ଜିଲ୍ଲାପାଳଙ୍କ କଟକଣାକୁ ବେଖାତିର, ଟପରିଆ ରାସ୍ତାରେ ଗଡ଼ିଲା ଶହଶହ କୋଇଲା ଟ୍ରକ

ପୁଲିସ, ପରିବହନ ବିଭାଗ ଢିଲା, ୩୦ ଅଟକ ଗାଡ଼ି ଖସିଗଲା

ସୁନ୍ଦରଗଡ଼: ବାଙ୍କିବାହାଲ-ଟପରିଆ ରାସ୍ତାରେ କୋଇଲା, ଲୁହାପଥର ଓ ଅନ୍ୟ ଖଣିଜ ଦ୍ରବ୍ୟ ପରିବହନ ଉପରେ ସୁନ୍ଦରଗଡ଼ ଜିଲ୍ଲାପାଳ ଜାରି କରିଥିବା ଅନ୍ୟ ସର୍ତ୍ତ ସହ ସମୟଭିତ୍ତିକ କଟକଣାକୁ ଖୋଲାଖୋଲି ଉଲ୍ଲଂଘନ କରିଚାଲିଛନ୍ତି ଟ୍ରାନ୍ସପୋର୍ଟର। ସର୍ତ୍ତରେ ରାସ୍ତାରେ ସକାଳ ୬ଟାରୁ ଅପରାହ୍ନ ୧ଟା ଯାଏ ଭାରୀଯାନ ଚଳାଚଳ ବନ୍ଦ ରଖିବା, ଗାଡ଼ିଗୁଡ଼ିକ ପରସ୍ପର ଶହେ ମିଟର ବ୍ୟବଧାନରେ ୨୦ କିଲୋମିଟର ବେଗରେ ଗତି କରିବା, ଖଣିଜ ଦ୍ରବ୍ୟ ବୋଝେଇ ଗାଡ଼ିଗୁଡ଼ିକ ତାରପୋଲିନ ଆବୃତ ରଖିବାକୁ ନିର୍ଦ୍ଦେଶ ଥିଲା। ଏସବୁ ସର୍ତ୍ତ ଅମାନ୍ୟ କରୁଥିବା ଟ୍ରାନ୍ସପୋର୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ତାଙ୍କ ପରିବହନ ଅନୁମତି ରଦ୍ଦ କରି ଦିଆଯିବ ବୋଲି ଜିଲ୍ଲାପାଳ ଘୋଷଣା କରିଥିଲେ। କିନ୍ତୁ ଆଜି କଟକଣା ସମୟରେ ଶହ ଶହ କୋଇଲା ବୋଝେଇ ଗାଡ଼ି ଏମସିଏଲରୁ ଟପରିଆ ରାସ୍ତା ଦେଇ ଛତିଶଗଡ଼କୁ ଗଡ଼ିଥିଲା। ଆଜି ବାହୁଡ଼ାଯାତ୍ରା ପାଇଁ ଛୁଟିଦିନ କହି ଲୋକଙ୍କୁ ଭୁଆଁ ବୁଲାଇ ଗାଡ଼ି ଯାତାୟତ କରିଥିଲା। ଯାହାକୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ। ରତନପୁର ଠାରେ ୩୦ରୁ ଅଧିକ ଗାଡ଼ିକୁ ଜନଶକ୍ତି ବିକାଶ ପରିଷଦ ସଦସ୍ୟମାନେ ଅଟକାଇ ପୁଲିସ ଓ ପରିବହନ ବିଭାଗକୁ ଖବର ଦେଇଥିଲେ। କିନ୍ତୁ ଅପରାହ୍ନ ୧ଟା ସୁଦ୍ଧା କେହି ଘଟଣାସ୍ଥଳକୁ ପହଞ୍ଚି ନଥିଲେ। ୧ଟା ପରେ ଗାଡ଼ିଗୁଡ଼ିକୁ ପରିଷଦ ଛାଡ଼ିଦେବାକୁ ବାଧ୍ୟ ହୋଇଥିଲା। ଅପରାହ୍ନ ୨ଟାରେ ପରିବହନ ବିଭାଗ କର୍ମଚାରୀ ପହଞ୍ଚିଥିଲେ, କିନ୍ତୁ ସେତେବେଳକୁ ଆଉ ଗାଡ଼ି ନଥିଲା। ବହୁ ସମୟରେ କଟକଣା ଭିତରେ କୋଇଲା ଗାଡ଼ି ଚଳାଚଳ କରିବା ଓ ଲୋକେ ଅଟକ ରଖି ସୂଚନା ଦେଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ ଜାଣିଶୁଣି ବିଳମ୍ବରେ ଆସୁଥିବା ଜନଶକ୍ତି ବିକାଶ ପରିଷଦ ନେତା ରାଜେନ୍ଦ୍ର ନାଏକ ଅଭିଯୋଗ କରିଛନ୍ତି। ସ୍ଥାନୀୟ ପୁଲିସ ଏ କଟକଣାକୁ ବିଶେଷ ଗୁରୁତ୍ବ ଦେଉ ନଥିବା ବେଳେ ପରିବହନ ବିଭାଗ ମଧ୍ୟ ନଜରଅନ୍ଦାଜ କରିଚାଲିଛି, ଯେଉଁଥିପାଇଁ ଟ୍ରାନ୍ସପୋର୍ଟରମାନେ ଜିଲ୍ଲାପାଳଙ୍କ ସର୍ତ୍ତ, କଟକଣାକୁ ଖୋଲାଖୋଲି ଉଲ୍ଲଂଘନ କରିବାର ଦୁଃସାହସ କରିଆସୁଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ପ୍ରକାଶଯୋଗ୍ୟ, ଜିଲ୍ଲାପାଳ ଗତ ମାର୍ଚ୍ଚ ୨୪ରେ ସର୍ତ୍ତ, କଟକଣା ଜାରି କରିଥିଲେ ମଧ୍ୟ ଏହାକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବାକୁ ଆଗ୍ରହ ପ୍ରକାଶ କରୁନଥିବା ଅଭିଯୋଗ ହୋଇଛି। ରାସ୍ତାରେ କଟକଣା ସମ୍ପର୍କିତ କୌଣସି ସୂଚନାଫଳକ ଲଗାଯାଇ ନଥିବା, ସର୍ତ୍ତ ମୁତାବକ ଗାଡ଼ି ଚଳାଚଳ ଉପରେ ନଜର ରଖିବାକୁ ପ୍ରଶାସନ କୌଣସି ୱାଚଗାର୍ଡ ମୁତୟନ କରି ନଥିବା ବେଳେ ବିସ୍ଥାପିତ ଗାଡ଼ି ମାଲିକ ସଂଘର ଗାର୍ଡମାନେ ବିଭିନ୍ନ ଛକରେ ରହି ଗାଡ଼ି ଶୀଘ୍ର ଚଳାଚଳ ଉପରେ ଧ୍ୟାନ ଦେଉଥିବା ପରିଷଦ ପ୍ରକାଶ କରିଛି। ଏହା ମଧ୍ୟରେ ପ୍ରଶାସନ ଟ୍ରାନ୍ସପୋର୍ଟରଙ୍କ ସପକ୍ଷରେ ସର୍ତ୍ତ ସଂଶୋଧନ ପାଇଁ ଉଦ୍ୟମ କରିଥିବା ଅଭିଯୋଗ କରିଛନ୍ତି ରାଜେନ୍ଦ୍ର। ଏହିକ୍ରମରେ ଗତ ଜୁନ ୬ ତାରିଖରେ ସୁନ୍ଦରଗଡ଼ ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା ରତନପୁର ଆସି ଭାରୀଯାନ ଚଳାଚଳ ସମୟକୁ ହ୍ରାସ କରିବା ଅଥବା ସକାଳ ଓ ଅପରାହ୍ନରେ ୩ ଘଣ୍ଟାଏ ବନ୍ଦ ରଖିବାକୁ ଜନଶକ୍ତି ବିକାଶ ପରିଷଦକୁ ପ୍ରସ୍ତାବ ଦେଇଥିଲେ। ଯାହାକୁ ପରିଷଦ ପ୍ରତ୍ୟାଖ୍ୟାନ କରି କଟକଣା ସମୟକୁ ସକାଳ ୬ରୁ ସନ୍ଧ୍ୟା ୬ ଯାଏ ବୃଦ୍ଧି କରିବାକୁ ଦାବି କରିଥିଲା। କଟକଣାକୁ ଅବମାନନା କରି ଖଣିଜ ଦ୍ରବ୍ୟ ପରିବହନ କରି ଚାଲିଥିବା ଟ୍ରାନ୍ସପୋର୍ଟରମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପରିବର୍ତ୍ତେ ପ୍ରଶାସନ ସେମାନଙ୍କ ସପକ୍ଷରେ ସର୍ତ୍ତ ସଂଶୋଧନ ପାଇଁ ପ୍ରସ୍ତାବ ଆଣିବା ଦୁର୍ଭାଗ୍ୟଜନକ ବୋଲି ପରିଷଦ ପ୍ରକାଶ କରି ଏହାକୁ ନିନ୍ଦା କରିଛି।

ସମ୍ବନ୍ଧିତ ଖବର