ବ୍ୟାସନଗର: ନୂତନ ଡ୍ରେନ ନିର୍ମାଣ ନାହିଁ। ଭାଙ୍ଗି ପଡ଼ିଥିବା ଡ୍ରେନ ମରାମତି ନାହିଁ। ପଙ୍କ ଉଦ୍ଧାର ବି ଠିକ୍ ଭାବେ ହେଉନାହିଁ। ସୌନ୍ଦର୍ଯ୍ୟୀକରଣ ନାଁରେ ବିପୁଳ ଅନୁଦାନ ବ୍ୟୟ ଓ ମାସିକ ମୋଟା ଅଙ୍କର ସଫେଇ ଖର୍ଚ୍ଚ ପରେ ବି ବ୍ୟାସନଗର ପୌରାଞ୍ଚଳର ଏଭଳି ହାଲ୍ ହୋଇଛି। ଗୋଟିଏ ଦିନର ଲଗାଣ ବର୍ଷା ପରେ ରାସ୍ତା-ଡ୍ରେନ୍ ସବୁ ମିଶିଯାଇଛି। ସହରର ମୁଖ୍ୟ ରାସ୍ତା ସାରା ଏତେ ଖାଲ ଯେ ଅବସ୍ଥା ନକହିବା ଭଲ।
ସହରର ପ୍ରବେଶପଥ କଡ଼ରେ ଥିବା ମୁଖ୍ୟ ଡ୍ରେନ୍ଗୁଡିକ ପୋତି ହୋଇ ରାସ୍ତା ସହିତ ସମାନ ହୋଇଯାଇଛି। ୬୨ ବର୍ଷର ପୌରସଂସ୍ଥା, କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ବ୍ୟାସନଗର ଏବେ ଅବ୍ୟବସ୍ଥିତ ସହର ପାଲଟିଛି। ମୁଖ୍ୟ ପ୍ରବେଶପଥରେ ଡ୍ରେନ ନିର୍ମାଣ ହୋଇନଥିବା ବେଳେ ଅନେକ ୱାର୍ଡ ଓ ବସ୍ତି ଅଞ୍ଚଳରେ ମଧ୍ୟ ଡ୍ରେନ୍ ନାହିଁ।
୨୬ ୱାର୍ଡରୁ ନିଷ୍କାସିତ ଜଳ, ବର୍ଷାଜଳ ସହରର ତିନିଗୋଟି ମୁଖ୍ୟ ଡ୍ରେନରେ ନିଷ୍କାସିତ ହୋଇଥାଏ। ହେଲେ ମୁଖ୍ୟ ଡ୍ରେନ୍ରୁ ପଙ୍କ ଉଦ୍ଧାର ହୋଇନଥିବାରୁ ବର୍ଷା ହେଲାମାତ୍ରେ ସିଧା ମଇଳା ପାଣି ଘରେ ପଶୁଛି। ଗୋଟିଏପଟେ ଡ୍ରେନ୍ ଉପର ଜବରଦଖଲ, ଅନ୍ୟପଟେ ଦୋକାନୀମାନଙ୍କ ଅଳିଆ ଆବର୍ଜନା। ସାମାନ୍ୟ ବର୍ଷା ହେଲେ ରାସ୍ତାରେ ବର୍ଷାଜଳ ଓ ମଇଳା ଭାସୁଛି। ସଫେଇ ଠିକ ଭାବେରେ ହେଉନଥିବାରୁ ଅନେକ ୱାର୍ଡରେ ସାଧାରଣ ଲୋକମାନେ ବାଧ୍ୟ ହୋଇ ନିଜେନିଜେ ନାଳ ସଫା କରୁଛନ୍ତି। ସଫେଇକୁ ନେଇ ୱାର୍ଡର ଲୋକମାନେ କାଉନସିଲରଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ସମସ୍ୟାର ସମାଧାନ ହେଉନାହିଁ ବୋଲି ସୂଚନା ଦେଇଛନ୍ତି। ପୌର ପ୍ରଶାସନ ତଥା ନିର୍ବାଚନ ପ୍ରତିନିଧିଙ୍କ ନିରବତା ପାଇଁ ସହରବାସୀ ଦୁର୍ଦଶାର ସମ୍ମୁଖୀନ ହେଉଥିବା ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଆଜି ପ୍ରଥମ ଲଗାଣ ବର୍ଷାରେ ସହର ଅବସ୍ଥା ସଙ୍ଗିନ ହୋଇଥିବାବେଳେ ଆଗକୁ ଲଗାଣ ବର୍ଷାରେ ହେବାକୁ ଥିବା ସମ୍ଭାବ୍ୟ ପରିସ୍ଥିତିକୁ ନେଇ ସହରବାସୀ ଆଶଙ୍କାରେ ଅଛନ୍ତି।