କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ: ୧୪ଟି ବଗିରେ ଲାଗିଛି ନିଆଁ, ୨ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଆୟତ୍ତ ହେଲା

ରାୟଗଡା: ରାୟଗଡ଼ା ଜିଲ୍ଲା ସିଙ୍ଗାପୁର ରୋଡ୍‌ ଷ୍ଟେସନରେ କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ ଘଟିଛି। ଟ୍ରେନର ୧୪ଟି ବଗିରେ ନିଆଁ ଲାଗିଥିବାରୁ ନିଆଁକୁ ଆୟତ୍ତ ପାଇଁ ରାୟଗଡ଼ା ଓ କୋଲନରା ଅଗ୍ନିଶମ ବାହିନୀ ସାମିଲ୍‌ ହୋଇଛନ୍ତି। ରାତି ସାଢ଼େ ୭ଟାରେ ଏହି ଅଘଟଣ ଘଟିଥିବା ବେଳେ ସାଢ଼େ ୯ଟାରେ ନିଆଁ ଆୟତ୍ତ ହୋଇଛି।

ସୂଚନାଯୋଗ୍ୟ ବିଶାଖାପାଟଣାରୁ ଟିଟିଲାଗଡ ଅଭିମୁଖେ ଯାଉଥିବା କୋଇଲା ବୋଝେଇ ଟ୍ରେନ୍‌ ରାତି ୭ଟାରେ ରାୟଗଡ଼ା ଷ୍ଟେସନ ଛାଡ଼ିଥିଲା। ସାଢ଼େ ୭ଟାରେ ସିଙ୍ଗାପୁର ରୋଡ୍‌ ଷ୍ଟେସନରେ ଟ୍ରେନ୍‌ ପହଞ୍ଚିବା ପରେ ବଗିରେ ନିଆଁ ଲାଗିଥିବା ଦେଖି ଷ୍ଟେସନ ମାଷ୍ଟର୍‌ ଟ୍ରେନ୍‌ ଡ୍ରାଇଭର୍‌ ଡି. ନମସ୍ତେ ଓ ଗାର୍ଡ ଏସ୍‌ଏସ୍‌ ବେହେରାକୁ ଟ୍ରେନ୍‌ ଅଟକାଇବା ପାଇଁ କହିଥିଲେ।

୩ ନଂ ପ୍ଲାଟଫର୍ମରେ ଟ୍ରେନ୍‌ ଅଟକିବା ପରେ କୋଲନରା ଓ ରାୟଗଡ଼ା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାରେ ସାମିଲ୍‌ ହୋଇଥିଲେ। ଭିତରେ ଭିତରେ ନିଆଁ କୁହୁଳୁ ଥିବାରୁ ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀକୁ ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡ଼ିଥିଲା। ନିଆଁ ଲିଭା କାମରେ ୯ ଜଣ ଅଗ୍ନିଶମ କର୍ମଚାରୀ ସାମିଲ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର