୁବନେଶ୍ୱର କଳ୍ପନା ଛକରୁ ଗିରଫ କରିଛି। ଅନ୍ୟପକ୍ଷଟେ ଓମ୍‌ପ୍ରକାଶ ନିଜକୁ ନିର୍ଦୋଷ ବୋଲି ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ ଓମ୍‌ପ୍ରକାଶ ବଲାଙ୍ଗୀର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାରେ ବରିଷ୍ଠ କିରାଣି ଦାୟିତ୍ବରେ ଥିବା ସମୟରେ ୨୦୧୬ ମସିହା ଜାନୁଆରି ୨୧ ତାରିଖ ଦିନ ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ। ପରେ ଚାକିରିରୁ ନିଲମ୍ବିତ ହୋଇଥିଲେ। ୨୦୧୬ ଅକ୍ଟୋବର ୨୯ ତାରିଖ ଦିନ ଟିଟିଲାଗଡ଼ ତହସିଲ କାର୍ଯ୍ୟାଳୟରେ ଯୋଗ ଦେଇଥିଲେ। କିନ୍ତୁ ୨୦୧୭ ମାର୍ଚ୍ଚରୁ କାର୍ଯ୍ୟାଳୟକୁ ଆସିବା ବନ୍ଦ କରିଦେଇଥିଲେ। ସେ ପୁଣିଥରେ କୌଣସି କାରଣରୁ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ପରେ ଭିଜିଲାନ୍ସ କୋର୍ଟ ଅବମାନନା ନେଇ ଗିରଫ ମଧ୍ୟ ହୋଇଥିଲେ। ଟିଟିଲାଗଡ଼ କାର୍ଯ୍ୟାଳୟରେ ଥିବା ସମୟରେ ୨୦୧୯ ମସିହା ଫେବ୍ରୁଆରି ୨୩ ତାରିଖ ଦିନ ସେ ନିଲମ୍ବିତ ହୋଇଥି‌ଲେ। ଜୁନ୍‌ ୨୭ରେ ପାଟଣାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯୋଗ ଦେବା ପାଇଁ ଅନୁମତି ମିଳିଥିଲା। ହେଲେ ପାଟଣାଗଡ଼ ଉପଜିଲ୍ଲାପାଳ ତାଙ୍କ କାର୍ଯ୍ୟାଳୟରେ ଓମ୍‌ପ୍ରକାଶଙ୍କୁ ଯୋଗଦେବାକୁ ବାରଣ କରିଥିଲେ। ଫଳରେ ତତ୍କାଳୀନ ଜିଲ୍ଲାପାଳ ତାଙ୍କୁ ଖପ୍ରାଖୋଲ ତହସିଲ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରିଥିଲେ।

ସମ୍ବନ୍ଧିତ ଖବର