ଭଦ୍ରକ: ଭଦ୍ରକ ଜିଲ୍ଲା କଲେଇ ପଞ୍ଚାୟତ ରଙ୍ଗରାଜପୁର ଗାଁରେ ଜଣଙ୍କ ଘର ଭିତରୁ ଶୁକ୍ରବାର ମା’ ନାଗ ସହ ୪୩ଟି ଛୁଆ ନାଗ ସାପକୁ ସ୍ନେକ ହେଲପ୍ ଲାଇନ୍ ସଦସ୍ୟ ଉଦ୍ଧାର କରିଛନ୍ତି। ଏଥିସହିତ ଘଟଣାସ୍ଥଳରୁ ୫୮ଟି ନାଗସାପ ଅଣ୍ଡା ବି ଉଦ୍ଧାର କରାଯାଇଛି।
ସୂଚନାଯୋଗ୍ୟ, ରଙ୍ଗରାଜପୁର ଗାଁରେ ବିଜୟ ବିଶ୍ୱାଳ ଏକ ମାଟି ଘରେ ବସବାସ କରନ୍ତି । ଆଜି ସକାଳେ ସେ ତାଙ୍କ ମାଟି ଘର ବାଡ଼ିପଟେ ଦୁଇଟି ନାଗସାପକୁ ଦେଖିବାକୁ ପାଇଥିଲେ। ଏହାପରେ ସେ ନାଗସାପକୁ ସେଠାରୁ ଘଉଡାଇବା ପାଇଁ ଚେଷ୍ଟା କରିଥିଲେ। ଏହି ସମୟରେ ନାଗସାପଟି ତାଙ୍କ ଘର ବାଡ଼ି ପଟେ ଥିବା ଏକ ଗାତରେ ପଶି ଯାଇଥିଲା। ଏହାପରେ ବିଜୟ ବିଶ୍ୱାଳ ସଙ୍ଗେସଙ୍ଗେ ଭଦ୍ରକର ଜଣାଶୁଣା ସାପ ଧରାଳି ମିର୍ଜାଙ୍କୁ ଖବର ଦେଇଥିଲେ।
ଖବର ପାଇ ସାପ ଧରାଳି ମିର୍ଜା ଘଟଣାସ୍ଥଳରେ ପହଞ୍ଚି ଯେଉଁଠାରେ ନାଗସାପଟି ପଶି ଥିଲା ସେହି ସ୍ଥାନକୁ ଖୋଳାଖୋଳି କରିଥିଲେ। ଏହି ଖୋଳାଖୋଳି ସମୟରେ ମିର୍ଜା ଘଟଣାସ୍ଥଳରୁ ମା’ ନାଗ ସହିତ ୪୩ଟି ଛୁଆ ସାପ ଓ ୫୮ଟି ନାଗ ସାପ ଅଣ୍ଡାକୁ ଉଦ୍ଧାର କରିଥିଲେ। ଏହି ଦୃଶ୍ୟ ଦେଖି ଗ୍ରାମବାସୀଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା। ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା। ସାପ ଉଦ୍ଧାର ହେବା ଘଟଣା ସମ୍ପର୍କରେ ବନବିଭାଗଙ୍କୁ ଖବର ଦିଆଯାଇଛି। ବନବିଭାଗ ଘଟଣାସ୍ଥଳରେ ପହଞ୍ଚିଲେ ମା’ନାଗ ସହ ୪୩ଟି ଛୁଆ ସାପକୁ ହସ୍ତାନ୍ତର କରି ଦିଆଯିବ।