କୋରାପୁଟ: କୋରାପୁଟ କଫି କହିଲେ ଏବେ ବିଶ୍ବ ସ୍ତରରେ କୋରାପୁଟର ନାମ କାହିଁରେ କ’ଣ। ତେବେ କୋରାପୁଟ ପରିଚୟ ଦେଇଥିବା କଫିକୁ ନେଇ ରାଜ୍ୟ ସରକାର ଏକ ଉତ୍ସର୍ଗୀକୃତ କଫି ମିଶନ ଭାବେ ଆରମ୍ଭ କରିବାକୁ ଯାଉଛନ୍ତି। ମେ ୨୩ରେ ଅତିରିକ୍ତ ଶାସନ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏନେଇ ବିସ୍ତୃତ ଭାବେ ଆଲୋଚନା ହୋଇଛି। ଗତମାସ ୭ ତାରିଖରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ଏହି ବୈଠକରେ ସରକାର ଏହି ମିଶନ ଗଠନ କରିବାକୁ ବ୍ଲୁପ୍ରିଣ୍ଟ କରିଛନ୍ତି। ଏହି ମିଶନରେ କିଏ ମୁଖ୍ୟ ରହିବେ, କିପରି ଭାବେ ଏହା କାର୍ଯ୍ୟକ୍ଷମ ହେବ ଓ ଜିଲ୍ଲାସ୍ତରରେ ଏହ କିପରି କାର୍ଯ୍ୟ କରିବ ତାହା ଏବେ ଯାଏଁ ସ୍ଥିର ହୋଇନାହିଁ। ଆସନ୍ତା ମାସେ ମଧ୍ୟରେ ଏହା ସ୍ଥିର ହେବ ବୋଲି ଜିଲ୍ଲା ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଉତ୍ସଗୀକୃତ କୋରାପୁଟ କଫି ମିଶନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।
ମିଳିଥିବା ସୂଚନା ମୁତାବକ ଆରବିକା କଫି ଫ୍ଲେଭର ହେଉଛି ବିଶ୍ବର ସର୍ବପୁରାତନ କଫି, ଯାହା ପ୍ରଥମେ ଆରବରେ ଚାଷ ହୋଇଥିଲା। ସମୟକ୍ରମେ ଏହା ସାରା ବିଶ୍ବକୁ ଯାଇଥିଲା। ସେହି କଫିର ଚାଷରୁ ବିଭିନ୍ନ ଫ୍ଲେଭର ଉତ୍ପନ୍ନ ହୋଇଥିଲା। କୋରାପୁଟରୁ ମିଳିଥିବା କଫି ମଧ୍ୟ ଏହି ଆରବିକ୍ କଫିର ଏକ ଅଂଶ। କୋରାପୁଟ ଜିଲ୍ଲାର ସେମିଳିଗୁଡାରେ ୧୧୪ ହେକ୍ଟର, ଦଶମନ୍ତପୁର ବ୍ଲକରେତ ୫୪୦ ହେକ୍ଟର, ଲକ୍ଷ୍ମୀପୁରରେ ୩୦୩ ହେକ୍ଟର, ନନ୍ଦପୁରରେ ୩୫୨ ହେକ୍ଟର, କୋରାପୁଟରେ ୨୭୧ ହେକ୍ଟର, ବୋରିଗୁମ୍ମାରେ ୩୧ ଓ ପଟାଙ୍ଗୀରେ ୪୦ ହେକ୍ଟର ଜମିରେ ଚାଷ କରାଯାଉଛି। ଜିଲ୍ଲାରେ ୧୦୨୬ ଜଣ ଚାଷୀ ରହିଥିବାବେଳେ ପ୍ରତି ଋତୁରେ ୧୧୦୦ ମେଟ୍ରିକ ଟନ୍ କଫି ଉତ୍ପାଦିତ ହୋଇଥାଏ। କୋରାପୁଟ ଜିଲ୍ଲାରେ ଗତ ୪ ବର୍ଷରେ ୧୪୮ ହେକ୍ଟର ଜମିରେ କଫି ଚାଷ କରାଯାଇଥିବାବେଳେ ପ୍ରାୟ ୧ କୋଟି ୫୫ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିବାବେଳେ ୮୧ ଲକ୍ଷ ୧୪ ହଜାର ଖର୍ଚ୍ଚ ହୋଇଛି। ଜିଲ୍ଲାରେ ୨୦୧୭ରୁ ଚଳିତବର୍ଷ ଯାଏ ୩୭୧ ନୂତନ ଚାଷୀଙ୍କୁ ଯୋଡାଯାଇଛି।
ବିଶ୍ୱ ବଜାରରେ କୋରାପୁଟ କଫିର ଚାହିଦା କାହିଁରେ କ’ଣ । ଅନଲାଇନରେ କୋରାପୁଟ କଫି ବିକ୍ରି ଆରମ୍ଭ ହେବା ପରେ ବିଶ୍ୱ କୋରାପୁଟକୁ ଯେତିକି ଜାଣିଥିଲା ଏବେ ତାହା କାହିଁକିରେ କେତେ ବଢି ଗଲାଣି । କଫି କହିଲେ ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରେ ରହୁଥିବା ଚାଷୀଙ୍କୁ ବୁଝାଉଛି । ମୁଖ୍ୟମନ୍ତ୍ରୀ କୋରାପୁଟ କଫି ବିକ୍ରି ପାଇଁ ଅନଲାଇନ ୱେବସାଇଟ ପ୍ରସ୍ତୁତ କରିଥିବାବେଳେ କୋରାପୁଟ, ଭୂବନେଶ୍ୱର ଓ ପୁରୀ ପରି ବଡ ସହରରେ ତିନି ତିନିଟି ଅଫଲାଇନ ଷ୍ଟୋରରେ ବିକ୍ରି ହେଉଛି କୋରାପୁଟ। କୋରାପୁଟ ଜିଲ୍ଲା ପ୍ରାୟ ୫୦୦୦ ହେକ୍ଟର ଜମିରେ ଚାଷ କରାଯାଉଥିବାବେଳେ ୨୨୫୫ରୁ ଅଧିକ ଚାଷୀ ରହିଛନ୍ତି। ୧୯୩୦ ମସିହାରୁ କୋରାପୁଟ ଜିଲ୍ଲାରେ କଫି ଉତ୍ପାଦନ ହେଉଛି । ଜୟପୁର ରାଜା ରାଜବାହାଦୁର ରାମଚନ୍ଦ୍ର ଦେଓ ତାଙ୍କ ବଗିଚାରେ କଫି ଚାଷ ଆରମ୍ଭ କରିଥିଲେ ।୧୯୬୦ ମସିହା ବେଳକୁ ଏହା କୋରାପୁଟ ଜିଲ୍ଲା ସହ କନ୍ଧମାଳ, ରାୟଗଡା, କେଉଁଝର, ଗଜପତି ଓ କଳାହାଣ୍ଡି ଜିଲ୍ଲାକୁ ବ୍ୟାପିଥିଲା । ଏନେଇ କୋରାପୁଟ ଜିଲ୍ଲାପାଳ ଅବଦ୍ଦଲ ଏମ.ଅଖତର କହିଛନ୍ତି ଯେ ଉତ୍ସଗୀକୃତ କୋରାପୁଟ କଫି ମିଶନର ପ୍ରାଥମିକ କାର୍ଯ୍ୟ ଆରମ୍ଭ ହୋଇଛି। ଖୁବଶୀଘ୍ର ଏହା ପୂର୍ଣ୍ଣାଙ୍ଗ ରୁପ ନେବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/kpt-cofee-2.jpg)