୩ ବର୍ଷରେ ୫୦୦୦ ହେକ୍ଟର ଜମିରେ ହେବ କଫି ଚାଷ: ମୁଖ୍ୟମନ୍ତ୍ରୀ

କୋରାପୁଟ: ସ୍ମାର୍ଟକାର୍ଡ ବଣ୍ଟନ ଅବସରରେ କୋରାପୁଟ କଫିର ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଗାମୀ ୩ ବର୍ଷ ମଧ୍ୟରେ କୋରାପୁଟ ଜିଲ୍ଲାରେ ୫ହଜାର ହେକ୍ଟର ଜମିରେ କଫି ଚାଷ କରାଯିବ । ବାର୍ଷିକ ହଜାର ହଜାର ଟନ କଫି ଉତ୍ପାଦନ କରିବାକୁ ଲକ୍ଷ୍ୟ କରାଯାଇଛି ବୋଲି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ କୋରାପୁଟବାସୀ ଖୁସି ପ୍ରକଟ କରିବା ସହ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । କୋରାପୁଟ ଜିଲ୍ଲାରେ ବିଜୁ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ ଶୁଭାରମ୍ଭ ହୋଇଛି । ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଅଡିଟୋରିୟମ ହଲରେ ଶୁଭାରମ୍ଭ କରିଛନ୍ତି ।

୬ ଜଣ ଆଦିବାସୀ ମହିଳା ଓ ଜଣେ ଦିବ୍ୟାଙ୍ଗ ସମେତ ୭ଜଣକୁ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ । ସ୍ମାର୍ଟ କାର୍ଡ ଦ୍ବାରା କୋରାପୁଟ ଲୋକେ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଓ ଛତିଶଗଡରେ ମଧ୍ୟ ଜରୁରୀ ଓ ଉନ୍ନତ ଚିକିତ୍ସା ପାଇପାରିବେ । ମହିଳାଙ୍କୁ ୧୦ ଲକ୍ଷ ଓ ପୁରୁଷଙ୍କୁ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ପାଇପାରିବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମୀନି ଦିଆନ କହିଛନ୍ତି । କୋରାପୁଟ ଜିଲ୍ଲାବାସୀଙ୍କ ମଙ୍ଗଳ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ। କୋରାପୁଟ ଜିଲ୍ଲାରେ ୩ ଲକ୍ଷ ୭୦ ହଜାର ଜଣ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ପାଇବାକୁ ରହିଥିବାବେଳେ ଉପକୃତ ହେବେ ୧୨ଲକ୍ଷ ଲୋକ ।

ଏହାସହ ୧୨୨ କୋଟି ୭୫ ଲକ୍ଷ ବ୍ୟୟରେ ୪୫ ଟି ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି । ଏହାସହ ୮୬୬ କୋଟି ୨୮ ଲକ୍ଷ ଟଙ୍କା ବ୍ୟୟରେ ୬୭ ଟି ପ୍ରକଳ୍ପର ଭୂମିପୂଜନ କରିଛନ୍ତି । ପାନୀୟ ଜଳ ଯୋଗାଣ, ରାସ୍ତା, ପୋଲ ନିର୍ମାଣ, ଷ୍ଟାଡିୟମ, ଜିଲ୍ଲାର ବିଭିନ୍ନ ହସପିଟାଲରେ ଭିତିଭୂମି ବିକାଶ ଯୋଜନାର ଭୂମିପୂଜନ କରିଥିଲେ । ଏଥିରେ ବିଧାୟକ ଚନ୍ଦ୍ର ସାରଥୀ ବେହେରା, ବିଧାୟକ ରଘୁରାମ ପଡାଲ, ଜିଲ୍ଲା ସଭାପତି ଇଶ୍ୱର ପାଣିଗ୍ରାହୀଙ୍କ ସହ ବହୁ ନେତା ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର