ଟାର୍ଗେଟ ଆସିଲାନି,ବନ୍ଦ ହେଲା ମଣ୍ଡି: ୧୫ ସୁଦ୍ଧା ଧାନ ମଣ୍ଡିରେ ଜମା ନ କଲେ ପରେ କିଣାଯିବ ନାହିଁ

ସ୍ବତନ୍ତ୍ର ଦଳ ଯାଂଚ କରି ରିପୋର୍ଟ ଦେବା ପରେ ଆସିବ ଟାର୍ଗେଟ

ଜୟପୁର: ଗୋଟିଏ ପଟେ ଧାର୍ଯ୍ୟଲକ୍ଷ୍ୟ ଅନୁଯାୟୀ ଆଉ ଧାନ କିଣା ଟାର୍ଗେଟ ରାଜ୍ୟ ସରକାର ଜିଲ୍ଲା ଯୋଗାଣ ବିଭାଗକୁ ଦେଇ ନାହାନ୍ତି। ଏହି ସ୍ଥିତିରେ ଜିଲ୍ଲାରେ ଚାଲିଥିବା ହାତ ଗଣତି ମଣ୍ଡି ବି ବନ୍ଦ ହୋଇଯାଇଛି। ଆସନ୍ତା ୧୫ତାରିଖ ପର୍ଯ୍ୟନ୍ତ ଆଉ ମଣ୍ଡି ହେବ ନାହିଁ। ତେବେ ଏହାରି ମଧ୍ୟରେ ୨୩୪୧୨ଜଣ ଚାଷୀଙ୍କ ଠାରୁ ୨୦ଲକ୍ଷ ୮୦ହଜାର ୪୦କୁଇଣ୍ଟାଲ ଧାନ କିଣା ସରିଛି। ଆହୁରି ପଞ୍ଜିକୃତ ୧୦ହଜାର ଚାଷୀଙ୍କର ୯ଲକ୍ଷ କୁଇଣ୍ଟାଲ ଧାନ କିଣିବା ପାଇଁ ବାକି ରହିଛି।

ଟାର୍ଗେଟ ଦେବା ପାଇଁ ବାରମ୍ବର ଜିଲ୍ଲା ଯୋଗାଣ ବିଭାଗ ରାଜ୍ୟ ସରକାରଙ୍କୁ ଚିଠି କରିବା ପରେ ବି ଆଉ ଟାର୍ଗେଟ ଆସିନାହିଁ। ତେଣୁ ପ୍ରଶାସନ ବାଧ୍ୟ ହୋଇ ସବୁ ମଣ୍ଡିକୁ ବନ୍ଦ କରିଛି। ଅନ୍ୟ ପକ୍ଷରେ ବହୁ ଚାଷୀଙ୍କୁ ଧାନ କିଣାଯିବା ପାଇଁ ଟୋକେନ୍ ଆସିଛି। ତେଣୁ ଟୋକେନ୍ ଆସିଥିବା ଚାଷୀମାନେ ବିଭିନ୍ନ ମଣ୍ଡିରେ ଧାନ ଆସନ୍ତା ୧୫ତାରିଖ ସୁଦ୍ଧା ଗଚ୍ଛିତ କରି ରଖିବାକୁ ଜିଲ୍ଲାପ୍ରଶାସନ ନିର୍ଦେଶନାମା ଜାରି କରିଛନ୍ତି।

୧୫ତାରିଖରେ ଜିଲ୍ଲାପ୍ରଶାସନ ଦ୍ବାରା କରାଯାଇଥିବା ସ୍ବତନ୍ତ୍ର ଟିମ୍ ସମସ୍ତ ୧୦୨ଟି ଯାକ ମଣ୍ଡିକୁ ଯାଇ କେତେ ପରିମାଣର ଧାନ ଗଚ୍ଛିତ ଅଛି ତାହାର ଆକଳନ କରିବେ। ଏବଂ ସେତିକି ପରିମାଣର ଧାନ କିଣିବା ପାଇଁ ରାଜ୍ୟ ସରକାରଙ୍କୁ ଚିଠି କରାଯିବ ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ତୁଳାରାମ ନାୟକ। ଆଉ ନୂଆରେ ଟାର୍ଗେଟ ଆସୁ ନଥିବାରୁ ଏବେ ସବୁ ମଣ୍ଡିକୁ ବନ୍ଦ କରି ଦିଆଯାଇଛି ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ।

ତେବେ ଏହି ସବୁ ମଣ୍ଡିରେ ଏତେ ପରିମାଣର ଧାନ ଗଚ୍ଛିତ କରି ରଖିବା ପରେ ଚାଷୀମାନେ ନିଜେ ୧୫ତାରିଖ ପର୍ଯ୍ୟନ୍ତ ଜଗିବାକୁ ପଡ଼ିବ। ସେଭଳି ସବୁ ମଣ୍ଡିରେ ଅନୁସଙ୍ଗିକ ସୁବନ୍ଦୋବସ୍ତ ନଥିବାରୁ ଏବଂ ଧାନକୁ ସେଭଳି ସାଇତି ସୁରକ୍ଷିତ ଭାବେ ରଖିବା ପାଇଁ ଏତେ ପରିମାଣର ପଲିଥିନ୍ ଏବଂ ଚାଷୀମାନେ ରହିବା ପାଇଁ କିଛି ବ୍ୟବସ୍ଥା ନାହିଁ। ଏହି ସ୍ଥିତିରେ ଚାଷୀମାନେ ଧାନ ମଣ୍ଡିରେ ରଖିବା କେତେ ଦୂର ସୁରକ୍ଷିତ ବୋଲି ବହୁ ଚାଷୀ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର