ଗର୍ଜନବାହାଲ ଖଣିରୁ ଚୋରା କୋଇଲା ଗାଡ଼ି ଜବତ, ଡ୍ରାଇଭର ଓ ହେଲ୍ପର ଗିରଫ

ହେମଗିର: ଏମସିଏଲର ଗର୍ଜନବାହାଲ କୋଇଲା ଖଣିରୁ ୩୦ ଟନ୍ କୋଇଲା ଚୋରି କରି ଚମ୍ପଟ ମାରିବାକୁ ଉଦ୍ୟମ କରୁଥିବା ଏକ ଟ୍ରେଲର ଧରାପଡ଼ିଛି। ଏମସିଏଲ ଅଧିକାରୀଙ୍କ ଅଭିଯୋଗକ୍ରମେ ବଲିଙ୍ଗା ପୁଲିସ ଟ୍ରେଲରକୁ ଜବତ କରିବା ସହ ଡ୍ରାଇଭର ଓ ହେଲ୍ପରକୁ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ, ୨୦ ତାରିଖ ରାତିରେ ଗର୍ଜନବାହାଲ ଖଣିକୁ ସାଇଡିଂ ରାସ୍ତାରେ ସୁନ୍ଦରଗଡ଼ର ପୂର୍ଣ୍ଣଚନ୍ଦ୍ର ରାଉତଙ୍କ ଟ୍ରେଲର ( ଓଡି୧୬ ସି ୮୩୫୮) ବିନା କାଗଜପତ୍ରରେ ପ୍ରବେଶ କରି ପ୍ରାୟ ୩୦ ଟନ୍ କୋଇଲା ବୋଝେଇ କରିଥିଲା। ଖଣିରୁ ବାହାରକୁ ଆସୁଥିବା ବେଳେ ୱେବ୍ରିଜରେ କାଗଜପତ୍ର ମାଗିଥିଲେ। କିନ୍ତୁ ଡ୍ରାଇଭର ମାନସ ବେହେରା କାଗଜପତ୍ର ଦେଖାଇ ନପାରିବାରୁ କୋଇଲା ଉତାରି ଯିବାକୁ କର୍ମଚାରୀ କହିଥିଲେ। ଡ୍ରାଇଭର କୋଇଲା ଉତାରିଥିଲେ ମଧ୍ୟ ପ୍ରାୟ ୬ଟନ୍ କୋଇଲା ଗାଡ଼ିରେ ରଖି ଚମ୍ପଟ ମାରିବାକୁ ଚେଷ୍ଟା କରିଥିଲେ। ଖଣି କର୍ମଚାରୀମାନେ ଏହା ଜାଣି ପାରି ତାଙ୍କୁ ଗୋଡ଼ାଇ ଧରିଥିଲେ। ପରେ ଗାଡ଼ି ସହ ଡ୍ରାଇଭର ଓ ହେଲ୍ପରଙ୍କୁ ପୁଲିସକୁ ହସ୍ତାନ୍ତର କରିଥିଲେ। ତେବେ କେଉଁସ୍ଥିତିରେ ବିନା କାଗଜପତ୍ରରେ ଗାଡ଼ି ଖଣି ଭିତରେ ପଶି କୋଇଲା ବୋଝେଇ କରି ଚମ୍ପଟ ମାରୁଥିଲା ତାକୁ ନେଇ ଉଠିଛି ପ୍ରଶ୍ନ।

ସମ୍ବନ୍ଧିତ ଖବର