ମୟୂରଭଞ୍ଜରେ ଦୁଇଟି ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ ଭିତ୍ତିପ୍ରସ୍ଥର ଆଜି

ଭରଚୁଆଲ ମୋଡ଼ରେ ଶୁଭ ଦେବେ ମୁଖ୍ୟମନ୍ତ୍ରୀ

ବାରିପଦା: ମୟୂରଭଞ୍ଜରେ ରାଜ୍ୟ ସରକାର ପ୍ରତିଷ୍ଠା କରିବେ ଦୁଇଟି ଅକ୍ସିଜେନ ପ୍ଲାଣ୍ଟ। ଜିଲ୍ଳା ସଦରମହକୁମା ବାରିପଦାରେ ଥିବା ପଣ୍ଡିତ ରଘୁନାଥ ମୂର୍ମୁ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଏହି ଦୁଇଟି ପ୍ଲାଣ୍ଟ ପ୍ରତିଷ୍ଠା ହେବ। ୧୩ହଜାର ଲିଟର କ୍ଷମତା ବିଶିଷ୍ଟ ତରଳ ମେଡିକାଲ ଅକ୍ସିଜେନ (ଏଲଏମଓ) ପ୍ଲାଣ୍ଟ ପିଆରଏମରେ ପ୍ରତିଷ୍ଠା ହେବ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏଲଏମଓ ପ୍ଲାଣ୍ଟ ପ୍ରତିଷ୍ଠା ନେଇ ରାଜ୍ୟ ଅକ୍ସିଜେନ ପରିଚାଳନା ଟାସ୍କଫୋର୍ସ ଗତ ମାସ ୨୫ରେ କରିଥିବା ସମୀକ୍ଷା ବୈଠକରେ ଏହି ନିଷ୍ପତି ନିଆଯାଇଥିଲା। ଉକ୍ତ ନିଷ୍ପତ୍ତି ଅନୁସାରେ ଆଜି ଜିଲ୍ଲାରେ ଦୁଇ ଅକ୍ସୀଜେନ ପ୍ଲାଣ୍ଟର ଭିତ୍ତିପ୍ରସ୍ଥର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
ଭରଚୁଆଲ ମୋଡ଼ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ଶୁଭ ଦେବେ। ବାରିପଦାରେ ମୟୂରଭଞ୍ଜ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରତାପ ଜେନାଙ୍କ ସମେତ ବିଜେଡି ବିଧାୟକ ରାଜ କିଶୋର ଦାସ, ବାସନ୍ତୀ ହେମ୍ବ୍ରମ, ରାଜ୍ୟସଭା ସାଂସଦ ମମତା ମହାନ୍ତ, କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି ପ୍ରମୁଖ ଉପସ୍ଥିତ ରହିବେ। ଉଭୟ ଅକ୍ସିଜେନ ପ୍ଲାଣ୍ଟ ସର୍ବାଧିକ ୧୨ ସପ୍ତାହ ମଧ୍ୟରେ କାର୍ଯ୍ୟକାରୀ ହେବ ବୋଲି ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ତଥା ମୟୂରଭଞ୍ଜ ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ଗତ ମାସରେ ଘୋଷଣା କରିଥିଲେ।

ଭିତ୍ତିପ୍ରସ୍ଥର ସ୍ଥାପନ ସମାରୋହକୁ ରାଜନୀତିକରଣ କରାଯାଉଛି: ବିଜେପି ବିଧାୟକ ପ୍ରକାଶ

କେନ୍ଦ୍ର ପଇସା ଦେଉଛି। ଆଉ ଉକ୍ତ ଅର୍ଥରେ ରାଜ୍ୟ ସରକାର ନିଜର ପତିଆରା ବଢାଇବାକୁ ଚେଷ୍ଟା କରୁଛନ୍ତି। ଏପରିକି ବାରିପଦାରେ ହେଉଥିବା ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ ଭିତ୍ତିପ୍ରସ୍ଥର ସମାରୋହକୁ ସ୍ଥାନୀୟ ବିଧାୟକଙ୍କୁ ନୀତିଗତ ଭାବେ ନିମନ୍ତ୍ରଣ କରାଯାଇନାହିଁ। ଏପରିକି ଏନେଇ ହୋଇଥିବା ଫଳକରେ ମଧ୍ୟ ସ୍ଥାନୀୟ ବିଜେପି ବିଧାୟକ ପ୍ରକାଶ ସୋରେନଙ୍କ ନାମ ମଧ୍ୟ ନାହିଁ। ଏନେଇ କ୍ଷୋଭ ପ୍ରକାଶ କରିଛନ୍ତି ବାରିପଦା ବିଧାୟକ ତଥା ବିଜେପି ନେତା ପ୍ରକାଶ ସୋରେନ। ବାରିପଦାର ପିଆରଏମ ମେଡିକାଲ ରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ଜିଲ୍ଳା ପରିଷଦ ସଭାପତି ଏଵଂ ଜିଲ୍ଲାର ଅନ୍ୟ ବିଜେପି ବିଧାୟକମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇନାହିଁ। ଏହା ଅତ୍ୟନ୍ତ ଦୁଃଖ ର ବିଷୟ ବୋଲି କହିଛନ୍ତି ବିଧାୟକ ପ୍ରକାଶ ସୋରେନ। ଏପରି କରି ଅକ୍ସୀଜେନ ପ୍ଲାଣ୍ଟ ସ୍ଥାପନ କାର୍ଯ୍ୟକ୍ରମ କୁ ବିଜେଡି ରାଜନୀତିକରଣ କରାଯାଉଥିବା ଶ୍ରୀ ସୋରେନ ଅଭିଯୋଗ କରିଛନ୍ତି। ଯଦି ଏହା ହୁଏ ତେବେ ଉକ୍ତ ନାମ ଫଳକ କୁ ଭାଙ୍ଗି ଦିଆଯିବ ବୋଲି ପରୋକ୍ଷରେ ଚେତାବନୀ ଦେଇଛନ୍ତି ବିଧାୟକ ପ୍ରକାଶ। ଅକ୍ସୀଜେନ ପ୍ଲାଣ୍ଟ ପାଇଁ ଆସିଥିବା ଅର୍ଥ ସମସ୍ତଙ୍କର। ଏହାକୁ ନେଇ ବିଜେଡି କରୁଥିବା ରାଜନୀତିକୁ ଆଦୌ ବରଦାସ୍ତ କରାଯିବ ନାହିଁ।
ସମ୍ବନ୍ଧିତ ଖବର