ଭଦ୍ରକ: କୋଇଲା ଚୋରଙ୍କୁ ଧରିବାରେ ବିଫଳ ପୁଲିସ

ଭଦ୍ରକ: ଭଦ୍ରକ-ଧାମରା ରେଳପଥ କରିଡର ହୋଇଛି କୋଇଲା ଚୋରଙ୍କର ଚରାଭୂଇଁ। ଜିଲ୍ଲାରେ ଏବେ ବଡ ବଡ ଚୋରି ଡକାୟତି ହେଉନଥିବା ବେଳେ କୋଇଲା ଚୋର ମାତିଛନ୍ତି। ଏଇ କୋଇଲା ଚୋରି ରାକେଟର ଚେର ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, ବାଲେଶ୍ୱର ଠାରୁ ଆରମ୍ଭ କରି ଝାରଖଣ୍ଡର ଜାମସେଦପୁର ପର୍ଯ୍ୟନ୍ତ ଲମ୍ବିଛି। ଏଇ କୋଇଲା ଚୋରି ରାକେଟ୍‌ରେ କିଛି ଖୁଚୁରା ଚୋର ଓ ବଡ ବଡ କୋଇଲା ମାଫିଆଙ୍କର ବି ସଂପୃକ୍ତି ରହିଛି।

କୋଇଲା ଚୋରି କରି ମାସକୁ ଲକ୍ଷ ଲକ୍ଷ ଟଙ୍କାର ରୋଜଗାର କରୁଛନ୍ତି। କୋଇଲା ଚୋରଙ୍କର ଦୌରାତ୍ମ୍ୟ ଭଦ୍ରକର ଗ୍ରାମାଞ୍ଚଳ ଥାନାରୁ ଆରମ୍ଭ ହୋଇ ସାବରଙ୍ଗ ଫାଣ୍ଡି, ତିହିଡି ଥାନା, ବାଂଶଡା ଥାନା, ଚାନ୍ଦବାଲି ଥାନା ଓ ଧାମରା ଥାନା ଅଞ୍ଚଳରେ ବୃଦ୍ଧି ପାଇଛି। ଏଇ କୋଇଲା ଚୋରମାନେ ୪ ବର୍ଷ ତଳେ ଭଦ୍ରକରେ କଳାହୀରା ସାମ୍ରାଜ୍ୟ ତିଆରି କରିଥିଲେ। ମାସିକ ୨୦ କୋଟି ଟଙ୍କାର କଳାହୀରା କାରବାର ହେଉଥିଲା। ତଳଠାରୁ ଉପର ପର୍ଯନ୍ତ କେହି କରାହୀରା ଚୋରି ଉପରେ ପାଟି ଫିଟାଉନଥିଲେ। ‘କଂପାନି କା ମାଲ, ଦରିଆ ମେ ଡାଲ’ ନ୍ୟାୟରେ ଚାଲୁଥିଲା କଳାହୀରା କାରବାର।

ବନ୍ଦର କଂପାନିର କିଛି କର୍ମଚାରୀଙ୍କର କୋଇଲା ଚୋରି କ୍ଷେତ୍ରରେ ରହିଥିଲା ନିରବ ସମର୍ଥନ। କାରଣ କୋଇଲା ଚୋରି ଲୋକମାନେ କରିବା ପଛରେ ପୁଲିସ ଓ ବନ୍ଦର ସୁରକ୍ଷା କର୍ମଚାରୀଙ୍କର ପୂରା ହାତ ରହିଥିଲା। ଏଇ ପୁଲିସ ଓ ସୁରକ୍ଷା କର୍ମଚାରୀଙ୍କର ମଧୁଚନ୍ଦ୍ରିକରେ ଚାଲେ ଚୋରା ବେପାର। ଚୋରା ବେପାର ପାଇଁ କାହାର କ୍ଷତି ହେବାର ନାହିଁଯ ସମସ୍ତଙ୍କର ଲାଭ ହିଁ ଲାଭ। ଯେଉଁଥିପାଇଁ ଭଦ୍ରକ ଜିଲ୍ଲାରେ ଏଇ ଚୋରା ବେପାର ଭଲ ଜମି ଯାଉଛି। ଧାମରା ବନ୍ଦର ଦେଇ ଅଷ୍ଟ୍ରେିଲିଆରୁ ଆସୁଥିବା କୋଇଲା ପଥର ଟ୍ରେନ୍‌ ଯୋଗେ ଟାଟା ଓ ଜାମସେଦପୁରକୁ ଯାଉଛି। ଧାମରାରୁ ଭଦ୍ରକ ରେଳ ଲାଇନ୍‌ କଡେ କଡେ ପ୍ରତି ବିଦ୍ୟୁତ୍‌ ଖୁଣ୍ଟରେ ମଞ୍ଚା ବନ୍ଧାଯାଇ ଟ୍ରେନ୍‌ ଚାଲୁଥିବା ବେଳେ ଆଙ୍କୁଡା ଲଗାଇ କୋଇଲା ତଳକୁ ପକାଯାଏ।

steel-360.com

ଏମିତି ଗୋଟିଏ ଗୋଟିଏ କୋଇଲା ଟ୍ରେନ୍‌ରୁ ଶହ ଶହ ବସ୍ତା କୋଇଲା ଗୋଟିଏ ଗୋଟିଏ ମଞ୍ଚାରୁ ପ୍ରତିଦିନ ବାହାରେ। ଏଇ କୋଇଲାକୁ ବାହାରେ ଚୋରାରେ ବିକ୍ରି କରି ଚୋର ମାଲେମାଲ ହେଉଥିବା ବେଳେ ସ୍ଥାନୀୟ ପୁଲିସ ଓ ବନ୍ଦର କଂପାନିର ସୁରକ୍ଷା ଦାୟୀତ୍ୱରେ ରହୁଥିବା କିଛି କର୍ମଚାରୀଙ୍କୁ ହାତଗୁଂଜା ଦିଆଯାଏ। କୋଇଲା ଚୋରି ଘଟଣା ଏ ଅଞ୍ଚଳରେ ଏବେ ଏକ କୌଳିକ ବୃତ୍ତି ପାଲଟି ଗଲାଣି।

ଗତ ବର୍ଷର ଧରପଗଡ ପରେ କିଛି ମାତ୍ରାରେ ଏଇ ଚୋରି କମି ଥିଲା। ଏବେ ପୁଣି କୋଇଲା ଚୋରରି ଆରମ୍ଭ ହୋଇଯାଇଛି। କୋଇଲା ଚୋରି ବେପାର ଏବେ ଏମିତି ଜମି ଯାଇଛି ଯେ ଏହା ବିନା ଇନଭେଷ୍ଟମେଣ୍ଟ ବେପାର ହୋଇଯାଇଛି। ବନ୍ଦରରରୁ ଲକ୍ଷ ଲକ୍ଷ ଟଙ୍କାର କୋଇଲା ରାଜ୍ୟ ବାହାରକୁ ଯାଉଥିବା ବେଳେ ଟ୍ରେନ୍‌ ଲାଇନରେ କେତେ ଖସିଲା ତାହା ଉପରେ କଂପାନିର କିଛି ନଜର ରହି ନଥାଏ।

୨୦୧୧ ମସିହାଠାରୁ ଧାମରା- ଭଦ୍ରକ ୬୫ କିଲୋମିଟର ରେଳ ପଥରେ ଏଇ କଳା ବେପାର ଚାଲିଛି। ଏଇ କୋଇଲା ଚୋରି ପାଇଁ ଜିଲ୍ଲାରେ ୧୦ ଜଣ ମାଫିଆ ଡନ୍‌ ରହିଛନ୍ତି। ଏଇ ଡନଙ୍କୁ ଧରିବାକୁ ପୁଲିସର ସାହାସ ପାଉ ନିଜ ଏଇ ଡନ୍‌ ମାନେ ୫ ଶହରୁ ଉର୍ଦ୍ଧ୍ଵ ଦଲାଲଙ୍କୁ ମୁତୟନ କରିଛନ୍ତି। ଏଇ ଦଲାଲଙ୍କ କାମ ହେଲା ଟ୍ରେନ୍‌ ଲାଇନ୍‌ କଡେ କଡେ କେବଳ ଟହଲ ମାରିବା। ସଂଜ ହେଲେ ଏଇ କଳାବେପାରର ସୌଦାଗରମାନେ ବାହାରନି ଘରୁ। ଏମାନଙ୍କର ଆଡାସ୍ଥଳ ହେଉଛି ଧାମରା -ଭଦ୍ରକ ରେଳ କରିଡର। ଏଇ କାମରେ ମୁତୟତ ହୋଇଥିବା ଦଲାଲଙ୍କ ପାଇଁ ମୋଟା ଅଙ୍କରେ କମିଶନ କାରବାର ରହିଥାଏ।

ରାତିଏ ଗଲେ ଏମାନଙ୍କ ପକେଟ କଳା ଟଙ୍କାରେ ଗରମ ହୋଇଯାଏ। କୋଇଲା କଳା ଟଙ୍କାରେ ଏଠି ଅଧିକାଂଶ ମାଫିଆଙ୍କର କଳାସାମ୍ରାଜ୍ୟ ଆରମ୍ଭ ହୋଇଛି। ଏହା ଉପରେ ଚଢାଉ କରାଯାଉ ନାହିଁ। ଯେଉଁ ଚଢାଉ ଗତ ବର୍ଷ ହୋଇଥିଲା। ଏଥିରେ କିଛି ମାତ୍ରାରେ କୋଇଲା ଚୋରି କମି ଯାଇଥିଲା। ଏହା ଭିତରେ ଦୁଇ ବର୍ଷେ ବିତିଗଲାଣି। ପୁଣି ଯେଉଁ କଳା ବେପାରକୁ ସେଇ କଳା ବେପାର ଆରମ୍ଭ ହୋଇଯାଇଛି। କୋଇଲା ଚୋରଙ୍କର ପ୍ରାଦୁର୍ଭାବ ଯୋଗୁଁ ଏ ଅଞ୍ଚଳରେ ମଦ୍ୟପଙ୍କର ମଧ୍ୟ ଆଡ୍ଡା ଜମୁଛି। କଳା ପଇସାରେ ମାଲ ପିଇ ବୋବାଲ କରୁଛନ୍ତି। ପୁଲିସ ଏଇ କଳା ବେପାରୀଙ୍କୁ ଧରିବାରେ କୋହଳ ମନୋଭାବ ପୋଷଣ କରୁଥିବା ବେଳେ କୋଇଲା ଚୋାରି ଏଇସବୁ ଅଞ୍ଚଳରେ ଏକ କେଳିକ ବୃତ୍ତି ପାଲଟି ଗଲାଣି।

ସମ୍ବନ୍ଧିତ ଖବର