ଚାନ୍ଦବାଲି: ଚଳନ୍ତା ଟ୍ରେନରୁ କୋଇଲା ଚୋରି କରି ବିକ୍ରି କରିବା ଏବେ ନିତିଦିନିଆ ବେପାରରେ ପରିଣତ ହୋଇଗଲାଣି । ଗତ କିଛି ଦିନ ତଳେ ତିହିଡ଼ି ଥାନା ପାଳିଆଠାରେ କୋଇଲା ଚୋରା ଚାଲାଣକୁ କେନ୍ଦ୍ରକରି ପୁଲିସ ଧରପଗଡ଼ କରୁଥିବା ବେଳେ ଜନୈକ ଯୁବକ ପୋଖରୀରେ ବୁଡ଼ି ମୃତ୍ୟୁ କରିଥିଲା । ଯାହାକୁ ନେଇ ପୁଲିସ ଜନତା ମୁହାଁମୁହିଁ ହୋଇଥିଲେ । ପୁଲିସ ଗାଡ଼ି ପୋଡ଼ାଜଳା ହୋଇଥିବା ବେଳେ ଉତେଜନା ପ୍ରକାଶ ପାଇଥିଲା । ତେବେ ଉକ୍ତ ଘଟଣା ମନରୁ ନଲିଭୁଣୁ ପୁଣି ପୁଲିସ ମାଫିଆ ହାତାହାତି ହେବା ଘଟଣା ଚର୍ଚ୍ଚାର ପରିସରକୁ ଆସିଛି ।

Advertisment

ଆଜି ଖୋର୍ଦ୍ଧା ଡ଼ିଭିଜନର ରେଲୱେ ପ୍ରଟେକ୍ସନ୍ ଫୋର୍ସ ପୁଲିସର ଏକ ୫ଜଣିଆ ଟିମ ଧାମରା ଭଦ୍ରକ ରେଳ ଲାଇନରେ ପଇଁତରା ମାରୁଥିବା ବେଳେ ସକାଳୁ ସକାଳୁ ଖେରଙ୍ଗ ପଳାଶପୁର ଗାଁରେ ଏହି କୋଇଲା ଚୋରା ଚାଲାଣ ହେଉଥିବା ଦେଖି ପୁଲିସ ଧରପଗଡ କରିଥିଲା । ତେବେ ଅଚାନକ ରେଲୱେ ପୁଲିସକୁ ଦେଖି କୋଇଲା ମାଫିିଆ ଛତ୍ରଭଙ୍ଗ ଦେଇ ପଳାୟନ କରୁଥିବା ବେଳେ ପୁଲିସ ଜଣଙ୍କୁ ଧରି ପିଟିଥିଲା ।

ପରେ ଖବର ପାଇ ସ୍ଥାନୀୟ କିଛି ଲୋକ ଏକତ୍ରିତ ହୋଇ ରେଲୱେ ପ୍ରଟେକ୍ସନ୍ ଫୋର୍ସ ପୁଲିସର ପୁର୍ଣ୍ଣଚନ୍ଦ୍ର ପଣ୍ଡା ଓ ମୁକେଶ କୁମାର ନାମକ ଦୁଇ ପୁଲିସଙ୍କୁ ନିସ୍ତୁକ ମାଡ଼ ମାରିଥିବା ବେଳେ ଗୁରୁତର କରିପକାଇଥିଲେ । ଖବର ପାଇ ଚାନ୍ଦବାଲି ପୁଲିସ ଘଟଣାସ୍ଥଳରୁ ଉଭୟଙ୍କୁ ଉଦ୍ଧାର କରି ପ୍ରଥମେ ତିହିଡ଼ି ଓ ପରେ ଭଦ୍ରକ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସବୁଠୁ ବଡ଼ କଥା ଏହି କୋଇଲା ଚୋରି କରିବା ଏବଂ ଏହାକୁ ଜିଲ୍ଲା ତଥା ଜିଲ୍ଲା ବାହାରକୁ ଚାଲାଣ କରିବା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ଆଜି ରେଲୱେ ପ୍ରୋଟେକ୍ସନ ଫୋର୍ସକୁ ମାଡ଼ ମାରି ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତି ।