ଲହୁଣିପଡ଼ା: ରାଜାମୁଣ୍ଡା ପଞ୍ଚାୟତର ରାଜାମୁଣ୍ଡା ମୁଖ୍ୟ ଛକରେ ଥିବା ଥଣ୍ଡା ପାନୀୟଜଳ ମେସିନଟି ଅଚଳ ଭାବେ ପଡ଼ି ରହିଥିବା ଯୋଗୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବର୍ତ୍ତମାନ ଖରାଦିନେ ଲେଶକେ ପାଣିମୁନ୍ଦେ ପାଇଁ ଡହଳବିକଳ ହେଉଥିବାବେଳେ ଲକ୍ଷ ଲକ୍ଷ ଟଙ୍କାର ପ୍ରକଳ୍ପ ଅଚଳ ପଡ଼ିବାକୁ ଅସନ୍ତୋଷ ପ୍ରକାଶ ପାଇଛି।
ଏହି ପ୍ରକଳ୍ପରୁ ରାଜାମୁଣ୍ଡା ଅଞ୍ଚଳର ଦୋକାନୀ ଓ ସାଧାରଣ ପଥଚାରୀ ଉପକୃତ ହେଉଥିଲେ। ମାତ୍ର ଦୀର୍ଘଦିନ ଧରି ଏହି ପ୍ରକଳ୍ପଟି ଅଚଳ ରହିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି। ଏହି ପ୍ରକଳ୍ପଟି ସ୍ଥାନୀୟ ଏକ କାରଖାନାର ସାମାଜିକ ଦାୟିତ୍ବବୋଧ ପାଣ୍ଠିରୁ କରାଯାଇଥିଲା। କିନ୍ତୁ ୨ ବର୍ଷ ପ୍ରକଳ୍ପ ଅଚଳ ପଡ଼ିଥିଲେ ବି ନା କମ୍ପାନି କର୍ତ୍ତୃପକ୍ଷ ନା ପ୍ରଶାସନ କେହି ଏ ଦିଗରେ ନିଘା ଦେଉନାହାନ୍ତି। ତୁରନ୍ତ ମେସିନକୁ ସଜାଡ଼ିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।