ବଢ଼ୁଛି କରୋନା ସଂକ୍ରମଣ: କୋଭିଡ୍‌ ହସ୍ପିଟାଲ ବନ୍ଦ କରିବାକୁ ଯୋଜନା!

ସମ୍ବଲପୁର: ପୁଣିଥରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଗତ କିଛି ଦିନର ରିପୋର୍ଟକୁ ଦେଖିଲେ ସମ୍ବଲପୁର ଜିଲ୍ଲାରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବେଶ୍‌ ବଢ଼ିଥିବା ଜଣାପଡ଼ିଛି। ପଶ୍ଚିମ ଓଡ଼ିଶାର ପ୍ରାୟ କୋଭିଡ୍‌ ହସ୍ପିଟାଲ ବନ୍ଦ ହେବା ପରେ ଏବେ ଭିମ୍‌ସାର ଉପରେ ଚାପ ବଢ଼ିବାରେ ଲାଗିଛି। ଗୁରୁବାର ହସ୍ପିଟାଲରେ ୭୨ ଜଣ ରୋଗୀ ଭର୍ତ୍ତି ହୋଇଥିବା ସମୟରେ ବୁଧବାର ରୋଗୀ ସଂଖ୍ୟା ୭୦, ମଙ୍ଗଳବାର ୬୫ ଓ ସୋମବାର ୬୧ ରହିଥିଲା। ସେହିପରି ୨ ଦିନରେ କୋଭିଡ୍ ହସ୍ପିଟାଲରେ ୭ ଜଣ ରୋଗୀଙ୍କର ମଧ୍ୟ ମୃତ୍ୟୁ ଘଟିଲାଣି। ଏଭଳି ସ୍ଥିତିରେ ଭିମ୍‌ସାର ‌କୋଭିଡ୍‌ ହସ୍ପିଟାଲକୁ ବନ୍ଦ କରିବାକୁ ସରକାର ଯୋଜନା ଚଳାଇବା ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ଗଭୀର ଉଦ୍‌ବେଗ ପ୍ରକାଶ ପାଇଛି। ହସ୍ପିଟାଲ ଓ ଲ୍ୟାବ୍‌ରୁ ୭୫ ପ୍ରତିଶତ କର୍ମଚାରୀ ଛଟେଇ କରିବା ସହ ଆବଶ୍ୟକସ୍ଥଳେ ବନ୍ଦ କରିଦେବା ପାଇଁ ବୁଧବାର ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଭିମ୍‌ସାର କର୍ତ୍ତୃପକ୍ଷଙ୍କୁ ଚିଠି ଆସିଛି।

ଏହି ଘଟଣାକୁ ନେଇ ଗୁରୁବାର ମିଟୁ ହଲ୍‌ ପରିସରରେ ଭିମ୍‌ସାର ନିର୍ଦେଶକ ପ୍ରଫେସର ଲଲିତ ମେହେରଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନ ସ୍ଥିତିରେ କୋଭିଡ୍‌ ହସ୍ପିଟାଲ ଉପରେ ଚାପ ବଢ଼ିବାରେ ଲାଗିଛି। ଗତ କିଛି ଦିନ ହେବ କୋଭିଡ୍ ଲ୍ୟାବ୍‌କୁ ମଧ୍ୟ ଦୈନିକ ୪ଶହରୁ ୪୫୦ ନମୁନା ପରୀକ୍ଷା ପାଇଁ ଆସୁଛି। ଏଭଳି ସ୍ଥିତିରେ ହସ୍ପିଟାଲ ଓ ଲ୍ୟାବ୍‌ରୁ ୭୫ ପ୍ରତିଶତ କର୍ମଚାରୀ ଛଟେଇ କରିବା ହସ୍ପିଟାଲ ବନ୍ଦ କରିଦେବା ସହ ସମାନ ହେବ। ତେଣୁ ସ୍ଥିତିରେ ସୁଧାର ନଆସିବା ଯାଏ ପୂର୍ବବତ୍‌ ଏହି ହସ୍ପିଟାଲ ଚାଲିବାକୁ ଅନୁମତି ପ୍ରଦାନ କରାଯାଉ ବୋଲି ଭିମ୍‌ସାର କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି। ଗୁରୁବାରର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଭିମ୍‌ସାର ଅଧ୍ୟକ୍ଷ ପ୍ରଫେସର ବି.ଏମ୍‌.ମିଶ୍ର, ଅଧୀକ୍ଷକ ଡା.ଜୟଶ୍ରୀ ଦୋରା,ପ୍ରଶାସନିକ ଅଧିକାରୀ ସୁବ୍ରତ ନାୟକ ଓ କୋଭିଡ୍‌ ଟାସ୍କ ଫୋର୍ସର ଅଧିକାରୀମାନେ ଉପସ୍ଥିତ ଥିଲେ।

ବର୍ତ୍ତମାନ ଭିମ୍‌ସାର କୋଭିଡ୍ ହସ୍ପିଟାଲରେ ୧୦୦ ଜଣ ନର୍ସ, ୩୦ ଜଣ ଫାର୍ମାସିଷ୍ଟ, ୨୦ ଜଣ ଟେକ୍‌ନିସିଆନ୍‌, ୬୦ ଜଣ ସୁଇପର୍‌ ଓ ଆଟେଣ୍ଡାଣ୍ଟ କାମ କରୁଛନ୍ତି। ଏଭଳି ସ୍ଥିତିରେ ମୋଟ ୨୧୦ ଜଣ କର୍ମଚାରୀଙ୍କ ମଧ୍ୟରୁ ୧୫୮ ଜଣ କର୍ମଚାରୀଙ୍କୁ ଛଟେଇ କରିବା ଦ୍ବାରା ସେମାନେ ଚାକିରି ହରାଇବେ। ବଳକା ୫୨ ଜଣ କର୍ମଚାରୀରେ କୋଭିଡ୍ ହସ୍ପିଟାଲ ଓ କୋଭିଡ୍ ଲ୍ୟାବ୍‌ ପରିଚାଳନା କରିବା ମଧ୍ୟ ଏକପ୍ରକାର ଅସମ୍ଭବ ବୋଲି ଭିମ୍‌ସାର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର